ସୁବିଧାରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବା ଉଦ୍ଦେଶ୍ୟରେ ଆଜି ରାଜ୍ୟ ମୁଖ୍ୟ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭୁବନେଶ୍ଵର ଏବଂ ପୁରୀରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ ବା ସୁଜଳ ଯୋଜନା ଲୋକାର୍ପିତ କରିଛନ୍ତି । ତେବେ ସୂଚନା ଯୋଗ୍ୟ ଯେ ଏହି ମିଶନ କାର୍ଯ୍ୟକାରୀ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହିସାବରେ ଗଣା । ଏହି ଯୋଜନା ଦ୍ଵାରା ଲୋକେ ଏଣିକି ସିଧାସଳଖ ଟ୍ୟାପ୍ ଖୋଲି ବିଶୁଦ୍ଧ ପିଇବା ପାଣି ପାଇପାରିବେ ।
ସୁଜଳ ଯୋଜନା ଲୋକାର୍ପିତ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆଜି ଏହି ଯୋଜନା ଭୁବନେଶ୍ଵର ଏବଂ ପୁରୀରୁ ଆରମ୍ଭ କରାଗଲା କିନ୍ତୁ କ୍ରମେ ରାଜ୍ୟର ସବୁ ଅଞ୍ଚଳରେ ଏହା କାର୍ଯ୍ୟକାରୀ ହେବ । ସାଲିଆ ସାହିରେ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା ଓ ବିଧାୟକ ଶ୍ରୀ ସୁଷାନ୍ତ ରାଉତ ଏବଂ ପୁରୀରେ ମନ୍ତ୍ରୀ ଶ୍ରୀ ତୃଷାରକାନ୍ତି ବେହେରା ଓ ବିଧାୟକ ଶ୍ରୀ ଜୟନ୍ତ ଷଡଙ୍ଗୀ ଉପସ୍ଥିତ ରହି ଲୋକାର୍ପଣ ଉତ୍ସବରେ ସାମିଲ ହୋଇଥିଲେ ।
ତେବେ ଏହି ଉତ୍ସବରେ ଜଳସାଥିମାନଙ୍କୁ ଜଳର ମାନ ପରୀକ୍ଷା ଯନ୍ତ୍ର ପ୍ରଦାନ କରାଯାଇଥିଲାବେଳେ ପାଣି ପାଇପ୍ ମିସ୍ତ୍ରୀମାନଙ୍କୁ ପ୍ରଶିକ୍ଷଣ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପୁରୀ ସହର ଏକ ବଡ଼ ପର୍ଯ୍ୟଟନ ସ୍ଥଳୀ ଯେଉଁଠିକୁ ପ୍ରତିଦିନ ଲକ୍ଷାଧିକ ପର୍ଯ୍ୟଟକ ଆସନ୍ତି । ସେମାନେ ପାଣି ପିଇବା ପାଇଁ ପ୍ଲାଷ୍ଟିକ ବୋତଲ ବ୍ୟବହାର ନକରି ସୁଜଳ ଯୋଜନାନୁସାରେ ଟ୍ୟାପରୁ ପାଣି ପିଇଲେ ପୁରୀରୁ ପ୍ଲାଷ୍ଟିକ ପ୍ରଦ୍ୟୁଷଣ ନିହାତି କମିବ ।
ସୂଚନା ଅନୁଯାୟୀ ମିଶନ ଶକ୍ତିର ମାଆମାନେ ଜଳସାଥି ରୂପେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଯେଉଁ ଦକ୍ଷତା ପ୍ରଦର୍ଶନ କରିଛନ୍ତି ତାର ଖୁବ୍ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହିତ WATCO ପକ୍ଷରୁ ପାଣି ପାଇପ ମିସ୍ତ୍ରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହାତକୁ ନେଇଥିବାରୁ ମଧ୍ୟ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସାର୍ଟିଫିକେଟ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଭଦ୍ରକରୁ ଯୋଗ ଦେଇଥିବା ମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କ କହିବାନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ଵ ଓ ପ୍ରେରଣା ଯୋଗୁ ହିଁ ଏହା ଆଜି ସଫଳ ହୋଇଛି । ସଜଳ ଯୋଜନା ସହିତ ୫ଟି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସବୁ କ୍ଷେତ୍ରରେ ରୂପାନ୍ତରୀକରଣ ପ୍ରକ୍ରିୟା ପାଇଁ ନିଷ୍ଠାର ସହିତ ରାଜ୍ୟ କାମ କରୁଛି ।
ଏହାସହିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଦିଲ୍ଲୀରୁ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ସଚିବ ଶ୍ରୀ ଦୁର୍ଗା ଶଙ୍କର ମିଶ୍ର ଓଡ଼ିଶା ସରକାରଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ଓଡ଼ିଶା ଏମିତି ସଫଳତା ପାଇଛି, ଯାହା କି ଦେଶରେ ପ୍ରଥମ । ବୈଷୟିକ ଜ୍ଞାନର ବ୍ୟବହାର, ଜଳସାଥି ମାନଙ୍କର ନିୟୋଜନ, ଶକ୍ତି ସଂରକ୍ଷଣ, ଜଳବାହିତ ରୋଗର ନିୟନ୍ତ୍ରଣ, ଏହିପରି ଅନେକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇପାରିବ ବୋଲି ସେ କହିଥିଲେ । ଶ୍ରୀ ପାଣ୍ଡିଆନ ମଧ୍ୟ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଏହି ନୂଆ ଯୋଜନା ପାଇଁ କୃତଜ୍ଞତା ଜଣାଇଥିଲେ ।
Water Aid, United Kingdomର ମୁଖ୍ୟ କାର୍ଯ୍ୟନିର୍ବାହୀ Mr. Tim Wainwright କହିଛନ୍ତି ଯେ ଏହି କାର୍ଯ୍ୟକ୍ରମରେ ଜଳସାଥି ମାନଙ୍କର ନିୟୋଜନ ଏକ ଅଭିନବ ପ୍ରୟାସ, ଯାହା ସାରା ବିଶ୍ଵ ସମୁଦାୟକୁ ଶିଖିବା କଥା । “Drink from Tap Mission”ରେ ଭାରତ, ବିଶେଷ କରି ଓଡ଼ିଶା ଯଥେଷ୍ଟ ଅଗ୍ରଗତି କରିଛି ବୋଲି ସେ କହିଥିଲେ । ଏମିତିକି ଓଡ଼ିଶାକୁ ଏହି କାର୍ଯ୍ୟକ୍ରମ ପାଇଁ UK Water Aid ସବୁପ୍ରକାର ସହାୟତା ଯୋଗାଇ ଦେବ ବୋଲି ସେ ପ୍ରତିଶୃତି ଦେଇଛି ।