ସଂସ୍କାର : ବହୁଚର୍ଚ୍ଚିତ ସୁମିତ ଓ ତପସ୍ୱିନୀଙ୍କ ପାରିବାରିକ ମାମଲାରେ ତପସ୍ୱିନୀ ବାଜିମାତ୍ କରିଦେଇଛନ୍ତି। ସେ ନିଜର ଶଶୁର ଘରେ ରହିବା ପାଇଁ ଗତକାଲି ଜିଲ୍ଲା ଜଜ୍ କୋର୍ଟ ରାୟରେ କହିଛନ୍ତି। କୋର୍ଟଙ୍କର ରାୟ ଅନୁଯାୟୀ, ତପସ୍ୱିନୀ ଦାଶ ବର୍ତ୍ତମାନ ତାଙ୍କ ଶଶୁର ଘରେ ରହିବ। ଆଉ ଶଶୁର ଘରର ଦାଣ୍ଡ ପିଣ୍ଡାରେ ନ ରହି ଘର ଭିତରେ ବୋହୂ ଭାବରେ ରହିବେ ତପସ୍ୱିନୀ ବୋଲି କୋର୍ଟ ନିଜ ରାୟରେ କହିଥିଲେ। ସୁମିତ୍ ସାହୁ ଓ ତପସ୍ୱିନୀ ଦାଶ ଗୋଟିଏ ଘରେ ହିଁ ରହିବେ ବୋଲି କୋର୍ଟ କହିଛନ୍ତି । ଆଉ ତପସ୍ୱିନୀଙ୍କର ଖର୍ଚ୍ଚ ବାବଦକୁ ଡାକ୍ତର ସୁମିତ୍ ପ୍ରତିମାସରେ ତପସ୍ୱିନୀଙ୍କୁ ୧୭ ହଜାର ଟଙ୍କା ଦେବେ। ପ୍ରତି ମାସର ୧୦ ତାରିଖ ସୁଦ୍ଧା ଡିମ୍ପଲଙ୍କୁ ୧୭ ହଜାର ଟଙ୍କା ଦେବାକୁ ସୁମିତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।
ତେବେ ଏହାରି ମଧ୍ୟରେ ତପସ୍ୱିନୀଙ୍କୁ ନେଇ ଏକ ନୂଆ ଦ୍ଵନ୍ଦ ସୃଷ୍ଟି ହୋଇଛି। ଡାକ୍ତର ସୁମିତ ଓ ତପସ୍ୱିନୀଙ୍କ ମାମଲାରେ କୋର୍ଟଙ୍କ ରାୟ ପରେ ବି ତୁଟୁନି ବିବାଦ। ଏବେ ତପସ୍ୱିନୀଙ୍କ ରହିବା ଘରକୁ ନେଇ ପୁଣି ଚାଲିଛି ସଂଘର୍ଷ। ୨ ମହଲା ଘର ମଧ୍ୟରୁ ତଳ ଘରେ ରହିବାକୁ ଚାହୁଁଛନ୍ତି ତପସ୍ୱିନୀ। ତପସ୍ୱିନୀ ନିଜ ସ୍ୱାମୀଙ୍କ ସହ ତାଙ୍କ ବେଡ଼ରୁମରେ ରହିବାକୁ ଚାହୁଁଛନ୍ତି। କିନ୍ତୁ ଶଶୁର ଚାହୁଁଛନ୍ତି କିଛି ଅଲଗା। କୋର୍ଟ ବେଡରୁମରେ ରହିବା ପାଇଁ ସେପରି କିଛି ନିର୍ଦ୍ଦେଶ ଦେଇ ନାହାନ୍ତି ବୋଲି ଡାକ୍ତର ସୁମିତଙ୍କ ପିତା କହିଛନ୍ତି ।
ସୁମିତଙ୍କର ପିତା ଗଣମାଧ୍ୟମକୁ କହିଛନ୍ତି ଯେ, ପ୍ରୋଟେକ୍ସନ ଅଫିସରଙ୍କୁ ମୁଁ ଘର ଦେଖେଇ ଦେଇଛି। ସେମାନେ ଘରକୁ ପୂରା ଭଲରେ ଦେଖିଲେ। ଜିଲ୍ଲା କୋର୍ଟଙ୍କ ରାୟକୁ ଆମେ ସମ୍ମାନ ଦେଉଛୁ କିନ୍ତୁ ତା’ ଉପରେ ଅପିଲ୍ କରିବା ପାଇଁ ଆମେ ଚିନ୍ତା କରୁଛୁ।
ତପସ୍ୱିନୀଙ୍କ ଶ୍ୱଶୁର ଆହୁରି ମଧ୍ୟ କହିଛନ୍ତି ଯେ, ଆମେ କୋର୍ଟଙ୍କର ରାୟକୁ ସମ୍ମାନ ଜଣାଉଛୁ । କିନ୍ତୁ ଆମେ ଏହି ରାୟ ଉପରେ ବି ହାଇକୋର୍ଟରେ ଅପିଲ କରିବୁ। ଅନ୍ୟପକ୍ଷରେ ଆମେ ତପସ୍ୱିନୀଙ୍କ ରହିବା ପାଇଁ ରୁମ୍ ଠିକ୍ କରିଛୁ। ସେପଟେ ପୁଅ ସୁମିତଙ୍କ ସମ୍ପର୍କରେ ସେ କହିଛନ୍ତି ଯେ, ‘ସୁମିତଙ୍କ ଦେହ ଭଲ ନାହିଁ। ସେ ରେଷ୍ଟ ନେଉଛନ୍ତି।’ ହେଲେ ସେ କେଉଁଠି ରହୁଛନ୍ତି ଓ ତାଙ୍କ ପାଖରେ କିଏ ରହୁଛି ସେନେଇ କିଛି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି ସୁମିତଙ୍କର ବାପା ।