ସଂସ୍କାର : ରାଜ୍ୟରେ କମିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏହାରି ମଧ୍ୟରେ ରାଜ୍ୟ ସରକାର ସେପ୍ଟେମ୍ବର ମାସ ପାଇଁ କରୋନା ଗାଇଡଲାଇନ୍ ଜାରି କରିଛନ୍ତି। ନୂଆ ଗାଇଡଲାଇନ୍ କୁ ପ୍ରେସବାର୍ତ୍ତା ଜରିଆରେ ସୂଚନା ପ୍ରଦାନ କରିଛନ୍ତି ଏସ୍ଆରସି ପ୍ରଦୀପ ଜେନା । କରୋନା ସଂକ୍ରମଣକୁ ରୋକିବା ଦିଗରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ସଫଳ ହୋଇଛନ୍ତି । ତେଣୁ ସେପ୍ଟେମ୍ବର ମାସ ପାଇଁ ଗାଇଡଲାଇନ୍ କୋହଳ ହୋଇଥିଲେ ସୁଦ୍ଧା କୋଭିଡ ନିୟମ କଡାକଡି ଭାବେ ପାଳନ କରିବା ପାଇଁ ଜନସାଧାରଣଙ୍କୁ ଅପିଲ କରିଛନ୍ତି ରାଜ୍ୟ ସରକାର ।
ନୂଆ ଗାଇଡଲାଇନ୍ ଅନୁଯାୟୀ ସେପ୍ଟେମ୍ବର ୧ ତାରିଖରୁ ଅକ୍ଟୋବର ୧ ତାରିଖ ଯାଏଁ କୋଭିଡ୍ ନିୟମ ବଳବତ୍ତର ରହିବ। ଅନ୍ୟପଟେ ରାଜ୍ୟର ୩ ସହରରେ ଲାଗୁ ହୋଇଥିବା ସପ୍ତାହାନ୍ତ ସଟ୍ଡାଉନ୍କୁ ହଟାଯାଇଛି । ଏଣିକି କୌଣସି ସହରାଞ୍ଚଳ କିମ୍ବା ଗ୍ରାମାଞ୍ଚଳରେ ସପ୍ତାହାନ୍ତ ସଟ୍ଡାଉନ୍ ଲାଗୁହେବ ନାହିଁ । ବିବାହ କାର୍ଯ୍ୟରେ ଏଣିତି ୨୫୦ ଜଣ ଉପସ୍ଥିତ ରହିପାରିବେ। ଅନ୍ୟପଟେ ସୁଦ୍ଧିକ୍ରିୟାରେ ମଧ୍ୟ ୨୫୦ ଜଣ ରହିବା ନେଇ ଗାଇଡଲାଇନ୍ ଜାରି କରିଛନ୍ତି ଏସ୍ଆର୍ସି ପ୍ରଦୀପ ଜେନା। ପୂର୍ବରୁ ବିବାହ ଏବଂ ଅନ୍ତେଷ୍ଟି କ୍ରିୟାରେ ଅତିବେଶିରେ ୫୦ ଜଣ ଉପସ୍ଥିତ ରହିବା ନେଇ ନିୟମ ରହିଥିଲା । ରାଜ୍ୟରେ ଏଣିକି ସକାଳ ୫ଟାରୁ ରାତି ୧୦ଟା ଦୋକାନ ବଜାର ଖୋଲା ରହିପାରିବ ।
ସେପ୍ଟେମ୍ବର ଗାଇଡଲାଇନ୍ ଅନୁଯାୟୀ ରାତି ୧୦ଟାରୁ ଭୋର ୫ଟା ଯାଏଁ ରାଜ୍ୟର ସମସ୍ତ ପୌରାଞ୍ଚଳରେ ନାଇଟ୍କର୍ଫ୍ୟୁ ଜାରି ରହିବ । କେବଳ ଜରୁରୀ ସେବା ବ୍ୟତିତ ସାଧାରଣ ଯାଆସ ଉପରେ କଟକଣା ବଳବତ୍ତର ରହି । ପୂର୍ଣ୍ଣ କ୍ଷମତାରେ ଚାଲିପାରିବ ସିନେମା ହଲ । ରେଷ୍ଟୁରାଣ୍ଟ, ମଲ, ସିନେମା ହଲ, ଧାର୍ମିକ ସ୍ଥଳୀ କରୋନା କଟକଣା ମାନି ପୂର୍ବଭଳି ଜାରି ରହିବ । ସାମାଜିକ, ରାଜନୈତିକ, ସାଂସ୍କୃତିକ ଏବଂ ଧାର୍ମିକ କାର୍ଯ୍ୟକ୍ରମ ଉପରେ କଟକଣା ବଳବତ୍ତର ରହିବ । ତେବେ ଯଦି କୌଣସି ଅଞ୍ଚଳରେ ସଂକ୍ରମଣ ବୃଦ୍ଧିପାଏ ତେବେ ସ୍ଥାନୀୟ ପ୍ରଶାସନ ଚାହିଁଲେ ସାନି କଟକଣା ଲାଗୁ କରିପାରିବେ ।