ସଂସ୍କାର : ସିଡିଏସ୍ ବିପିନ ରାୱତ ଓ ତାଙ୍କ ସ୍ତ୍ରୀଙ୍କ ସମେତ ଅନ୍ୟ ୧୨ଜଣଙ୍କ ମୃତ୍ୟୁ ନେଇ ସାରା ଭାରତ ମର୍ମାହତ। ଏପରିକି ଦେଶ ବାହାରୁ ମଧ୍ୟ ଶୋକବାର୍ତ୍ତାର ସୁଅ ଛୁଟିଛି। ଏପରି ସ୍ଥିତିରେ ଜଣେ ଭାରତୀୟ ବିପିନଙ୍କ ମୃତ୍ୟୁ ନେଇ ସୋସିଆଲ ମିଡିଆରେ ନିଜ ଖୁସୀ ଜାହିର କରିଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଉକ୍ତ ଯୁବକଙ୍କୁ ତୁରନ୍ତ ଗିରଫ କରିଛି।
ରାଜସ୍ଥାନର ୨୧ ବର୍ଷୀୟ ଯୁବକ ଜୱାଦ ଖାନ। ସିଡିଏସ୍ ବିପିନଙ୍କ ମୃତ୍ୟୁରେ ଉଲ୍ଲସିତ ହୋଇ ସୋସିଆଲ ମିଡିଆରେ ନିଜ ଖୁସୀ ଜାହିର କରିଥିଲା। ଏପରିକି ନିଜ ପୋଷ୍ଟରେ ବେଶ କିଛି ଦେଶଦ୍ରୋହୀ ମନ୍ତବ୍ୟ ମଧ୍ୟ ଉଲ୍ଲେଖ କରିବାକୁ ପଛାଇନଥିଲା । ଏହି ପୋଷ୍ଟ ପ୍ରଘଟ ହେବା ପରେ ରାଜସ୍ଥାନର ଟୋଙ୍କ ପୋଲିସ ଅଭିଯୁକ୍ତ ଖାନକୁ ଗିରଫ କରିବା ନେଇ ଏକ ଟୁଇଟ୍ ଜରିଆରେ ପ୍ରକାଶ କରିଛି ।
ରାଜ ଟକିଜ ଅଂଚଳରେ ରହୁଥିବା ଜୱାଦ ଖାନକୁ ଧରିବା ପାଇଁ ଟୋଙ୍କ ପୋଲିସ ୪ଟି ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା । ତଦନ୍ତରୁ ଜଣାପଡିଛି ଅଭିଯୁକ୍ତ ଖାନ ଇନଷ୍ଟାଗ୍ରାମ ତଥା ଟୁଇଟର୍ ପ୍ରୋଫାଇଲରେ ନିଜକୁ ତାଲିବାନ ସମର୍ଥକ ତଥା ଇସଲାମିକ ଫଣ୍ଡାମେଣ୍ଟାଲିଷ୍ଟ ଭାବେ ଉଲ୍ଲେଖ କରିଛି । ଏପରିକି ଗତକାଲି ଜଣେ ତାଲିବାନକୁ ପ୍ରଶଂସା କରି ଏକ ପୋଷ୍ଟ ମଧ୍ୟ କରିଥିଲା ।