ସଂସ୍କାର: ଆଉ କିଛି ଘଣ୍ଟାର ଅପେକ୍ଷା ପରେ ଆରମ୍ଭ ହେବ ଆଇପିଏଲ୍ ମହାସମର। ଟୁର୍ଣ୍ଣାମେଣ୍ଟ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛନ୍ତି ସମସ୍ତ ୧୦ ଟି ଯାକ ଦଳ। ଦୀର୍ଘ ଦୁଇ ମାସ ଧରି ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ସବୁ ଦଳର ଖେଳାଳି ପ୍ରସ୍ତୁତ ହୋଇ ସାରିଛନ୍ତି। ପଡିଆ ପ୍ରସ୍ତୁତ, ଟିମ ବି ପ୍ରସ୍ତୁତ । ଆଜିଠୁ ଆରମ୍ଭ ହେଉଛି ଫଟାଫଟ କ୍ରିକେଟର ମହାସମର । ଛକା ଚୌକା ସାଙ୍ଗକୁ ଦେଖିବାକୁ ମିଳିବ କ୍ରିକେଟର ଭରପୂର ଏଣ୍ଟରଟେନମେଣ୍ଟ । ଆଇପିଏଲ ୨୦୨୨ର ପ୍ରଥମ ମ୍ୟାଚ ଆଜି ହେବାକୁ ଯାଉଛି । ଏହି ମ୍ୟାଚରେ ମୁହାଁମୁହିଁ ହେବେ ଡିପେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ ।
୨୦୨୨ ଆଇପିଏଲ ପାଇଁ ଏଥର ସମସ୍ତ ଟିମର ନବକଳେବର ହୋଇଛି । ୪ଟି ଲେଖାଏଁ ଖେଳାଳିଙ୍କୁ ରିଟେନ ରଖି ଅନ୍ୟ ସମସ୍ତ ଖେଳାଳିଙ୍କୁ କିଣିଛନ୍ତି ଦଳ । ତେବେ ଯଦି ଆମେ ଚେନ୍ନାଇ ଓ କୋଲକାତା କଥା ଦେଖିବା ତେବେ ଏହି ଦୁଇ ଦଳ ଏଥର ବେଶ ଶକ୍ତିଶାଳୀ ରହିଛନ୍ତି । ଉଭୟ ଦଳର ଅଧିନାୟକ ମଧ୍ୟ ପରିବର୍ତ୍ତନ ହୋଇଛି । ଶ୍ରେୟାସ ଆୟର କୋଲକାତାର ଅଧିନାୟକ ହୋଇଥିବା ବେଳେ, ମହେନ୍ଦ୍ର ସିଂ ଧୋନିଙ୍କ ପରେ ରବିନ୍ଦ୍ର ଜାଡେଜା ବର୍ତ୍ତମାନ ଚେନ୍ନାଇର ମଙ୍ଗ ଧରିଛନ୍ତି ।
ଗୋଟିଏ ପଟେ କୋଲକାତାରେ ଭେଙ୍କଟେଶ ଆୟର, ଆନନ୍ଦ୍ରେ ରସେଲ, ନୀତିଶ ରାଣା, ସୁନୀଲ ନାରିନ ଓ ଶ୍ରେୟାସ ଆୟରଙ୍କ ଭଳି ଖେଳାଳି ରହିଥିବା ବେଳେ, ସେପଟେ ଚେନ୍ନାଇରେ ଋତୁରାଜ ଗାଏକ୍ୱାର୍ଡ, ମୋଇନ ଅଲ୍ଲୀ, ଧୋନୀ, ଜାଡେଜା ଓ ବ୍ରାଭୋଙ୍କ ଭଳି ଖେଳାଳି ରହିଛନ୍ତି ।
