ଏକା ସାଙ୍ଗରେ ୫ ଝିଅଙ୍କୁ ଧରି କୂଅକୁ ଡେଇଁପଡିଲା ଜନ୍ମକଲା ମାଆ…

ସଂସ୍କାର : ଘରୋଇ କଳହ ଯେ, ଭବିଷ୍ୟତରେ କେତେ ଭୟଙ୍କର କରାଳ ରୂପ ନିଏ ତାହା ବର୍ତ୍ତମାନ ଦେଖିବାକୁ ମିଳିଛି। ଘରୋଇ କଳହ ଯୋଗୁଁ ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ଯାହାକୁ ପଢିଲେ ଆପଣ ତାଜୁବ ହୋଇଯିବେ। ପାରିବାରିକ କଳହ​‌ରେ ଅତିଷ୍ଠ ହୋଇ ଜଣେ ମହିଳା ତାଙ୍କର ୫ ଜଣ ଝିଅଙ୍କୁ ଧରି ଏକା ସାଙ୍ଗରେ କୂଅରେ ଡେଇଁପଡିବା ଭଳି ଅଭାବନୀୟ ଘଟଣା ଘଟିଛି । ରାଜସ୍ଥାନର କୋଟା ଜିଲ୍ଲାର ଏକ ଗାଁରେ ଏଭଳି ଘଟଣା ସମସ୍ତଙ୍କୁ ମର୍ମାହତ କରିଛି ।

ମିଳିଥିବା ସୂଚନା ଅନୁସାରେ, କୋଟାର କାଲିୟାଖେଡୀରେ ଏଭଳି ମର୍ମନ୍ତୁଦ ଘଟଣା ଘଟିଛି । ଶିବଲାଲ ନାମକ ଜଣେ ବ୍ୟକ୍ତିଙ୍କ ସହ ପତ୍ନୀ ବାଦାମୀ ଦେବୀଙ୍କ ପ୍ରତିଦିନ କୌଣସି ନା କୌଣସି କାରଣକୁ ନେଇ ଝଗଡା ହେଉଥିଲା । ଏଥିରେ ବିବ୍ରତ ହୋଇ ନିଜ ଜୀବନ ଶେଷ କରିଦେବାକୁ ନିଷ୍ପତ୍ତି ନେଇଥିଲେ ବାଦାମୀ ଦେବୀ। ତାଙ୍କ ସ୍ବାମୀ ଶିବପାଲ କହିବା ମୁତାବକ, ଘଟଣା ଦିନ ଅପରାହ୍ନ ୧୨ଟା ସମୟରେ ସେ କୌଣସି କାମରେ ବାହାରକୁ ଯାଇଥିଲେ । ସନ୍ଧ୍ୟା ସୁଦ୍ଧା ମଧ୍ୟ ଘରକୁ ଫେରିନଥିଲେ । ସେହିଦିନ ରାତିରେ ହିଁ ତାଙ୍କ ପତ୍ନୀ ବାଦାମୀ ଦେବୀ ୫ ଝିଅଙ୍କୁ ଧରି କୂଅ​‌କୁ ଡେଇଁ ଆତ୍ମହତ୍ୟା କରିଦେଇଥିଲେ ।

ରାତିରେ ଶିବପାଲ ଘରକୁ ଫେରି ଦେଖନ୍ତି ତ କେହି ନଥିଲେ । ପରେ ସନ୍ଦେହ ହେବାରୁ ଘର ପଛପଟେ ଥିବା କୂଅରେ ଦେଖିଥିଲେ । କୂଅ ଭିତରେ ୬ ଜଣଙ୍କ ମୃତ ଦେହ ଭାସୁଥିଲା । ପରେ ସେ ତୁରନ୍ତ ପୋଲିସକୁ ଫୋନ କରି ଡକାଇଥିଲେ । ପୋଲିସର ଏକ ଟିମ ସେଠାରେ ପହଞ୍ଚି ଶବଗୁଡିକୁ କୂଅରୁ ବାହାର କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି । ଶନିବାର ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଘରୋଇ କଳହରୁ ହିଁ ଏଭଳି ଘଟଣା ଘଟିଥିବା ପୋଲିସ କହୁଥିବା ବେଳେ ସ୍ବାମୀ ଶିବପାଲକୁ ଅଟକ ରଖିଛି ପୋଲିସ । ସେପଟେ ଏଭଳି ଅଭାବନୀୟ ଘଟଣା ପରେ ସ୍ତବ୍ଧ ହୋଇଯାଇଛି ପୁରା ଗାଁ । ପୋଲିସ ଘଟଣାର ଅଧିନ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *