ନୂଆଦିଲ୍ଲୀ : ଅଭିନେତା ହ୍ରିତିକ ରୋଶନଙ୍କ ପୂର୍ବତନ ପତ୍ନୀ ସୁସାନେ ଖାନଙ୍କ ଭଉଣୀ ଜୁଏଲାରୀ ଡିଜାଇନର୍ ଫରାହ ଖାନ ଅଲି ମଙ୍ଗଳବାର ସନ୍ଧ୍ୟାରେ ଟ୍ୱିଟ ମାଧ୍ୟମରେ ପ୍ରକାଶ କରିଛନ୍ତି ଯେ, କୋଭିଡ ଖବର ଭାଇରସ ଅପେକ୍ଷା ଶୀଘ୍ର ବ୍ୟାପିଥାଏ । ତାଙ୍କ ଘରେ ଜଣେ କାର୍ଯ୍ୟରତ କର୍ମଚାରୀଙ୍କ କରୋନାଭାଇରସ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ତେଣୁ ସମଗ୍ର ପରିବାର ମଧ୍ୟ ସତର୍କତାମୂଳକ ପଦକ୍ଷେପ ଭାବରେ କରୋନାଭାଇରସ ପରୀକ୍ଷା ପାଇଁ ନମୁନା ଦେଇଛନ୍ତି ଏବଂ ସମସ୍ତେ ଆଇସୋଲେସନରେ ରହିବେ । ସମସ୍ତେ ସୁରକ୍ଷିତ ଓ ଶକ୍ତିଶାଳୀ ରହିବା ପାଇଁ ସେ କାମନା କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସେହି କର୍ମଚାରୀଙ୍କୁ ସଙ୍ଗରୋଧ ସୁବିଧା କେନ୍ଦ୍ର (କ୍ଵାରେଣ୍ଟିନ ଫ୍ୟାସିଲିଟି ସେଣ୍ଟର)କୁ ସ୍ଥାନାନ୍ତର କରାଯାଇଛି । ଶୀଘ୍ର ଓ ଠିକ ସମୟରେ ସେହି ବ୍ୟକ୍ତିଙ୍କୁ ସଙ୍ଗରୋଧ ସୁବିଧା କେନ୍ଦ୍ରକୁ ସ୍ଥାନାନ୍ତର କରିବାକୁ ଚେଷ୍ଟା କରିବା ଏବଂ କରୋନାଭାଇରସ ରୋଗୀଙ୍କୁ ଡାକ୍ତରମାନଙ୍କ ସେବା ପାଇଁ ବ୍ରିହାନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବି.ଏମ.ସି.) ପ୍ରଶଂସା କରିଛନ୍ତି ।

ସେ ତାଙ୍କ ଟ୍ୱଇଟରେ ବି.ଏମ.ସି. ଓ ଡାକ୍ତରମାନଙ୍କୁ ପ୍ରଶଂସା କରି ଉଲ୍ଲେଖ କରିଛନ୍ତି ଯେ ସେମାନେ ମୋ କର୍ମଚାରୀଙ୍କୁ ଯେପରି ଭାବେ ସମ୍ମାନ ଓ ମାନବିକତାର ସହିତ ଉଚିତ ସମୟରେ ସଙ୍ଗରୋଧ ସୁବିଧା କେନ୍ଦ୍ରକୁ ସ୍ଥାନାନ୍ତର କଲେ ଓ ପରିସ୍ଥିତିକୁ ନିୟନ୍ତ୍ରଣ କଲେ ତାହା ସତରେ ଆଶ୍ଚର୍ଯ୍ୟଜନକ ।
ଫରାହ, ସୁସାନେ, ସିମୋନେ ଏବଂ ଅଭିନେତା ଜାଏଦ ଖାନ ହେଉଛନ୍ତି ପ୍ରବୀଣ ଅଭିନେତା ସଞ୍ଜୟ ଖାନ ଏବଂ ଜରିନ କତ୍ରକଙ୍କ ସନ୍ତାନମାନେ । ଫାରାହ ଡିଜେ ଆକିଲଙ୍କୁ ବିବାହ କରିଛନ୍ତି ।