ସଂସ୍କାର : ରାଜଧାନୀର ରାସ୍ତା କଡ଼ରେ ଦେହ ବ୍ୟବସାୟ।ଶୀତୁଆ ରାତିରେ ନିଶାର ଆସର ସହ ଦେହଜୀବୀଙ୍କୁ ନେଇ ବେପାର । ହାଇସିକ୍ୟୁରିଟି ଜୋନରେ ଚାଲିଛି ଏଭଳି କାରବାର। ରାସ୍ତା କଡ଼ରେ ଗ୍ରାହକ ଓ ଦେହ ଦଲାଲଙ୍କ ମଧ୍ୟରେ ଗଣ୍ଡଗୋଳ । ଏ ସମ୍ପର୍କରେ ସ୍ଥାନୀୟ ଲୋକେ ଜାଣିପାରି ଏଭଳି କାରବାରକୁ ବିରୋଧ କରିଛନ୍ତି। କିନ୍ତୁ ପରିସ୍ଥିତି ଅଣାୟତ ହେବାରୁ ପହଞ୍ଚିଥିଲା କମିଶନରେଟ୍ ପୋଲିସ ।

ରାଜଧାନୀରେ ଦେହ ଦଲାଲଙ୍କ ଉତ୍ପାତ। ଏହି ଉତ୍ପାତ ବିଷୟରେ ଜାଣିପାରି ସେଠାରୁ ଉଭୟ ଦଲାଲ ଓ ମହିଳାଙ୍କୁ ଉଠାଇ ନେଇଥିଲା କ୍ୟାପିଟାଲ ଥାନା ପୋଲିସ। ସୂଚନା ମୁତାବକ ସବୁ ଦିନପରି ଏୟାରପୋର୍ଟ ଛକରେ ଲାଗି ରହିଥିଲା ଗହଳି । ରାସ୍ତା ଉପରେ ଥିବା ମଦ ଦୋକାନ ପଛପଟ କଡରେ ଚାଲୁଥିଲା ଅନୈତିକ କାରବାର । ଏୟାରପୋର୍ଟକୁ ଯିବା ରାସ୍ତାର ଅନ୍ଧାରିଆ ସ୍ଥାନରେ ଏପରି କାରବାର ଚଲାଉଥିଲେ ଦେହ ଦଲାଲ । କିଛି ମହିଳା ଓ ଯୁବତୀଙ୍କୁ ଆଣି ଖୁଲମଖୁଲା କରୁଥିଲେ ବେପାର ।

ଗ୍ରାହକଙ୍କୁ ଆକୃଷ୍ଟ କରି ଚଲାଉଥିଲେ ଏପରି କାରବାର । ଏପରିକି ମଦ୍ୟପାନ ସହ ଅନ୍ଧାର ଭିତରେ ଜମୁଥିଲା ନିଶାର ଆସର । ଯାହାକୁ ଅନେକ ସମୟରେ ସ୍ଥାନୀୟ ଲୋକେ ବିରୋଧ କରୁଥିଲେ । ଦଲାଲଙ୍କ ଉତ୍ପାତ ଯୋଗୁଁ କେହି ସାମ୍ନାକୁ ଆସୁନଥିଲେ । ହେଲେ ଜଣେ ମହିଳାଙ୍କୁ କିଛି ଦେହ ଦଲାଲ ମାଡ଼ ମାରୁଥିବା ଦେଖିବାକୁ ପାଇଥିଲେ ଲୋକେ । ଏନେଇ ପୋଲିସକୁ ଖବର ଦେଇଥିଲେ ନିକଟସ୍ଥ ଲୋକେ ।

ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସେଠାରେ ଏହି କାରବାର ସମ୍ପର୍କରେ ଜାଣି ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଥିଲା । ହେଲେ ପୋଲିସକୁ ଦେଖି ଦେହ ଦଲାଲ ଓ କିଛି ମହିଳା ଖସି ପଳାଇଥିଲେ । କିନ୍ତୁ ହାବୁଡରେ ପଡ଼ିଯାଇଥଲେ ଜଣେ ମହିଳା । ତେବେ ମହିଳାଙ୍କ ପାଖରେ ପୋଲିସ ପହଞ୍ଚି ପଚରାଉଚରା କରିଥିଲା । ପୋଲିସର କଥା ଶୁଣି ମହିଳା ଜଣକ ଉତକ୍ଷୀପ୍ତ ହୋଇ ଉଠିଥିଲେ । ଏହାସହ ପୋଲିସକୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ । ଏପରିକି ପାଟିତୁଣ୍ଡ ବି କରିଥିଲେ।
ଏହାସହ ସେଠାରେ କାରବାର ଚଳାଉଥିବା ମହୁମାଛି ଓ ଦେହ ଦଲାଲ ଏନେଇ ତାଣ୍ଡବ ମଚାଇଥିଲେ । ପୋଲିସ ଉପସ୍ଥିତିରେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ ସହ ଲୋକଙ୍କୁ ନାଲି ଆଖି ଦେଖାଇଥିଲେ । ଏହାପରେ କ୍ୟାପିଟାଲ ଥାନା ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ପିସିଆର ସେମାନଙ୍କୁ ଥାନାକୁ ଆଣିଥିଲା । ଏନେଇ ପୋଲିସ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ । ସେପଟେ ପୋଲିସର ଏଭଳି ଚୁପ୍ ରହିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା ।