ଭୁବନେଶ୍ୱର : କରୋନା ସଂକ୍ରମଣ ରୋକିବା ପାଇଁ ଲକଡାଉନ ବ୍ୟବସ୍ଥା ଦ୍ଵାରା ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ଵ ଦେଉଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଏହା ସତ୍ତ୍ୱେ କରୋନାକୁ ନେଇ ଲୋକମାନଙ୍କ ଭିତରେ ଖେଳୁଛି କୋକୁଆ ଭୟ । ନାନା ଚର୍ଚ୍ଚା ଲୋକମାନଙ୍କ ମନରେ ଭ୍ରାନ୍ତ ଧାରଣା ସୃଷ୍ଟି କରୁଛି ଯାହାର ବିଜ୍ଞାନସମ୍ମତ କୌଣସି ପ୍ରମାଣ ନାହିଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରୋତୋ ବାଗଚୀ ଲୋକଙ୍କ ମଧ୍ୟରେ ହେଉଥିବା ଏଭଳି ୧୨ଗୋଟି ଚର୍ଚ୍ଚା (ଭ୍ରାନ୍ତ ଧାରଣା)କୁ ଅମୂଳକ ବୋଲି ନିଜେ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ତଥା ଅନ୍ୟାନ୍ୟ ବୈଜ୍ଞାନିକମାନଙ୍କର ମତକୁ ନେଇ ସୁବ୍ରୋତୋ ବାଗଚୀ କୋଭିଡ଼-୧୯କୁ ନେଇ ଲୋକମାନଙ୍କ ମନରେ ଥିବା ନିମ୍ନଲିଖିତ ୧୨ ଗୋଟି ଭ୍ରାନ୍ତ ଧାରଣାକୁ ସ୍ପଷ୍ଟ କରି ସେ ବିଷୟରେ ରାଜ୍ୟବାସୀଙ୍କୁ ଅବଗତ କରାଇଛନ୍ତି । ସେଗୁଡ଼ିକ ଯଥା,
୧. ନାକରେ ଲୁଣ ପାଣି ପୁରାଇଲେ କରୋନା ହେବ ନାହିଁ
୨. ୨୫ ଡିଗ୍ରୀ ସେଲସିଅସ କିମ୍ବା ୭୭ ଡିଗ୍ରୀ ଫାରେହନାଇଟରୁ ଅଧିକ ତାପମାତ୍ରାରେ କରୋନାଭାଇରସ ମରି ଯିବ
୩. କରୋନା ଯଦି ଥରେ ହୁଏ ତାହେଲେ ସାରା ଜୀବନ ଆଉ ଭଲ ହୁଏନା
୪. ଯଦି ପ୍ରଶ୍ଵାସ ନେଇ ୧୦ ସେକେଣ୍ଡ ପର୍ଯ୍ୟନ୍ତ ଧରି ରଖିପାରିଲି ତାହେଲେ ମୋତେ କରୋନା ହୋଇ ନାହିଁ
୫. ମଦ ପିଇଲେ କରୋନା ହେବ ନାହିଁ
୬. ଗରମ ପାଣିରେ ଗାଧୋଇଲେ କରୋନା ହେବ ନାହିଁ
୭. ମଶା କାମୁଡ଼ାରୁ କରୋନା ସଂକ୍ରମିତ ହୋଇପାରେ
୮. ରସୁଣ ଖାଇଲେ କରୋନା ହେବ ନାହିଁ
୯. ଶିଶୁ ଏବଂ ଯୁବକମାନଙ୍କୁ କରୋନା ହେବ ନାହିଁ
୧୦. ଆଣ୍ଟିବାୟୋଟିକ ଔଷଧ ଖାଇଲେ କରୋନା ହେବ ନାହିଁ
୧୧. କ୍ଳୋରିନ ପାଣିରେ କୁଳି କଲେ କରୋନା ହେବ ନାହିଁ
୧୨. ପୋଷା କୁକୁର, ବିଲେଇ କିମ୍ବା ଅନ୍ୟ ଗୃହପାଳିତ ଜୀବଜନ୍ତୁଙ୍କଠାରୁ କରୋନା ସଂକ୍ରମିତ ହୋଇପାରେ
ଏହା ବ୍ୟତୀତ ବାଗଚୀ କହିଛନ୍ତି ଯେ, ମାସ୍କ ପିନ୍ଧିବା ଓ ୨୦ ସେକେଣ୍ଡ ଯାଏଁ ହାତ ଧୋଇବା କରୋନାରୁ ସୁରକ୍ଷା ଦେବ । ମାସ୍କ ପିନ୍ଧିଲା ବେଳେ କିମ୍ବା କାଢିଲାବେଳେ ସାମ୍ନାରୁ ନୁହେଁ ବରଂ କାନ ପାଖରୁ ଧରିବେ, ଯଦ୍ୱାରା ନାକ ଓ ପାଟି ପାଖରେ ହାତ ବାଜିବ ନାହିଁ କହି ନିଜର ଉଦାହରଣ ମଧ୍ୟ ଦେଇଥିଲେ ଶ୍ରୀଯୁକ୍ତ ବାଗଚୀ ।