ନବ ବିବାହିତ ମହିଳାଙ୍କୁ ହତ୍ୟା କରି ଫ୍ୟାନରେ ଟାଙ୍ଗି ଦେଲେ ଶାଶୁଘର ଲୋକେ….

ସଂସ୍କାର : ନୂଆ ନୂଆ ହୋଇଥିଲା ବିବାହ। ଜଣେ ଜଣଙ୍କୁ ମନ ଦେଇ କରିଥିଲେ ପ୍ରେମ ବିବାହ। ଜଣେ ଯୁବତୀ ଚଳିତବର୍ଷ ଏପ୍ରିଲ ମାସରେ କରିଥିଲେ ପ୍ରେମ ବିବାହ। କିନ୍ତୁ ମାସ କେଇଟା ନ ହେଉଣୁ ଶାଶୁଘର ଲୋକେ ତାଙ୍କୁ ହତ୍ୟା କରିଥିବାର ଅଭିଯୋଗ ହୋଇଛି।

ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଣିଜରା ଗ୍ରାମରେ। ଏହି ଗ୍ରାମର ଜଣେ ବୋହୂଙ୍କୁ ତାଙ୍କ ଶାଶୁଘର ଲୋକ ହତ୍ୟା କରି ଘରେ ଫ୍ୟାନରେ ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଜୁନାଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପଂହଁଚି ଜଣେ ନବ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ମୃତା ମହିଳାଙ୍କ ନାମ ହେଲା ପଦ୍ମିନୀ ରାଉତ। ଯାହାଙ୍କର ବୟସ ୧୮ ବର୍ଷ ବୋଲି ଜଣାପଡିଛି। ଏପଟେ ଝିଅକୁ ହତ୍ୟା କରାଯାଇଥିବା ନେଇ ପଦ୍ମିନୀଙ୍କ ବାପା, ଜ୍ୱାଇଁଙ୍କ ପରିବାର ଲୋକଙ୍କ ନାମରେ ଜୁନାଗଡ଼ ଥାନାରେ ଏତଲା ଦେଇଛନ୍ତି।

ଅଭିଯୋଗ ଅନୁଯାୟୀ, ଗତ ଏପ୍ରିଲ ୨୭ ତାରିଖରେ ବଣିଜରା ଗ୍ରାମର ଜନ୍ମେଜୟ ମାଝୀ ବେଲପଡାର ଜୟରାମ ରାଉତଙ୍କ ଝିଅ ପଦ୍ମିନୀଙ୍କୁ ପ୍ରେମ ବିବାହ କରିଥିଲେ। ଶନିବାର ଜନ୍ମେଜୟ ତାର ଶଳା ଲଛମନଙ୍କୁ ଫୋନ କରି ଭଉଣୀ ପଦ୍ମିନୀଙ୍କ ମୃତ୍ୟୁ ହୋଇଥିବା କହିଥିଲେ। ତେବେ ଖବର ପାଇ ପଦ୍ମିନୀଙ୍କ ବାପ ଘର ଲୋକେ ଝିଅର ଶାଶୁଘରକୁ ଧାଇଁ ଆସିଥିଲେ।

ଅନ୍ୟପଟେ ଶାଶୁଘର ଲୋକେ ପଦ୍ମିନୀଙ୍କୁ ମାରି ଘରେ ଟାଙ୍ଗି ଦେଇଥିବା ତାଙ୍କ ପଦ୍ମିନୀଙ୍କ ବାପା ଅଭିଯୋଗ କରିଛନ୍ତି। ଆଉ ଅଭିଯୋଗକୁ ଆଧାର କରି ପୋଲିସ୍ ଅଧିକ ତଦନ୍ତ କରୁଛି। ଅପରପକ୍ଷରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଜୁନାଗଡ଼ ତହସିଲଦାର ବେଦବ୍ୟାସ ଭୋଇ, ଜୁନାଗଡ଼ ଭାରପ୍ରାପ୍ତ ଥାନା ଅଧିକାରୀ ଉତ୍ତମ କୁମାର ସାହୁଙ୍କ ଉପସ୍ଥିତିରେ ମହିଳାଙ୍କ ମୃତଦେହ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଏ ସଂକ୍ରାନ୍ତରେ ଜୁନାଗଡ ଥାନାରେ ଏକ ମାମଲା (ନଂ.୩୧୮/୨୧) ରୁଜୁ ହୋଇଛି। ଏହି ଘଟଣାରେ ମୃତା ମହିଳାଙ୍କ ସ୍ବାମୀ ଜନ୍ମେଜୟଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରାଯାଉଥିବା ଥାନା ଅଧିକାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *