ଚୀନକୁ କରୋନା ତଥ୍ୟ ସାର୍ବଜନୀନ କରିବାକୁ ଡବ୍ଲୁଏଚଓ ମୁଖ୍ୟ ଦେଲେ ପରାମର୍ଶ

ସଂସ୍କାର : କରୋନା ସଂକ୍ରମଣରେ କଲବଲ ହେଉଛି ଚୀନ।ପ୍ରତ୍ୟେକ ଦିନ ଚୀନରେ କରୋନା ସଂକ୍ରମଣ ବଢୁଥିବା ବେଳେ ମୃତ୍ୟୁସଂଖ୍ୟାରେ ମଧ୍ୟ ରୋକ୍‌ ଲାଗୁନାହିଁ । ଗୋଟିଏ ଦିନରେ ପ୍ରାୟ ୯ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ସେପଟେ ଆଗକୁ ଆହୁରି ମୃତ୍ୟୁସଂଖ୍ୟା ବଢ଼ିବା ମଧ୍ୟ ଆଶଙ୍କା କରାଯାଇଛି । ଜାନୁୟାରୀ ୨୩ ବେଳକୁ ଦୈନିକ ମୃତ୍ୟୁସଂଖ୍ୟା ୨୫ହଜାର ପାର୍‌ ହେବା ନେଇ ବିଶେଷଜ୍ଞ ମାନେ ଆକଳନ କରିଛନ୍ତି । ଯାହାକୁ ନେଇ ସାରା ବିଶ୍ୱକୁ ଚିନ୍ତା ଘାରିଛି ।

ଅନ୍ୟପଟେ ଚୀନରେ ବଢୁଥିବା କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟାର ତଥ୍ୟ ମାଗିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । କରୋନା ତଥ୍ୟ ସାର୍ବଜନୀନ କରିବାକୁ ଡବ୍ଲୁଏଚଓ ମୁଖ୍ୟ ପରାମର୍ଶ ଦେଇଛନ୍ତି । ତାହାସହିତ ସଂକ୍ରମଣ ଓ ମୃତ୍ୟୁରେ ରୋକ୍‌ ଲାଗାଇବାକୁ ନେଇ ଟିକାକରଣ ଉପରେ ଥିବା ଗୁରୁତ୍ୱକୁ ଦୋହରାଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବିବୃତି ଅନୁଯାୟୀ, ଚାଇନାର କରୋନା ସିକ୍ଵେନ୍ସିଂ ଓ କ୍ଲିନିକାଲ ମ୍ୟାନେଜମେଣ୍ଟକୁ ଆହୁରି ସୁଦୃଢ଼ କରିବାକୁ କୁହାଯାଇଛି ।

ଡବ୍ଲୁଏଚଓ ମହାନିର୍ଦେଶକ ଚୀନର କରୋନା ପରିସ୍ଥିତିକୁ ନେଇ ଉଦବେଗ ପ୍ରକା​‌ଶ କରିଛନ୍ତି । ସେ କହିଛନ୍ତି, ଚାଇନାରେ କରୋନା ପରିସ୍ଥିତି ଚିନ୍ତା ଜନକ । ବିଭିନ୍ନ ଦେଶ ଚୀନକୁ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଚୀନରେ ଭୁଶୁଡ଼ି ପଡ଼ିଥିବା ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ସହାୟତା ଯୋଗାଇ ଦିଆଯିବ ।

ସେପଟେ ଚୀନର ସଂକ୍ରମଣକୁ ଦୃଷ୍ଟିରେ ରଖି ଅନେକ ଦେଶ ସଜାଗ ହୋଇଛନ୍ତି । କୋଭିଡ୍‌ ନିୟମକୁ ଆହୁରି କଡ଼ାକଡ଼ି କରାଯାଇଥିବା ସୂଚନା ମିଳିଛି । ବ୍ରିଟେନ୍‌, ଫ୍ରାନ୍ସ, ସାଉଥ୍‌ କୋରିଆ, ସ୍ପେନ ଓ ଇଜ୍ରାଇଲ୍‌ ପରି ଦେଶ ମାନେ କରୋନା କଟକଣାକୁ ବଢ଼ାଇଦେଇଛନ୍ତି ।

Leave a Reply

Your email address will not be published. Required fields are marked *