ଅର୍ଦ୍ଧଙ୍ଗୀନୀର ଆଖ୍ୟା ପାଇଥିବା ପତ୍ନୀ ଯେ ସ୍ଵାମୀ ମୃତ୍ୟୁର କାରଣ ହେବ ତାହା ଶୁଣିଲେ ଯେତିକି ତାଯୁବ ଲାଗୁଛି ତାଠାରୁ ଅଧିକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ତାମିଲନାଡୁରୁ । ଜଣେ ୫୭ ବର୍ଷୀୟ ମହିଳା ନିଜର ୬୨ ବର୍ଷୀୟ ସ୍ୱାମୀଙ୍କୁ ଜିଅନ୍ତା ଜାଳି ହତ୍ୟା କରିଛନ୍ତି ଏବଂ ତା ବି ଇନ୍ସ୍ୟୁରାନ୍ସ ଟଙ୍କା ପାଇବା ପାଇଁ । ତେବେ ଜଣେ ସମ୍ପର୍କୀୟଙ୍କ ସହ ମିଶି ଏ ନିନ୍ଦନୀୟ ଘଟଣା ଘଟେଇଛନ୍ତି ପତ୍ନୀ । ଅଭିଯୋଗ ପର ଉଭୟଙ୍କୁ ପୋଲିସ ଗିରଫ କରିଛି ।
ମିଳିଥିବା ସୂଚନା ଅନୁସାରେ ମୃତକ ଜଣକ ଏରୋଡ ଜିଲ୍ଲାର କେ ଥୁଡୁପାଥୀରେ ରହୁଥିବା ରଙ୍ଗରାଜ ବୋଲି ଜଣାପଡ଼ିଛି । ସେ ଏକ ପାୱାର୍ ଲୁମ୍ ୟୁନିଟ୍ ର ମାଲିକ ଥିବାବେଳେ ମାର୍ଚ୍ଚ ୧୫ ତାରିଖ ଦିନ ଏକ ଦୁର୍ଘଟଣାରେ ଆହତ ହୋଇଥିଲେ । ଫଳରେ ଚିକିତ୍ସା ପାଇଁ ତାଙ୍କୁ କୋଏମ୍ବାଟୁରର ଏକ ଘରୋଇ ଡାକ୍ତରଖାନାରେ ସେ ଭର୍ତ୍ତି ହୋଇଥିଲେ । ଗୁରୁବାର ଦିନ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା ଏବଂ ପତ୍ନୀ ସହିତ ଜଣେ ସମ୍ପର୍କୀୟ ତାଙ୍କୁ ଘରକୁ ଆଣିଥିଲେ ।
ରିପୋର୍ଟ ଅନୁସାରେ ରାତି ପ୍ରାୟ ସାଢେ ୧୧ଟା ବେଳେ ପେରୁମାନାଲୁର ନିକଟରେ ସେମାନେ କାରକୁ ଅଟକାଇଥିଲେ । ମହିଳା ଜଣକ ନିଜ ସମ୍ପର୍କୀୟଙ୍କ ସହ କାରରୁ ଓହ୍ଲାଇଥିଲେ ଏବଂ କିଛି ସମୟ ପରେ ଗାଡ଼ିରେ ପେଟ୍ରୋଲ ଲଗାଇ ନିଆଁ ଲଗାଇ ଦେଇଥିଲେ । ଶୁକ୍ରବାର ସକାଳେ ପୋଲିସକୁ ସୂଚନା ଦେଇଥିଲେ ଏବଂ ଏହାକୁ ଏକ ଦୁର୍ଘଟଣା ବୋଲି କହିଥିଲେ । ମାତ୍ର ଦୁହିଁକ ବୟାନ ମେଳ ଖାଉ ନଥିବାରୁ ସେମାନେ ପୋଲିସର ସନ୍ଦେହ ଘେରକୁ ଚାଲି ଆସିଥିଲେ ।
ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ଏବଂ ଜାଣିବାକୁ ପାଇଲା ଯେ ମହିଳାଙ୍କ ସମ୍ପର୍କୀୟ ଏକ ପାତ୍ରରେ ପେଟ୍ରୋଲ ପମ୍ପରୁ ପେଟ୍ରୋଲ କିଣିଛନ୍ତି । ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଦେଖି ଯେତେବେଳେ ପୋଲିସ ପଚରାଉଚରା କଲା ଅଭିଯୁକ୍ତଙ୍କୁ ଏହି ଘଟଣାରେ ସମ୍ପୃକ୍ତ ଥିବା ସ୍ୱୀକାର କରିଥିଲେ । ସେପଟେ ତଦନ୍ତରୁ ଜଣାପଡ଼ିଛି ଯେ ମୃତକ ରଙ୍ଗରାଜ ଅନେକ ଲୋକଙ୍କଠାରୁ ପ୍ରାୟ ଦେଢ କୋଟି ଟଙ୍କା ଋଣ ନେଇଥିଲେ । ସେମାନେ ରଙ୍ଗରାଜଙ୍କ ପତ୍ନୀଙ୍କୁ କିଛି ସମୟ ପାଇଁ ଋଣ ପ୍ରତ୍ୟାହାର ପାଇଁ ଚାପ ପକାଉଥିଲେ । ହେଲେ ପତ୍ନୀ ଜାଣିଥିଲେ ଯେ ସେ ପ୍ରାୟ ସାଢେ ୩ କୋଟି ଟଙ୍କା ମୂଲ୍ୟର ତିନୋଟି ବୀମା ପଲିସି ନେଇଛନ୍ତି, ଯେଉଁଥିରେ ସେ ପତ୍ନୀଙ୍କୁ ନୋମିନି କରିଛନ୍ତି ।
ତେବେ ସେହି ପରିମାଣର ବୀମା ଦାବି କରିବା ପାଇଁ ସେ ନିଜ ସ୍ୱାମୀଙ୍କୁ ହତ୍ୟା କରି ଏକ ଦୁର୍ଘଟଣାର ଆକାର ଦେବାକୁ ସ୍ଥିର କଲେ ଯେଉଁଥିପାଇଁ ସେ ତାଙ୍କର ଜଣେ ସମ୍ପର୍କୀୟଙ୍କ ସହାୟତା ବି ନେଇଥିଲେ । କୁହାଯାଉଛି ଯେ ମହିଳା ଜଣକ ତାଙ୍କ ସମ୍ପର୍କୀୟଙ୍କୁ ୫୦ ହଜାର ଟଙ୍କା ଅଗ୍ରୀମ ପ୍ରଦାନ କରିଥିଲେ ଏବଂ ରଙ୍ଗରାଜଙ୍କ ହତ୍ୟା ପରେ ତାଙ୍କୁ ୧ ଲକ୍ଷ ଟଙ୍କା ଦେବାକୁ ପ୍ରତିଶୃତି ବି ଦେଇଥିଲେ । ପୋଲିସ ଶୁକ୍ରବାର ଦିନ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି ଏକ ମାମଲା ରୁଜୁ କରି ମାମଲାର ତଦନ୍ତ ଆରମ୍ଭ କରିଥିଲା ।