୧୫ ବର୍ଷୀୟ ବାଳକ ଜ୍ୟାେତିପ୍ରକାଶଙ୍କ ମୃତ ପରେ ଚେତା ପଶିଲା କି ସରକାରଙ୍କର ! ମୁକୁଳା ଡ୍ରେନ୍ ପାଇଁ କଲେ ବଡ ଘୋଷଣା

ସଂସ୍କାର : ଗତ ୧୯ ତାରିଖରେ ରାଜ୍ୟ ରାଜଧାନୀ ଭୁବନେଶ୍ବରର ଶତାଦ୍ଧୀ ନଗର ଡ୍ରେନ୍‌ରେ ୧୫ ବର୍ଷୀୟ ବାଳକ ଜ୍ୟାେତିପ୍ରକାଶ ପଡି ଭାସିଯାଇଥିଲେ। ଫଳରେ ତାଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହିନୀ ଆଉ ଅନେକ ଲୋକ ମିଶି ଡ୍ରେନରେ ଖୋଜିଥିଲେ। ତେବେ ଦୀର୍ଘ ୧୮ଘଣ୍ଟାର ଅକ୍ଲାନ୍ତ ଖୋଜାଖୋଜି ପରେ ଜ୍ୟାେତିପ୍ରକାଶଙ୍କ ମୃତ ଦେହ ଭୁବନେଶ୍ୱରର ପଞ୍ଚସଖା ନଗର ଡ୍ରେନ୍‌ରୁ ଠାବ କରାଯାଇଥିଲା। ତେବେ ଜ୍ୟୋତିଙ୍କ ମୃତ୍ୟୁ ପରେ ସରକାରଙ୍କୁ ଘେରିଛନ୍ତି ଉଭୟ ବିଜେପି ଆଉ କଂଗ୍ରେସ। ଅନ୍ୟପଟେ ବିଏମସିର କାର୍ଯ୍ୟଦକ୍ଷତା ଉପରେ ମଧ୍ୟ ରାଜଧାନୀବାସୀ ସମେତ ରାଜ୍ୟର ଅନେକ ସାଧାରଣ ଜନତା ପ୍ରଶ୍ନ ଉଠାଇଛନ୍ତି।

ଅନ୍ୟପକ୍ଷରେ ରାଜ୍ୟ ସରକାର ଜ୍ୟାେତିପ୍ରକାଶଙ୍କର ପରିବାରକୁ ୪ ଲକ୍ଷ ଟଙ୍କାର ଅର୍ଥରାଶି ଦେବାକୁ ଘୋଷଣା କରିଛନ୍ତି। ଯାହାକୁ ନେଇ ଏକ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। କାରଣ ଅନେକ ବିରୋଧୀ ନେତା ଆଉ ସାଧାରଣ ଜନତା ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ, କଣ ଜ୍ୟୋତିଙ୍କ ଜୀବନର ମୂଲ୍ୟ ୪ ଲକ୍ଷ ଟଙ୍କା। ଆହୁରି ମଧ୍ୟ ଜନତା ବିଏମସିର କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି। ଲୋକେ କହୁଛନ୍ତି ଯେ, ସରକାର ଯୋଜନା କରୁଛନ୍ତି କିନ୍ତୁ ବିଏମସି ଵାଲା ତାକୁ ନିଜ ପାଟି ଆଉ ପକେଟରେ ପକାଇ ଦେଉଛନ୍ତି।

ତେବେ ସବୁ ଦୁର୍ଘଟଣା ଘଟିବା ପରେ ଯେଭଳି ସରକାରଙ୍କର ଚେତା ପଶେ, ଠିକ ସେଭଳି ଜ୍ୟାେତିପ୍ରକାଶଙ୍କର କ୍ଷେତ୍ରରେ ମଧ୍ୟ ଦେଖାଦେଇଛି। ଆମେ ଏକପ୍ରକାରର କହିପାରିବା ଯେ, ଜ୍ୟାେତିଙ୍କ ମୃତ୍ୟୁ ପରେ ବିଜେଡି ସରକାରର ଚେତା ଆସିଛି। ରାଜ୍ୟ ରାଜଧାନୀ ସମେତ ରାଜ୍ୟରେ ଥିବା ସମସ୍ତ ମୁକୁଳା ଥିବା ଡ୍ରେନରେ ଘୋଡ଼ଣି ପକାଯିବ ବୋଲି ସରକାର ଘୋଷଣା କରିଛନ୍ତି। ଏହି କାର୍ଯ୍ୟ ଅତିଶୀଘ୍ର ଆରମ୍ଭ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି। କଟକ-ଭୁବେନଶ୍ବର ସମେତ ରାଜ୍ୟର ସବୁ ଜିଲ୍ଲାରେ ମୁକୁଳା ପଡ଼ିଥିବା ଡ୍ରେନ୍ ଉପରେ ସ୍ଲାବ୍ ପଡ଼ିବ । ଏହାସହ ଡ୍ରେନଗୁଡ଼ିକର ଡିଜାଇନ ମଧ୍ୟ ବଦଳାଯିବ ।

