ଜଳ ହିଁ ଜୀବନ । ବିଶୁଦ୍ଧ ଜଳ ଅର୍ଥାତ୍ ସ୍ୱାସ୍ଥ୍ୟ । ଆମେ ସଭିଏଁ ବଞ୍ଚିବା ପାଇଁ ପାଣି ଦରକାର କରୁ । ଆମମାନଙ୍କର ସମସ୍ତ ଦୈନନ୍ଦିନ କାର୍ଯ୍ୟ, କଳକାରଖାନା, ଉଦ୍ୟୋଗ ପାଇଁ ବି ସେହି ପାଣି ହିଁ ଲୋଡ଼ା ପଡ଼ିଥାଏ । ହେଲେ ଧୀରେ ଧୀରେ ଆମେ ମଣିଷ ସ୍ଵାର୍ଥରେ ଅନ୍ଧ ହୋଇ କେବଳ ଆଉ କେବଳ ପ୍ରକୃତି ସମ୍ପତ୍ତି ଜଳକୁ ଖର୍ଚ୍ଚ କରିଚାଲିଛେ । ଏମିତି ଦିନ ନଆସୁ ଯେବେ ମୁନ୍ଦେ ପାଣି ପାଇଁ ଆମେ ସମସ୍ତେ ବିକଳ ହେଉଥିବା ଆଉ ଭାବୁଥିବା ଯେ ଯଦି, ହଁ ଯଦି ଯଥା ପୂର୍ବରୁ ଜଳ ସଂରକ୍ଷଣ ବିଷୟକୁ ଗୁରୁତ୍ଵ ଦେଇଥାନ୍ତେ ତେବେ ହୁଏତ ଏ ସଙ୍କଟ ଆସି ନଥାନ୍ତା !
ତେଣୁ ଆସନ୍ତୁ, ସମସ୍ତେ ମିଳିମିଶି ନିଜ ନିଜର ଦୈନନ୍ଦିନ ଜୀବନରେ ଛୋଟ ଗୋଟେ ସ୍ଥାୟୀ ପରିବର୍ତ୍ତନ ଆଣିବାକୁ ପ୍ରତିଜ୍ଞା କରିବା । ଆମର ବହୁମୂଲ୍ୟ ଜଳ ଉତ୍ସକୁ ସଂରକ୍ଷଣ କରି ସ୍ୱାସ୍ଥ୍ୟ ରକ୍ଷା କରିବା, ଜୀବନ ରକ୍ଷା କରିବା । ଜଳ ଏକ ସର୍ବସାଧାରଣ ସମ୍ପଦ, ପ୍ରାକୃତିକ ସମ୍ପଦ । ଆବଶ୍ୟକ ଅନୁଯାୟୀ ଖର୍ଚ୍ଚ କରିବା ବିଧେୟ କିନ୍ତୁ ଅପବ୍ୟବହର କରି ଜୀବନ ବୋଲାଉଥିବା ଜଳକୁ ଅଯଥା ନଷ୍ଟ କରିବା ଅର୍ଥ ନିଜ ଗୋଡ଼ରେ ନିଜେ କୁରାଢି ମାରିବା, ନୁହେଁ କି !
