ସମ୍ବଲପୁର : ବର୍ତ୍ତମାନ ସମସ୍ତଙ୍କୁ ତାଯୁବ କରିଛି ସମ୍ବଲପୁର-ଚାଉଁରପୁର ମହାନଦୀ ବ୍ରିଜ୍ ଅଘଟଣ । ସୂଚନା ଅନୁସାରେ ଜଣେ ମହିଳା ତାଙ୍କ ଝିଅ କୁ ଧରି ବ୍ରିଜରୁ ତଳକୁ ଡେଇଁପଡ଼ିଛନ୍ତି ବୋଲି ସନ୍ଦେହ କରା ଯାଉଛି । କାରଣ ଏବେ ଯାଏଁ ମା-ଝିଅ ନିଖୋଜ ଥିବାବେଳେ ମହାନଦୀ ବ୍ରିଜ ଉପରେ ସ୍କୁଟି ଏବଂ ମୋବାଇଲ ଫୋନ ମିଳିଛି । ନିଖୋଜ ମହିଳା ହେଲେ ସମ୍ବଲପୁର ଜିଲ୍ଲା ଧମା ଥାନା ଧମାର ପୂଜା ଅଗ୍ରୱାଲ(୨୯) ଓ ଝିଅ ସୁମି(୩) ।
ନିଖୋଜ ମହିଳା ହେଲେ ସରୋଜ ଅଗ୍ରୱାଲଙ୍କ ଝିଅ ପୂଜା କଳାହାଣ୍ଡି ଜିଲ୍ଲା କେସିଙ୍ଗାସ୍ଥିତ ଶକ୍ତି ଏଣ୍ଟରପ୍ରାଇଜେସ୍ ମାଲିକ ବରୁଣ ଅଗ୍ରୱାଲଙ୍କୁ ୪ ବର୍ଷ ତଳେ ବିବାହ କରିଥିଲେ । ବର୍ତମାନ ପରିବାର କଳହ ଯୋଗୁଁ ସେ କୁଆଡେ ଚାଲି ଯାଇଛନ୍ତି କିମ୍ବା ବ୍ରିଜ ଉପରୁ ଝିଅ ସହ ଡେଇଁ ଆତ୍ମହତ୍ୟା କରିଛନ୍ତି ବୋଲି ଆଶଙ୍କା କରାଯାଉଛି ।
ଏହି ଘଟଣା ସମ୍ପର୍କରେ ପୋଲିସ ପରିବାର ସହ ଯୋଗାଯୋଗ କରିବା ପରେ ମାଁ ଏବଂ ଝିଅ ଘରୁ ବାହାରି ଆଉ ଫେରିନଥିବା ଜଣାପଡ଼ିଥିଲା । ତେବେ ସେ ଯଦି କୁଆଡେ ଯିବାର ମନଭାଵ ରଖିଥିଲେ ତେବେ ବ୍ରିଜ ଉପରେ ସ୍କୁଟି କୁ ରଖିଥିଲେ କଣ ପାଇଁ ? ଏହି ସବୁ ପ୍ରଶ୍ନ କୁ ନେଇ ପୋଲିସ ଏକ ନିଖୋଜ ମାମଲା ରୁଜୁ କରିଛି ।
ଏହି ଘଟଣା ଦିନ 12 ଟାରେ ହୋଇଥିଲା ବେଳେ ସନ୍ଧ୍ୟା ୫ଟା ପରେ ଅଗ୍ନିଶମ ବିଭାଗ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ମଧ୍ୟ ଆରମ୍ଭ କରିଥିଲା । ମାତ୍ର ଏବେ ଯାଏଁ କାହାରି ମଧ୍ୟ ଶବ ମିଳି ନାହିଁ ।