ଆତଙ୍କବାଦୀ ସବୁ ସମୟରେ ଦେଶ ବିଦେଶରେ ନିଜର ଆତଙ୍କ ଦ୍ଵାରା କ୍ଷୟକ୍ଷତି କରି ଚାଲିଛନ୍ତି ଓ ଜନସାଧାରଣଙ୍କୁ ଭୟଭୀତ କରି ରଖିଛନ୍ତି । କିନ୍ତୁ ନିକଟରେ ଏମିତି ଏକ ଘଟଣା ଘଟିଛି ଯେଉଁଥିରେ ଆତଙ୍କବାଦୀ ନିଜେ ଏବେ ଆତଙ୍କିତ । ଆଜ୍ଞା ହଁ, ଆଫଗାନିସ୍ତାନର ଧୋରରେ ରହୁଥିବା କମର ଗୁଲ ଏକେ-୪୭ ଧରି ୩ ଆତଙ୍କବାଦୀଙ୍କୁ ମାରି ଶୁଆଇ ଦେଇଛନ୍ତି । ଫଳରେ ତାଲିବାନ ଭଳି ଆତଙ୍କି ସଂଗଠନ ଏବେ ଭୟରେ ଥରହର ।
କମର ଗୁଲଙ୍କ ବୟସ ମାତ୍ର ୧୬ ବର୍ଷ । ବିଶ୍ଵବ୍ୟାପୀ ଆତଙ୍କର ରାଜ୍ ଚଳାଇଥିବା ତାଲିବାନ ଆତଙ୍କବାଦୀମାନେ କମରଙ୍କ ବାପାମା’ଙ୍କୁ ହତ୍ୟା କରିଛନ୍ତି । ଦୋଷ ଥିଲା ସେମାନେ ସରକାରଙ୍କୁ ସମର୍ଥନ କରୁଥିଲେ । ଘରେ ପଶି ଅତି ନିର୍ମମ ଭାବରେ ବାପାମା’ଙ୍କୁ ଯେତେବେଳେ ଆତଙ୍କବାଦୀ ହତ୍ୟା କଲେ ଡରି ନଯାଇ ପାଲଟା ଆକ୍ରମଣ କଲେ କମର । ସୂଚନା ଅନୁଯାୟୀ ୪୦ରୁ ଅଧିକ ଆତଙ୍କବାଦୀ ପୁରା ଗାଁକୁ ଆକ୍ରମଣ କରିଥିଲେ ।
ଘଟଣାଟି ଜୁଲାଇ ୧୭ ତାରିଖ ରାତିରେ ଘଟିଥିଲା । ଗାଁ ଭିତରେ ପଶି ଆଖି ବୁଜା ଗୁଳି ଚାଳନା କରିଥିଲେ ଆତଙ୍କବାଦୀମାନେ । କମର ଘରେ ପଶି ଯେତେବେଳେ ତାଙ୍କ ବାପାମା’ଙ୍କୁ ହତ୍ୟା କଲେ ୧୬ ବର୍ଷର କମର ବାଘୁଣୀ ପାଲଟି ଗଲେ ଓ ଏକେ-୪୭ ଧରି ମାରି ଚାଲିଲେ ଗୁଳି । ବିପକ୍ଷ ଦଳରେ ୩ ଜଣ ଆତଙ୍କବାଦୀ ମରି ଶୋଇଗଲା ପରେ ବାକି ପଛଘୁଞ୍ଚା ଦେଲେ । ଯଦିଓ କିଛି ସମୟ ପରେ ସେମାନେ ପୁଣିଥରେ ଆକ୍ରମଣ କରିଥିଲେ ହେଲେ ସରକାରୀ ସହାୟତା ଓ ଗାଁ ଲୋକଙ୍କ ସହଯୋଗରେ କମରଙ୍କ କୌଣସି କ୍ଷତି କରିପାରିନଥିଲେ ଓ ବାଧ୍ୟ ହୋଇ ଫେରିଯାଇଥିଲେ ।
କମର ଗୁଲ ଓ ତାଙ୍କ ଭାଇ ଏବେ ଆଫଗାନିସ୍ତାନ ସରକାରଙ୍କ ସୁରକ୍ଷାରେ ଅଛନ୍ତି । କମରଙ୍କ ସାହସିକତା କିନ୍ତୁ ଏବେ ଚର୍ଚ୍ଚାରେ ଓ ସୋସିଆଲ ମିଡ଼ିଆରେ ଲୋକେ କରୁଛନ୍ତି ଭୁରି ଭୁରି ପ୍ରଶଂସା । ଏତେ କମ ବୟସରେ ବି ଆତଙ୍କବାଦୀଙ୍କୁ ସାମ୍ନା କରିବା ଓ ସେମାନଙ୍କୁ ପଛକୁ ହଟିବାକୁ ବାଧ୍ୟ କରିବା ସତରେ ସାବାସୀର କଥା । ଆଫଗାନିସ୍ତାନ ସରକାର କ୍ୟାବିନେଟ ମିଟିଂ ଡକାଇ କମରଙ୍କ ପ୍ରଶଂସା କରିଛନ୍ତି ଓ ରାଷ୍ଟ୍ରପତି ଭବନ ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି ।