ସଂସ୍କାର : ଦାଦାଗିରି ଦେଖାଉଛନ୍ତି ବିଜେପିର ଜୟପୁର ପ୍ରାର୍ଥୀ ଗୌତମ ସାମନ୍ତରାୟ । ଗୌତମ ଜୟପୁର ବିଦ୍ୟୁତ କାର୍ଯ୍ୟାଳୟରେ ପଶି ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ଼ ମାରିଛନ୍ତି। ଏନେଇ ଜୟପୁର ସଦର ଥାନାରେ ଗୌତମଙ୍କ ନାମରେ ଏତଲା ଦିଆଯାଇଛି ।
ସୂଚନା ଅନୁଯାୟୀ, ବାଲିଆ ପଞ୍ଚାୟତର ନୂଆଗଡ଼ ଗାଁରେ ଟ୍ରାନ୍ସଫରମର ପୋଡିଯାଇଥିଲା । ଏହି ଘଟଣାକୁ କେନ୍ଦ୍ରକରି ଗାଁର ୩୦ ଜଣ ଲୋକ ନିର୍ବାହୀ ଯନ୍ତ୍ରୀଙ୍କ ଅଫିସ ଭିତରକୁ ପଶି ଭଙ୍ଗାରୁଜା କରିବା ସହ ନିର୍ବାହୀ ଯନ୍ତ୍ରୀଙ୍କୁ ମରଣାନ୍ତକ ମାଡ଼ ମାରିଥିଲେ । ଆଉ ଏହି ଲୋକମାନେ ମାଡ଼ ମାରି ତୁରନ୍ତ ଟ୍ରାନ୍ସଫରମର ମରାମତି କରିବାକୁ ଧମକ ଦେଇଥିଲେ ।
ତେବେ ସୂଚନା ଥାଉ ଯେ, ସେହି ଗାଁରେ ବିଦ୍ୟୁତ ଦେୟ ପାଖାପାଖି ୪ ଲକ୍ଷ ଟଙ୍କା ବକେୟା ଥିବା ବେଳେ ଏହାର ୨୦ ପ୍ରତିଶତ ଦେବା ପାଇଁ ନିର୍ବାହୀ ଯନ୍ତ୍ରୀ କହିଥିଲେ । କିନ୍ତୁ ଗାଁ ଲୋକେ ଟଙ୍କାଟିଏ ମଧ୍ୟ ଦେବାକୁ ମନା କରି ଦେଇଥିଲେ । ଆଉ ତୁରନ୍ତ ଟ୍ରାନ୍ସଫରମର ମରାମତି କରିବାକୁ କ୍ରୋଧାନ୍ବିତ ହୋଇ ନିର୍ବାହୀ ଯନ୍ତ୍ରୀଙ୍କୁ ଆଦେଶ ଦେଇଥିଲେ।
ଏହାରି ଭିତରେ ବିଜେପି ନେତା ଗୌତମ ସାମନ୍ତରାୟ ନିର୍ବାହୀ ଯନ୍ତ୍ରୀଙ୍କୁ ଟାଣିଟାଣି ଅଫିସ ବାହାରକୁ ନେଇଯାଇଥିଲେ। ଆଉ ଅଫିସ ବାହାରେ ସର୍ବ ସମ୍ମୁଖରେ ମାଡ଼ ମାରିଥିଲେ। ତେବେ ଏ ବିଷୟରେ ପୋଲିସ୍କୁ ଜଣାଇଲେ ଗୁଳି କରି ହତ୍ୟା କରିବେ ବୋଲି ଗୌତମ ସାମନ୍ତରାୟ ଧମକ ଦେଇଥିବା ନିର୍ବାହୀ ଯନ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି ।