ସଂସ୍କାର : ଓଡିଶା ଆଡ଼କୁ ମାଡି ଆସୁଛି ବାତ୍ୟା। ଆସନ୍ତା ୩୦ ତାରିଖବେଳକୁ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଘନୀଭୂତ ହୋଇ ବାତ୍ୟା ରୂପ ନେବାଭଳି ସମ୍ଭାବନା ରହିଛି। ତେବେ ଏହି ବାତ୍ୟା ଅଧିକ ପ୍ରଭାବଶାଳୀ ହେବ ନାହିଁ। ଅନ୍ୟପଟେ ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ଯେ , ଆସନ୍ତା ୪ ତାରିଖ କିମ୍ବା ୫ ତାରିଖ ସମ୍ଭାବ୍ୟ ବାତ୍ୟା ଉପକୂଳ ଛୁଇଁବ। ଏହା ଆନ୍ଧ୍ରକୁ ଯିବା ସମ୍ଭାବନା ଅଧିକ ଥିବାବେଳେ ଦିଗ ବଦଳାଇ ଓଡ଼ିଶା ଆସିବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ । ତେବେ ୩ ତାରିଖରୁ ଓଡ଼ିଶାରେ ପାଗ ବଦଳିବା ସହ ବର୍ଷା ଆରମ୍ଭ ହେବ। ତେବେ ବାତ୍ୟାକୁ ନେଇ ରାଜ୍ୟ ସରକାର ସଜାଗ ହୋଇ ପଡ଼ିଛନ୍ତି। ସମସ୍ତ ଜିଲ୍ଲାପାଳଙ୍କୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ନିର୍ଦ୍ଦେଶ ଦେଇଛନ୍ତି ।
କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀ, ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି ଆଉ ଏହି ଲଘୁଚାପ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ବଡ଼ କଥା ହେଲା, ଆନ୍ଧ୍ରର ମଛଲିପଟ୍ଟନମରୁ ବିଶାଖାପାଟଣା ମଧ୍ୟରେ ସମ୍ଭାବ୍ୟ ବାତ୍ୟା ଉପକୂଳ ଛୁଇଁପାରେ । ଯଦି ମଛଲିପଟ୍ଟନମରେ ସ୍ଥଳଭାଗ ଛୁଇଁବ, ତେବେ ୪ ତାରିଖ ବେଳେ ତେଲେଙ୍ଗାନା ହୋଇ ଆଗକୁ ବଢ଼ିବ ଏହି ବାତ୍ୟା। ଏହାର ବିଶେଷ ପ୍ରଭାବ ଓଡ଼ିଶାରେ ପଡ଼ିବନି । ହେଲେ ଯଦି ବିଶାଖାପାଟଣା ପାଖରେ ତାହା ସ୍ଥଳଭାଗ ଛୁଇଁବ, ତେବେ ୫ ତାରିଖ ହୋଇଯିବ । ଏହାର ପ୍ରଭାବ ଓଡ଼ିଶାରେ ବି ଅନୁଭୂତ ହେବ । ଓଡ଼ିଶାରେ ୩ ତାରିଖରେ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ଥିବାବେଳେ ୪ରେ ସାରା ଉପକୂଳ ଅଞ୍ଚଳରେ ବର୍ଷା ସମ୍ଭାବନା ଅଛି । ୫ରେ ଉତ୍ତର ଓଡ଼ିଶା ଉପକୂଳରେ ବର୍ଷା ହୋଇପାରେ ।
ତେବେ ବାତ୍ୟା ଦିଗ ବଦଳାଇଲେ ଓଡ଼ିଶାକୁ ମୁହାଁଇବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ତେବେ ଏହି ବାତ୍ୟା ପ୍ରଭାବରେ ୪୫ରୁ ୫୫ କିମି ବେଗରେ ପବନ ବହିପାରେ। ପାଣିପାଗ ବିଭାଗ କହିଛି, ଆଉ ଦିନେ ଦୁଇଦିନ ପରେ ଚିତ୍ର ସ୍ପଷ୍ଟ ହେବା ପରେ ଏହା ବାତ୍ୟା ହେବ କି ନାହିଁ, ଜଣାପଡ଼ିବ । ତଥାପି ଓଡ଼ିଶାରେ ୩ରୁ ପାଗ ବଦଳିବ ।