ପୂରା ଆଇପିଏଲର ରେକର୍ଡ ଉପରେ ନଜର ପକାଇଲେ ଏଥିରେ ଚେନ୍ନାଇର ପଲ୍ଲା ଭାରି ରହିଛି । ଦୁହିଁଙ୍କ ମଧ୍ୟରେ ଖେଳାଯାଇଥିବା ୨୬ଟି ମ୍ୟାଚରୁ ଚେନ୍ନାଇ ୧୭ଟି ମ୍ୟାଚ ଜିତିଥିବା ବେଳେ କୋଲକାତା ୮ଟି ମ୍ୟାଚ ଜିତିଛି । ସେହିପରି ୧ଟିଏ ମ୍ୟାଚର ଫଳାଫଳ ଆସିନାହିଁ । ୨୦୨୧ ଆଇପିଏଲରେ କୋଲକାତା ବିପକ୍ଷରେ ଚେନ୍ନାଇ ୩ଟି ମ୍ୟାଚ ଖେଳି ୩ଟିରେ ବିଜୟୀ ହୋଇଥିଲା । ତେବେ ଏଥର ନୂଆ ଅଧିନାୟକ ଶ୍ରେୟାସ ଚେନ୍ନାଇ ବିପକ୍ଷରେ କେତେ ସଫଳ ହେଉଛନ୍ତି ତାହା ଉପରେ ରହିଛି ସମସ୍ତଙ୍କ ନଜର ।
ଗତ ବର୍ଷ ଆଇପିଏଲରେ ଚେନ୍ନାଇ ପକ୍ଷରୁ ଋତୁରାଜ ଗାଏକ୍ୱାର୍ଡ ପ୍ରଭାବୀ ପ୍ରଦର୍ଶନ କରି ଦଳକୁ ସଫଳତା ଦେଇଥିଲେ । ପୂରା ସିଜିନରେ ସର୍ବାଧିକ ରନ କରି ଅରେଞ୍ଜ କ୍ୟାପ ହୋଲ୍ଡର ମଧ୍ୟ ହୋଇଥିଲେ । ସେହିପରି ଏଥର ନୂଆ କରି ଦଳରେ ସାମିଲ ହୋଇଥିବା ଡେଭନ କନୱେ, ଆଡାମ ମିଲାନ ଓ କ୍ରିସ ଜୋର୍ଡାନଙ୍କ ଉପରେ ଦଳ ଭରସା କରିଛି । ଦଳର ଓପନିଂ ଦାୟିତ୍ୱ ଗାଏକ୍ୱାର୍ଡ ଓ କନୱେଙ୍କ ଉପରେ ରହିବ ବୋଲି କୁହାଯାଉଛି । ସେହିପରି ବୋଲିଂ ଦାୟିତ୍ୱ ଦିପକ ଚହର ଓ ଆଡାମ ମିଲାନ ସମ୍ଭାଳିପାରନ୍ତି ।
ସେହିପରି କୋଲକାତା ପାଇଁ ଗତ ବର୍ଷ ଭେଙ୍କଟେଶ ଆୟର ଦମଦାର ପ୍ରଦର୍ଶନ କରିଥିଲେ । ଫଳରେ ଦଳ ଶେଷ ମୁହୂର୍ତ୍ତରେ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିଲା । ତେଣୁ ଏଥର ଦଳ ପାଇଁ ଲକି ସାବ୍ୟସ୍ତ ହୋଇପାରନ୍ତି ଭେଙ୍କଟେଶ । ଏହାସହ ଦଳର ଅଧିନାୟକ ଦାୟିତ୍ୱ ଶ୍ରେୟାସ ଆୟର ସମ୍ଭାଳୁଥିବାରୁ ତାଙ୍କ ଉପରେ ଭରସା କରିଛି ଦଳ। ତେବେ ଆଜିର ପ୍ରଥମ ମ୍ୟାଚ ସନ୍ଧ୍ୟା ୭ଟା ୩୦ ସମୟରେ ଆରମ୍ଭ ହେବ। ତେବେ ପୂରା ନବକଳେବର ସହ ଏଥର ମୈଦାନକୁ ଓହ୍ଲାଇବେ ଦୁଇ ଦଳ, ଆଉ ପ୍ରଥମ ମ୍ୟାଚରେ କିଏ ମାରିବ ବାଜି ତାହା ଦେଖିବା ବାକି ରହିଲା।