ସଂସ୍କାର : ଆଗକୁ ଆସୁଛି ପାର୍ବଣର ପର୍ବ ଦଶହରା। ଆମେ ଜାଣିଛେ ଯେ, ଦଶହରା ପାଇଁ କଟକ ପ୍ରସିଦ୍ଧ। ତେବେ ଚଳିତ ବର୍ଷ ହେବାକୁ ଥିବା ଦଶହରାରେ ମା’ ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତା ୪ ଫୁଟ ରଖିବା ପାଇଁ ରାଜ୍ୟ ସରକାର ଗାଇଡଲାଇନ୍ ଆଣିଥିଲେ। ତେବେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିରେ ସନ୍ତୁଷ୍ଟ ନ ହୋଇ କଟକ ସମେତ ରାଜ୍ୟର କେତେକ ଦୁର୍ଗା ପୂଜା ଅନୁଷ୍ଠାନ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଆଉ ଏହି ବିବାଦର ରାୟ ଆଜି ଶୁଣାଇଛନ୍ତି ହାଇକୋର୍ଟ।

ଦଶହରାରେ ମା’ଙ୍କ ମୂର୍ତ୍ତି ଉଚ୍ଚତା ବିବାଦର ରାୟ ଆଜି ପ୍ରକାଶ ପାଇଛି। ମୂର୍ତ୍ତି ଉଚ୍ଚତା ବୃଦ୍ଧିକୁ ନେଇ ହୋଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ସରକାରୀ ନିୟମରେ ପରିବର୍ତ୍ତନ ହେବ ନାହିଁ ବୋଲି ସିଧାସଳଖ କହିଛନ୍ତି ହାଇକୋର୍ଟ। ମୂର୍ତ୍ତି ଉଚ୍ଚତା ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ୪ ଫୁଟ ରହିବ ବୋଲି ଆଜି ସ୍ପଷ୍ଟ କରିଛନ୍ତି ହାଇକୋର୍ଟ।
କଟକ ବାଲୁବଜାର ପୂଜା କମିଟି ପକ୍ଷରୁ ମା’ଙ୍କ ମୂର୍ତ୍ତି ଉଚ୍ଚତା ବୃଦ୍ଧି ନେଇ ହାଇକୋର୍ଟରେ ଆବେଦନ କରାଯାଇଥିଲା। ଗୁରୁବାର ମାମଲା ଶୁଣାଣି କରି ଉଚ୍ଚତା କମ୍ କଲେ କ’ଣ ସମସ୍ୟା ଉପୁଜିବ ବୋଲି ପ୍ରଶ୍ନ କରିଥିଲେ ହାଇକୋର୍ଟ। ହେଲେ ଆବେଦନକାରୀଙ୍କ ଓକିଲ ଏହା ଭାବାବେଗର କଥା ବୋଲି କୋର୍ଟରେ ନିଜର ଯୁକ୍ତି ବାଢ଼ିଥିଲେ।
ଏ ନିୟମ କେବଳ କଟକ ପାଇଁ ନୁହେଁ ସାରା ଓଡ଼ିଶା ପାଇଁ। ନିୟମ ପରିବର୍ତ୍ତନ ହେଲେ ସାରା ଓଡ଼ିଶା ପାଇଁ ପରିବର୍ତ୍ତନ କରିବାକୁ ପଡ଼ିବ ବୋଲି ସରକାରୀ ଓକିଲ କହିଛନ୍ତି। ସରକାର ରାଜ୍ୟରେ କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି କହିଥିଲେ ସରକାରୀ ଓକିଲ। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ମୂର୍ତ୍ତି ଉଚ୍ଚତା ବୃଦ୍ଧିକୁ ନେଇ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ। ଆଉ ସରକାରଙ୍କ ନିୟମ ତଥା ଗାଇଡଲାଇନକୁ ମାନି ମା’ ଦୁର୍ଗାଙ୍କ ପୂଜା କରିବାକୁ ହାଇକୋର୍ଟ କହିଛନ୍ତି।