ଭଉଣୀଟିଏ ନିଜର ସୁରକ୍ଷା ପାଇଁ ଭାଇକୁ ରାଖୀ ବାନ୍ଧିଥାଏ । ଭାଇ ମଧ୍ୟ ଭଉଣୀର ସୁରକ୍ଷା ପାଇଁ ବଚନବଦ୍ଧ ରହେ, ପ୍ରତିଜ୍ଞା କରିଥାଏ । ହେଲେ ସୁରକ୍ଷା ଦେବା ଭାଇ ଯେ ନିଜ ଭଉଣୀର ମହତ ମାଟିରେ ମିଶାଇବାକୁ ପ୍ରୟାସ କରେ ତାହା କେବଳ ଲଜ୍ଜାଜନକ ଘଟଣା ନୁହେଁ ବରଂ କଳ୍ପନାତୀତ ମଧ୍ୟ । ତେବେ ଏମିତି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର ଆଜମଗଡ଼ରୁ । ଜଣେ ଭାଇ ନିଜ ଭଉଣୀ ସହିତ ବଳାତ୍କାର କରିବାକୁ ଚେଷ୍ଟା କରିଥିଲାବେଳେ ଘଟଣା ସାମ୍ନାକୁ ଆସିବା ପରେ ସେ ହତ୍ୟା କରିଥିଲା ଭଉଣୀର ।
ମିଳିଥିବା ସୂଚନା ଅନୁସାରେ ଏହି ମାମଲା ଆଜମଗଡ଼ର ଗମ୍ଭୀରପୁର ଥାନାର ଅନ୍ତର୍ଗତ ଅଞ୍ଚଳର । ଘଟଣା ସମୟରେ ଘରେ କେହି ନଥିଲେ । ଭଉଣୀକୁ ଏକାକୀ ଦେଖି ଭାଇ ମନରେ ବିକୃତି ଆସିଲା । ସେ ନିଜ ଭଉଣୀକୁ ବଳାତ୍କାର କରିବାକୁ ଚେଷ୍ଟା କରିବା ଆରମ୍ଭ କରିଦେଲା । ଏଭଳି ପରିସ୍ଥିତିରେ ଭଉଣୀ ଯେତେବେଳେ କହିଛି ସେ ଏହି ଘଟଣା ବିଷୟରେ ଘରଲୋକଙ୍କୁ କହିଦେବ, ଅଭିଯୁକ୍ତ ଭାଇ ନିଜ ଭଉଣୀକୁ ଲୁହା ରଡ଼ରେ ବାଡ଼େଇ ଆହତ କରିଦେଲା । ସେତିକିରେ ମନ ବୁଝିଲାନି ଯେ ଶେଷରେ ତା ଗଳା କାଟି ହତ୍ୟା କରିଦେଲା । ଏହାପରେ ଭଉଣୀର ମୃତଦେହକୁ ଡିଭାନ୍ ଖଟରେ ଲୁଚେଇ ପଳାଇଗଲା ।
ଏହାପରେ ବାପା ପୋଲିସ ନିକଟରେ ଏକ ରିପୋର୍ଟ ଦାଖଲ କରିଥିଲେ । ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତକୁ ପଚରାଉଚରା କରିଥିଲା । ଯେତେବେଳେ ପୋଲିସ ଚାପ ପକାଇଲା, ଅଭିଯୁକ୍ତ ଭାଇ ସବୁ ଘଟଣା କହିବା ସହିତ ନିଜ ଅପରାଧ ସ୍ଵୀକାର ବି କରିଥିଲା । ଏହାପରେ ମୃତଦେହ ଉଦ୍ଧାର କରାଯାଇଥିଲା । ବାପାଙ୍କ ଅଭିଯୋଗ କ୍ରମେ ପୁଅ ବିରୋଧରେ ମାମଲା ରୁଜୁ ହୋଇଛି ଏବଂ ପୋଲିସ ତାକୁ ଜେଲକୁ ପଠାଇ ଦେଇଛି ।