ଜଳ ସଂରକ୍ଷଣ ପାଇଁ ପ୍ରତ୍ୟେକଙ୍କର ଭୂମିକା ରହିଛି :
ମିଳିତ ଜାତିସଂଘ ଅନୁଯାୟୀ ଆଜି ବିଶ୍ୱରେ ପ୍ରତି ତିନି ଜଣଙ୍କ ମଧ୍ୟରୁ ଜଣେ ସୁରକ୍ଷିତ ପାନୀୟ ଜଳ ପାଏନା, ଏ କଥା ଆପଣଙ୍କୁ ଅଗୋଚର ଥିବ ନିଶ୍ଚୟ । ବିଶୁଦ୍ଧ ଜଳ ଆମମାନଙ୍କ ପାଇଁ ଏତେ ସହଜରେ ଉପଲବ୍ଧ ହୋଇଯାଇଥାଏ ଯେ ଜଳ ବିନା ଜୀବନ କ’ଣ, ସେ ବିଷୟରେ ବୋଧ ହୁଏ କେବେ ଆମେ ବିଚାର ମଧ୍ୟ କରୁନା । ଯଥାସଧ୍ୟ ପାଣି ବଞ୍ଚାଇ ଯେମିତି ଅଧିକରୁ ଅଧିକ ଲୋକ ପାଣି ପାଇବାକୁ ସକ୍ଷମ ହେବେ ନିଜ ତରଫରୁ ନିଜେ ଆସନ୍ତୁ ପ୍ରତିଶ୍ରୁତିବଦ୍ଧ ହେବା ।
ମୋର କଣ କରିବା ଉଚିତ :
- ଗାଧୋଇବା ପାଇଁ ନିଜକୁ ପ୍ରାୟ ୫ ମିନିଟ ହିଁ ସମୟ ଦିଅନ୍ତୁ । କାରଣ ପ୍ରାୟ ୮୦ ପ୍ରତିଶତ ବର୍ଜ୍ୟଜଳ ଆଉଥରେ ବ୍ୟବହାର ହୋଇପାରେ ନାହିଁ । ତେଣୁ ଗାଧୋଇବାରେ ବେଶୀ ପାଣି ଖର୍ଚ୍ଚ କରନ୍ତୁ ନାହିଁ ।
- ଆପଣ ବ୍ୟବହାର କରୁଥିବା ଇଲେକ୍ଟ୍ରୋନିକ ଜିନିଷଗୁଡ଼ିକ ବ୍ୟବହାର ପରେ ତୁରନ୍ତ ବନ୍ଦ କରିଦିଅନ୍ତୁ । କାରଣ ବିଦ୍ୟୁତ ଉତ୍ପାଦନ ପାଇଁ ପ୍ରାୟ ୯୦ ପ୍ରତିଶତ ପାଣି ଖର୍ଚ୍ଚ ହୋଇଥାଏ ।
- କପଡ଼ା କିଣିଲାବେଳେ ଧ୍ୟାନ ରଖି କିଣନ୍ତୁ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗୋଟିଏ ହଳ ଜିନ୍ସ ତିଆରି ପାଇଁ ପ୍ରାୟ ୧୦୦୦୦ ଲିଟର ପାଣି ଖର୍ଚ୍ଚ ହୋଇଥାଏ ।
- ଖାଦ୍ୟ ନଷ୍ଟ କରନ୍ତୁ ନାହିଁ । ଯାହାଫଳରେ ଶସ୍ୟ ଉତ୍ପାଦନ କମିବ ଓ ତଦନୁସାରେ ପାଣି ଖର୍ଚ୍ଚ ବି ।
ଏମିତି ଏ ପୃଥିବୀ ପୃଷ୍ଠରେ କେହି ନାହାନ୍ତି ଯିଏ ଏ ପରିବର୍ତ୍ତିତ ଜଳବାୟୁ ପ୍ରଭାବରୁ ମୁକ୍ତ । ଜଳ ଓ ଜଳବାୟୁ ଦୁହେଁ ଦୁହିଁଙ୍କର ପରିପୂରକ କହିଲେ ଠିକ୍ ହେବ । ପାଣିକୁ ନ୍ୟାୟପୂର୍ଣ୍ଣ ଭାବରେ ବ୍ୟବହାର କରିବାକୁ ପ୍ରତିଶ୍ରୁତି ଦିଅନ୍ତୁ ଏବଂ ନିଶ୍ଚିତ କରନ୍ତୁ ଯେ ଆପଣଙ୍କ ଘରେ କୌଣସି ପ୍ରକାର ପାଣି ନଷ୍ଟ ନହେଉ । କାରଣ ଆମ ଦ୍ଵାରା ବ୍ୟବହୃତ ଜଳ ହିଁ ବନ୍ୟା, ଦୁର୍ବିକ୍ଷ, ଅଭାବ, ପ୍ରଦୂଷଣ ଏବଂ ତୀବ୍ର ବେଗରେ ଜଳବାୟୁ ପରିବର୍ତ୍ତନ ଆଦି ଦାୟୀ ରୁହେ ।