ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଅନ୍ତର୍ଗତ ସରସରା ଗାଁରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ବନ୍ଦ ଘର ଭିତରୁ ଉଦ୍ଧାର ହୋଇଛି ଝୁଲନ୍ତା ନବବଧୂର ମୃତଦେହ । ବୁଧବାର ଦିନ ଖବର ପାଇ ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ତାଲା ଭାଙ୍ଗି ଘର ଭିତରୁ ଉଦ୍ଧାର କରିଛି ଝୁଲନ୍ତା ମୃତଦେହ ।
ସୂଚନା ଅନୁଯାୟୀ ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ତାଳମୁଣ୍ଡ ଗାଁର ବାସିନ୍ଦା ଛନ୍ଦେଶ୍ୱେରୀଙ୍କୁ ବିବାହ କରିଥିଲେ ବିଭୂତି ବେହେରା । ବିଭୂତି ଏକ ହତ୍ୟା ମାମଲାରେ ୫ ବର୍ଷ ଯାଏଁ ଜେଲରେ ଥିଲେ ଏବଂ ଜାମିନରେ ଆସି ବିବାହ କରିଥିଲେ । ତେବେ ବିବାହ ପରେ ଛନ୍ଦେଶ୍ୱେରୀଙ୍କୁ ଖୁବ୍ ନିର୍ଯାତନା ଦିଆଯାଉଥିଲା ଯାହା ଦିନକୁ ଦିନ ବଢବାରେ ଲାଗିଲା । ଏମିତିକି ପ୍ରତି କଥାରେ ତାଙ୍କୁ ମାଡ଼ ମଧ୍ୟ ମରା ଯାଉଥିବା ନେଇ ଅଭିଯୋଗ ହୋଇଥିଲା ।

ଘଟଣା ଦିନ ବିଭୂତି ଏବଂ ତାଙ୍କ ପରିବାର ଲୋକେ ଘରେ ତାଲା ପକାଇ କୁଆଡ଼େ ପଳାଇ ଯାଇଥିଲେ । ହେଲେ ସାଙ୍ଗରେ ବୋହୂକୁ ନେଇ ନଥିଲେ । ଏହା ନେଇ ଗାଁ ଲୋକଙ୍କ ମନରେ ସନ୍ଦେହ ହୋଇଥିଲା ଏବଂ ସେମାନେ ବିଭୂତି ଘରର ଝରକା ଫାଙ୍କରେ ଝାଙ୍କି ଦେଖିଥିଲେ । ଦେଖିଲା ବେଳକୁ ଛନ୍ଦେଶ୍ୱେରୀଙ୍କ ମୃତଦେହ ଝୁଲୁଥିଲା ଘର ଭିତରେ । ସୂଚନାଥାଉ ଯେ ଗୁରୁବାର ଦିନ ସକାଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଲା ଭାଙ୍ଗି ଘର ଭିତରୁ ମୃତଦେହ ଜବତ କରିଛି । ସେପଟେ ଛନ୍ଦେଶ୍ୱେରୀଙ୍କୁ ହତ୍ୟା କରି ଝୁଲାଇ ଦିଆଯାଇଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।