ସଂସ୍କାର : ଦୀର୍ଘ ଦୁଇ ମାସରୁ ଅଧିକ ସମୟ ହେବ ଚର୍ଚ୍ଚାରେ ରହିଛି ତପସ୍ଵିନୀ – ସୁମିତଙ୍କର ପାରିବାରିକ ବିବାଦ। ଦିନ ପରେ ଦିନ ଗଡୁଥିବା ବେଳେ ଏମାନଙ୍କର ବିବାଦର କୌଣସି ସମାଧାନର ବାଟ ବାହାରୁନି। ଗୋଟିଏ ମାମଲା ଉପରେ ଆଉ ଗୋଟିଏ ମାମଲା ହେଉଛି। ସେହିଭଳି ପିଟିସନ ପରେ ପିଟିସନ ବି ଦାଖଲ ହେଉଛି । କିନ୍ତୁ ସମାଧାନର ବାଟ ଫିଟୁନି। ଆଉ ଏହାରି ମଧ୍ୟରେ ତପସ୍ୱିନୀଙ୍କୁ ଗତ କାଲି ଏକ ଝଟକା ଦେଇଛନ୍ତି କୋର୍ଟ।
ସ୍ୱାମୀ ଅବହେଳିତ ଅବସ୍ଥାରେ ଛାଡ଼ି ଚାଲି ଯାଇଥିବା ବେଳେ ଶ୍ୱଶୁର ଘରେ ରହିବା ନିମନ୍ତେ ଅନୁମତି ଦେବାକୁ ତପସ୍ୱିନୀ ଗତ ୧୭ ତାରିଖରେ ଏସ୍ଡିଜେଏମ୍ କୋର୍ଟରେ ପିଟିସିନ ଦାଖଲ କରିଥିଲେ। ହେଲେ ତପସ୍ୱିନୀଙ୍କର ଏହି ପିଟିସିନକୁ ଗତକାଲି ( ଡିସେମ୍ବର ୨୩) ଏସ୍ଡିଜେଏମ୍ କୋର୍ଟ ଖାରଜ କରିଦେଇଛନ୍ତି। ଫଳରେ ତପସ୍ୱିନୀଙ୍କୁ ଶକ୍ତ ଧକ୍କା ଲାଗିଛି। ତେବେ ଏସ୍ଡିଜେଏମ୍ କୋର୍ଟଙ୍କ ରାୟ ବିରୋଧରେ ତପସ୍ୱିନୀଙ୍କ ଓକିଲ ଦୀପକ ପଟ୍ଟନାୟକ ଜିଲ୍ଲା ଜଜ୍ କୋର୍ଟରେ ଆବେଦନ କରିଛନ୍ତି।
ଦୀପକ ପଟ୍ଟନାୟକ କହିଛନ୍ତି, ତପସ୍ୱିନୀଙ୍କୁ ଘର ଭଡ଼ା ନେଇ ରଖିବା ସହ ତାଙ୍କର ସମସ୍ତ ଦାୟିତ୍ୱ ତୁଲାଇବା ନିମନ୍ତେ ଗତ ୯ ତାରିଖରେ ଏସ୍ଡିଜେଏମ୍ କୋର୍ଟ ଡାକ୍ତର ସୁମିତଙ୍କୁ ଆଦେଶ ଦେଇଥିଲେ। କିନ୍ତୁ ୧୦ ତାରିଖରେ ସୁମିତ ପତ୍ନୀଙ୍କୁ ଅବହେଳିତ ଅବସ୍ଥାରେ ଆସିକା ଚିନି କଳ ଗେଷ୍ଟ ହାଉସ୍ରେ ଛାଡ଼ି ପଳାଇଥିଲେ। ଏନେଇ ୧୩ ତାରିଖରେ ତପସ୍ୱିନୀ ଆସିକା ଥାନାରେ ସ୍ୱାମୀ ନିଖୋଜ ନେଇ ଅଭିଯୋଗ କଲେ। କିନ୍ତୁ ପୁଲିସ୍ କୌଣସି ପଦକ୍ଷେପ ଗ୍ରହଣ କଲାନି।
ଏହାପରେ ୧୭ ତାରିଖରେ ଆଉ ଏକ ପିଟିସନ ଫାଇଲା କରି ତପସ୍ୱିନୀ ଶ୍ୱଶୁର ଘରେ ରହିବାକୁ ଅନୁମତି ମାଗିଥିଲେ। ଏସ୍ଡିଜେଏମ୍ କୋର୍ଟ ଏହାକୁ ଖାରଜ କରି ପୁରୁଣା ଆଦେଶ ଦୋହରାଇଥିଲେ, ଯେଉଁଥିରେ ଡାକ୍ତର ସୁମିତିଙ୍କୁ ତପସ୍ୱିନୀଙ୍କ ଦାୟିତ୍ୱ ନେବାକୁ କୁହାଯାଇଛି। କିନ୍ତୁ ଏସ୍ଡିଜେଏମ୍ କୋର୍ଟଙ୍କ ଆଦେଶକୁ ଡାକ୍ତର ସୁମିତ ଅବମାନନା କରି ଆସୁଛନ୍ତି। ଏସ୍ଡିଜେଏମ୍ କୋର୍ଟଙ୍କ ରାୟ ବିରୋଧରେ ତପସ୍ୱିନୀ ଜିଲ୍ଲା ଜଜ୍ କୋର୍ଟରେ ଅପିଲ୍ କରିଥିବା ବେଳେ ସୁମିତ ମଧ୍ୟ ଜିଲ୍ଲା ଜଜ୍ କୋର୍ଟରେ ପିଟିସନ ଫାଇଲ କରିଛନ୍ତି। ଆସନ୍ତା ୨୭ ତାରିଖରେ ଉଭୟ ପକ୍ଷଙ୍କ ଶୁଣାଣି ରହିଛି। ତେବେ ଆସନ୍ତା ୨୭ ତାରିଖରେ ଜିଲ୍ଲା ଜଜ୍ କୋର୍ଟ କଣ ରାୟ ଶୁଣାଉଛନ୍ତି ତାହା ଶୁଣିବାକୁ ରାଜ୍ୟବାସୀ ଅପେକ୍ଷା କରିଛନ୍ତି।