ସଂସ୍କାର , ବ୍ୟୁରୋ (୮/୦୭):- ଭୁବନେଶ୍ୱରୀ ଯୁବତୀଙ୍କ ଚାଲାକ୍ ପଣିଆ। ଦିନ ଆଲୁଅରେ ଦୋକାନୀ ମୁହଁରେ କଳା ପଟି ବାନ୍ଧି ଫୋନ ଲୁଟିଲେ ଯୁବତୀ । ସେ ପୁଣି ଦଶ କି କୋଡିଏ ହଜାର ଟଙ୍କିଆ ମୋବାଇଲ ନୁହଁ, ଲୁଟିନେଲେ ଲକ୍ଷେ ଚାଳିଶି ହଜାର ଟଙ୍କିଆ ମୋବାଇଲ।
ପ୍ରଥମେ ଯୁବତୀ ଜଣଙ୍କ ଦୋକାନ ଭିତରକୁ ପଶିଲେ, ମୋବାଇଲ ବି ଚଏସ୍ କଲେ। ତା’ପରେ ପଇସା ଦେବା ବେଳକୁ ବାହାନା ଦେଖାଇଲେ । ଦୋକାନୀ ମାଲିକଙ୍କୁ କହିଲେ ମୋର ଏଟିଏମ୍ କାର୍ଡ କାମ ଦେଉନି ଘରକୁ ଆସନ୍ତୁ ବାପାଙ୍କୁ ମାଗି ଦେଇଦେବି।
ଏପଟେ ଯୁବତୀ ଜଣଙ୍କ ହାବଭାବରୁ ଦୋକାନୀଙ୍କୁ ଜଣାପଡୁଥିଲା ଯେ , ଏହି ଯୁବତୀ ଜଣକ କୌଣସି ଏକ ସମ୍ଭ୍ରାନ୍ତ ପରିବାରର ହୋଇଥିବେ। ତେଣୁ ଦୋକାନର ମାଲିକ ଯୁବତୀଙ୍କ କଥାକୁ ବିଶ୍ୱାସ କରି ନିଜ ଦୋକାନରେ କାମ କରୁଥିବା ଏକ ପିଲାକୁ ଲକ୍ଷେ ଚାଳିଶି ହଜାର ଟଙ୍କା ଆଣିବା ପାଇଁ ସେହି ଯୁବତୀଙ୍କ ସହ ପଠାଇଲେ ।
ମାତ୍ର ଅଧବାଟରେ ଆସିଲା ବଲିଉଡ ସିନେମା ପରି କାହାଣୀରେ ଟ୍ବିଇଷ୍ଟ। ସ୍କୁଟିରେ ପେଟ୍ରୋଲ ପକାଇବାର ବାହାନା କରି ଅଧାବାଟରେ ଦୋକାନର ପିଲାକୁ ଛାଡି କୁଆଡେ ଉଭାନ ହୋଇଗଲେ ଯୁବତୀ।
ଏପଟେ ଦୋକାନରେ ମୋବାଇଲ ନ ଥାଇ ମଧ୍ୟ ଆଉ ଏକ ଦୋକାନରୁ ଏହି ଲକ୍ଷେ ଚାଳିଶି ହଜାର ଟଙ୍କିଆ ମୋବାଇଲ ମଗାଇଥିବା ଦୋକାନ ବାବୁ ଜଣଙ୍କ ମୁଣ୍ଡରେ ପଡିଲା ଚଡକ। ସେ ସଙ୍ଗେ ସଙ୍ଗେ ସିସିଟିଭି କ୍ୟାମେରା ରେ କୟଦ ହୋଇଥିବା ସେହି ସମୟର ଭିଡ଼ିଓକୁ ନେଇ ପହଂଚିଲେ ଥାନାରେ।
ଏହିପରି ଏକ କୌତୁକିଆ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱର ର ସହିଦନଗର ଥାନା ଅଞ୍ଚଳରେ।
ତେବେ ସିସିଟିଭି ଫୁଟେଜ୍ କୁ ସାକ୍ଷୀ ମାନି ସହିଦନଗର ପୋଲିସ ଯୁବତୀଙ୍କୁ ପୋଲିସ ଥାନାକୁ ଡାକି ଘଟଣା ବାବଦରେ ପଚରାଉଚରା କରିଥିଲା।
ମାତ୍ର ପରବର୍ତ୍ତୀ ସମୟରେ ଏହା ଜଣାପଡିଛି ଯେ ଏହି ଯୁବତୀ ଜଣକଙ୍କ ଟିକେ ମୁଣ୍ଡ ଦୋଷ ରହିଛି। ଯାହାକି ଏହି ଯୁବତୀଙ୍କ ସାନ ଭଉଣୀ ପୋଲିସ ଆଗରେ ସଫେଇ ଦେଇଛନ୍ତି। ଯୁବତୀଙ୍କ ମାଆ ମଧ୍ୟ ଏହିପରି ନିଜର ସ୍ମରଣ ଶକ୍ତି ହରାଇଛନ୍ତି ବୋଲି ଯୁବତୀଙ୍କ ସାନ ଭଉଣୀ ପୋଲିସକୁ କହିଛନ୍ତି।
ତେବେ ଦୋକାନୀ ଜଣକ ନିଜର ଟଙ୍କା ଫେରି ପାଇଛନ୍ତି ବୋଲି ଯାହା ରାଜ୍ୟଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି।