ସଂସ୍କାର: କରୋନା ସଂକ୍ରମଣକୁ ଆଖି ଆଗରେ ରଖି ରାଜ୍ୟ ସରକାର ଆଣିଲେ ନୂଆ ଗାଇଡ଼ଲାଇନ। ଫେବୃଆରୀ ମାସ ପାଇଁ ସାଧାରଣ ଜନତାଙ୍କ ସକାଶେ ଗାଇଡଲାଇନ ପ୍ରସ୍ତୁତ କରିଛନ୍ତି ଓଡିଶା ସରକାର। କରୋନାର ସଂକ୍ରମଣ ମିଟର ଦିନକୁ ଦିନ ରାଜ୍ୟରେ ଖସିବାରେ ଲାଗିଛି। ଆଉ ଏହାରି ମଧ୍ୟରେ ଚଳିତ ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି ଓଡିଶା ସରକାର। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ଏହି ଗାଇଡଲାଇନ୍ ଜାରି କରାଯାଇଛି ।
ଫେବୃଆରୀ ମାସର ଗାଇଡ଼ଲାଇନରେ ଉଲେଖ୍ୟ ଅଛି ଯେ, ରାଜ୍ୟର ସହରମାନଙ୍କର ନାଇଟ୍ କର୍ଫ୍ୟୁ ଅବଧି ପୂର୍ବପରି ରାତି ୧୦ଟାରୁ ଆରମ୍ଭ ହେବ। ରାତି ୧୦ଟାରୁ ପରଦିନ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ରାଜ୍ୟର ସହରମାନଙ୍କର ବଳବତ୍ତର ରହିବ।
ରାଜ୍ୟର ସମସ୍ତ ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଲାଗୁହେବ। ଆଉ ମଲ୍, ରେଷ୍ଟୁରାଣ୍ଟ ଓ ଦୋକାନବଜାର ସକାଳ ୫ଟାରୁ ରାତି ୧୦ଟା ଯାଏଁ ଖୋଲା ରହିବ। ନଦୀ ଘାଟ, ହଦ୍ର କୂଳରେ ଗହଳି କରି ମାଘ ସପ୍ତମୀ ବୁଡ଼ ପକାଇବା ମନା କରିଛନ୍ତି ରାଜ୍ୟ ସରକାର। ମନ୍ଦିର ଭିତରେ ରୀତିନୀତି ଓ ପରମ୍ପରା ଅନୁସାରେ ପୂଜା ହୋଇପାରିବ। ଏହା ସହିତ ଶିକ୍ଷାନୁଷ୍ଠାନରେ ସରସ୍ୱତୀ ପୂଜାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ।
ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ ସରସ୍ୱତୀ ପୂଜା କରିବା ପାଇଁ ସରକାର ଚଳିତ ମାସର ଗାଇଡ଼ଲାଇନରେ ଉଲେଖ୍ୟ କରିଛନ୍ତି। ଶିକ୍ଷାନୁଷ୍ଠାନ ଛଡ଼ା ଅନ୍ୟ କେଉଁଠି ସରସ୍ୱତୀ ପୂଜା ଆୟୋଜନ ନ କରିବାକୁ ସରକାର କହିଛନ୍ତି। ଘରେ ରହି ପରିବାର ସହ ସରସ୍ୱତୀ ପୂଜା ପାଳନ କରିବାକୁ ପରାମର୍ଶ ଦିଆଯାଇଛି। ସରସ୍ୱତୀ ପୂଜାରେ ସମୂହ ଭୋଜି ଓ ମନୋରଞ୍ଜନ କାର୍ଯ୍ୟକ୍ରମକୁ ସମ୍ପୁର୍ଣ୍ଣରୂପେ ବାରଣ କରାଯାଇଛି।
ଅନ୍ୟପଟେ ପୂର୍ବପରି କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ କରି ସରକାରୀ ଆଉ ବେସରକାରୀ ଅଫିସ ଖୋଲିବାକୁ ରାଜ୍ୟ ସରକାର ଫେବୃଆରୀ ମାସର ଗାଇଡ଼ଲାଇନରେ ପ୍ରକାଶ କରିଛନ୍ତି।