ପୂଜା ପାର୍ବଣରେ ଆସୁଛି ଆଉ ଏକ ବାତ୍ୟା , ସତର୍କ ସୂଚନା ଦେଲା ପାଣିପାଗ ବିଭାଗ

ସଂସ୍କାର : ନିକଟରେ ଓଡିଶା ଆଉ ଆନ୍ଧ୍ରକୁ ଛୁଇଁଥିଲା ବାତ୍ୟା ଗୁଲାବ। ତେବେ ଗୁଲାବ୍ ର କ୍ଷୟକ୍ଷତି ଭରଣା ନ ହେଉଣୁ ଆସୁଛି ଆଉ ଏକ ବାତ୍ୟା। ଓଡ଼ିଶାର ଉପକୂଳରେ ଗୁଲାବ ଯାଉଯାଉ ଆଉ ଏକ ବାତ୍ୟା ଓଡ଼ିଶା ମୁହାଁ ହେବା ଆଶଙ୍କା ସୃଷ୍ଟି ହୋଇଛି। ଅକ୍ଟୋବର ୧୦ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ପରବର୍ତ୍ତୀ ସମୟରେ ଘନୀଭୂତ ହୋଇ ଗଭୀର ଅବପାତ ଓ ପରେ ସାମୁଦ୍ରିକ ଘୂର୍ଣ୍ଣିଝଡ଼ର ରୂପ ନେଇପାରେ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି। ଆଉ ଏହାକୁ ଦୃଷ୍ଟିରେ ରଖି ସତର୍କ ସୂଚନା ମଧ୍ୟ ପ୍ରଦାନ କରିଛନ୍ତି।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସମ୍ପ୍ରତି ସମୁଦ୍ର ପୃଷ୍ଠରେ ବାତ୍ୟା ଅନୁକୂଳ ପରିସ୍ଥିତି ରହିଛି ଏବଂ ଘନୀଭୂତ ଅବପାତ ବାତ୍ୟା ରୂପ ନେଇ ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଉପକୂଳରେ ଆଘାତ ଦେବାର ଆଶଙ୍କା ସୃଷ୍ଟି କରିଛି। ଯାହାଦ୍ବାରା ରାଜ୍ୟ ପାଇଁ ଅକ୍ଟୋବର ପୁଣିଥରେ ଅଶୁଭ ସାବ୍ୟସ୍ତ ହୋଇପାରେ ବୋଲି ଆକଳନ କରାଯାଉଛି। ସମ୍ଭାବ୍ୟ ବାତ୍ୟା ୧୨ ରାତି କିମ୍ବା ୧୩ ତାରିଖ ସକାଳ ସମୟରେ ଉପକୂଳ ଅତିକ୍ରମ କରିପାରେ ବୋଲି ବିଭିନ୍ନ ମଡେଲ୍ ଆକଳନ କରୁଛନ୍ତି । ପ୍ରାଥମିକ ଆକଳନ ଅନୁସାରେ ଏହି ସାମୁଦ୍ରିକ ଝଡ଼ ଗୋପାଳପୁର-ପୁରୀ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ଆଶଙ୍କା ରହିଛି।

ଅନୁରୂପ ଭାବରେ ଗତ ୩୦ ସେପ୍ଟେମ୍ବରରେ ଭାରତୀୟ ପାଣିପାଗ ବିଭାଗର ବିସ୍ତାରିତ ପରିସର ଆକଳନରେ ମଧ୍ୟ ଅକ୍ଟୋବର ହିତୀୟ ସପ୍ତାହର ପ୍ରଥମାର୍ଦ୍ଧରେ ଗୋଟିଏ ଲଘୁଚାପ କ୍ଷେତ୍ରର ପୂର୍ବନୁମାନ କରାଯାଇ ସାରିଛି।ସମ୍ଭାବ୍ୟ ବାତ୍ୟାଟି ମଧ୍ୟ ୧୧ ରୁ ୧୩ ଅକ୍ଟୋବର ମଧ୍ୟରେ ଓଡ଼ିଶା ଉପକୂଳରେ ପହଞ୍ଚିବାର ଆଶଙ୍କା ରହିଛି।

ଅନ୍ୟପଟେ ମୌସୁମୀ ଅପସାରଣ ପରେ ବାତ୍ୟାଗୁଡ଼ିକ ସାଧାରଣତଃ ଅଧିକ ଶକ୍ତିଶାଳୀ ହୋଇଥାଏ। ଆସନ୍ତା ୬ ତାରିଖଠାରୁ ଦେଶରେ ମୌସୁମୀ ଅପସାରଣ ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ଯାହାଦ୍ବାରା ସମ୍ଭାବ୍ୟ ବାତ୍ୟା ସୃଷ୍ଟି ହେଲେ ଏହାର ତୀବ୍ରତା ଓ ଗତିପଥକୁ ନେଇ ଭୟ ଆରମ୍ଭ ହୋଇଛି। ଅନ୍ୟପଟେ ‘ଗୁଲାବ’ ସୃଷ୍ଟି ହେବା ନେଇ ବିଭିନ୍ନ ବିଦେଶୀ ସଂସ୍ଥା ବହୁ ଆଗରୁ ପୂର୍ବାନୁମାନ କରିଥିଲେ। ଅନ୍ତିମ ମୂହୁର୍ତ୍ତରେ ଆଇଏମଡି ପକ୍ଷରୁ ବାତ୍ୟା ସମ୍ପର୍କରେ ସୂଚନା ଦିଆଯାଇଥିଲା। ତେଣୁ ଏହି କ୍ଷେତ୍ରରେ ମଧ୍ୟ ବିଦେଶୀ ଓ ଭାରତୀୟ ମଡେଲକୁ ପାଣିପାଗ ବିଜ୍ଞାନୀମାନେ ଗୁରୁତର ସହ ନେଇ ଘଟଣା ଉପରେ ନଜର ରଖୁଛନ୍ତି ।

Leave a Reply

Your email address will not be published. Required fields are marked *