ଗତ ୨୧ ତାରିଖ ଦିନ ବିଧାନସଭାରେ ନଗର ଉନ୍ନୟନ ବିଭାଗର ଷ୍ଟାଣ୍ଡିଂ କମିଟି ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି । ଏଥିଲାଗି ୩ଶହ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଭୁବନେଶ୍ୱରରେ ଥିବା ଖୋଲା ଡ୍ରେନଗୁଡ଼ିକ ସହ ରାଜ୍ୟର ସମସ୍ତ ଜିଲ୍ଲାରେ ଥିବା ମୁକୁଳା ଡ୍ରେନ୍‌ରେ ସ୍ଲାବ୍‌ ପଡିବ। ଡ୍ରେନେଜ୍‌ ସମସ୍ୟା ସମାଧାନ ପାଇଁ ୩୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏନେଇ ବୈଠକ ପରେ ଗୃହ କମିଟି ଅଧ୍ୟକ୍ଷ ପ୍ରଫୁଲ୍ଲ ସାମଲ ପ୍ରତିକ୍ରିୟା ରଖି କହିଛନ୍ତି। ଏନେଇ ଆସନ୍ତା ୫ ତାରିଖରେ ଆଉ ଏକ ବୈଠକ ବସି ନିଷ୍ପତ୍ତି ନିଆଯିବ। ତେବେ ଆଜିର ବୈଠକରେ ନଗର ଉନ୍ନୟନ ସଚିବ ଜି. ମାଥିଭାତନ , ବିଧାୟକ ଅମର ଶତପଥୀ ଏବଂ ମହମ୍ମଦ ମୋକ୍କିମ ମଧ୍ୟ ଉପସ୍ଥିତ ଥିଲେ।

ତେବେ ପ୍ରଶ୍ନ ଉଠୁଛି ଏହା ଯେ, ଏହି ୩୦୦ କୋଟିର କାମ ଠିକ ଭାବରେ ହେବ ତ। ନା ଏହି ଉନ୍ନୟନ ମୂଳକ କାର୍ଯ୍ୟର ମଧ୍ୟ ବାଟମାରଣା ହେବ।

ସୂଚନାଯୋଗ୍ୟ ଯେ ଗତ ରବିବାର ଦିନ ଅପରାହ୍ନ ସମୟରେ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଥିଲା ।ବର୍ଷା ଛାଡିବା ପରେ ବରମୁଣ୍ଡା ଗାଁ ଢିପସାହିର ହୃଷୀକେଷ ବେହେରାଙ୍କ ପୁଅ ଜ୍ୟୋତିପ୍ରକାଶ ଓରଫ ରାଜା ଅପରାହ୍ଣ ପ୍ରାୟ ୨ଟା ବେଳେ ଘରୁ ବାହାରି ସଂସ୍କୃତ ଟ୍ୟୁସନ୍ ପାଇଁ ସୌଭାଗ୍ୟନଗର ଅଭିମୁଖେ ବାହାରିଥିଲେ। ବର୍ଷା ଛାଡ଼ି ସାରିଥିଲେ ବି ରାସ୍ତା ବୁଡ଼ି ଯାଇଥିବାରୁ ମା’ ଟ୍ୟୁସନ୍ ଯିବାକୁ ବାରଣ କରିଥିଲେ। କିନ୍ତୁ ଏକ ପ୍ରୋଜେକ୍ଟ କାମ ସାରି ସାଙ୍ଗେ ସାଙ୍ଗେ ଫେରିଆସିବ କହି ରାଜା ସାଇକେଲ ଧରି ଘରୁ ବାହାରି ଯାଇଥିଲେ। ମାତ୍ର ବାଟରେ ଯେ ମୁକୁଳା ଡ୍ରେନ୍ ମୃତ୍ୟୁ ଫାଶ ହୋଇ ବସିଛି ବୋଲି କେହି ଜାଣିପାରିନଥିଲେ।

ପ୍ରବଳ ବର୍ଷା ଯୋଗୁ ଡ୍ରେନ୍ ଓ ରାସ୍ତା କୃତ୍ରିମ ବନ୍ୟା ଯୋଗୁଁ ବୁଡ଼ି ଏକାକାର ହୋଇଯାଇଥିଲା। ତେଣୁ ରାଜା ବାଟ ଜାଣିନପାରି ଡ୍ରେନ୍ ରେ ପଶି ଯାଇଥିଲେ ଓ ଭାସି ଯାଇଥିଲେ। ଏହାପର ଠାରୁ ତାଙ୍କର ଆଉ କୌଣସି ପତ୍ତା ମିଳିନଥିଲା । ୧୮ ଘଣ୍ଟା ଧରି ଅଗ୍ନିଶମ ବାହିନୀର ଅକ୍ଲାନ୍ତ ପରିଶ୍ରମ ପରେ ବି ଜ୍ୟୋତିଙ୍କ କୌଣସି ପତ୍ତା ମିଳିନଥିଲା । ଶେଷରେ ସୋମବାର ସକାଳ ସମୟରେ ଭୁବନେଶ୍ୱର ପଞ୍ଚସଖା ନଗରରେ ଥିବା ଏକ ନାଳ ନିକଟରେ ଜ୍ୟୋତିଙ୍କ ମୃତଦେହ ଠାବ ହୋଇଥିଲା ।

Leave a Reply

Your email address will not be published. Required fields are marked *