ସଂସ୍କାର : ବିଶ୍ୱର ସବୁଠାରୁ ବୃହତ ସର୍ଚ୍ଚ ଇଂଜିନ ହେଉଛି ଗୁଗୁଲ୍। ଆଉ ଏହି ଗୁଗୁଲ୍ ଆଜିର ସମୟରେ ପ୍ରତ୍ୟେକ ମନୁଷ୍ୟର ସବୁ ଇଚ୍ଛାକୁ ପୁରଣ କରି ପାରୁଛି। ଅନ୍ୟପଟେ ଗୁଗୁଲର ମଧ୍ୟ ଅନେକ ପ୍ରଡକ୍ଟ ରହିଛି। ଯେମିତିକି ୟୁଟ୍ୟୁବ୍, ବ୍ଲଗର, ଜିମେଲ୍, ଗୁଗୁଲ୍ ପ୍ଲେ ଷ୍ଟୋର, ଗୁଗୁଲ୍ ମୁଭି ଏପରି ଅନେକ। କିନ୍ତୁ ଆଜିର ସମୟରେ ଗୁଗୁଲର ଗୋଟିଏ ପ୍ରଡକ୍ଟ ସବୁ ସମୟରେ ସାଧାରଣରେ ବ୍ୟବହାର କରାଯାଇଥାଏ। ଆଉ ତାହା ହେଲା ” ଗୁଗୁଲ ମ୍ୟାପ୍ “। ହଁ ଗୁଗୁଲ୍ ମ୍ୟାପ୍ ହେଉଛି ଗୁଗୁଲର ସବୁଠୁ ଲୋକପ୍ରିୟ ପ୍ରଡକ୍ଟ। କାରଣ ଅଜଣା ସ୍ଥାନରେ ଗୁଗୁଲ୍ ମ୍ୟାପ୍ ହିଁ ସଠିକ ରାସ୍ତା ଦେଖାଏ।
ଗୁଗୁଲ ମ୍ୟାପ୍ । ଏହା ବାବଦରେ କାହାକୁ ବା ଅଜଣା ନାହିଁ କହିଲେ। ସ୍ମାର୍ଟଫୋନ ବ୍ୟବହାର କରୁଥିବା ୧୦୦ ରୁ ୯୯ ଜଣ ୟୁଜର୍ସଙ୍କର ସାଥୀ ହେଉଛି ଗୁଗୁଲ ମ୍ୟାପ୍ । ବର୍ତ୍ତମାନ କୋଟି କୋଟି ଲୋକଙ୍କୁ ସେମାନଙ୍କର ସଠିକ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଉଛି ଗୁଗୁଲ୍ ମ୍ୟାପ୍। ଏହି ଗୁଗୁଲ ମ୍ୟାପ ବିକଶିତ ହେବା ପରଠାରୁ ବର୍ତ୍ତମାନ ଠିକଣା ତଥା ଅଜଣା ସ୍ଥାନ ଖୋଜିବାରେ ଲୋକଙ୍କୁ କୌଣସି ଅସୁବିଧା ହେଉନାହିଁ । ଗୋଟିଏ କ୍ଲିକରେ ଅଜଣା ଓ ଅଚିହ୍ନା ଜାଗାରେ ନିର୍ଭୁଲ ଭାବେ ପହଞ୍ଚାଇ ଦେଉଛି ଗୁଗୁଲ ମ୍ୟାପ୍। ଏପରିକି ହଜାର ହଜାର କିଲୋମିଟର ଦୂର ସ୍ଥାନକୁ ଯିବା ପାଇଁ ହେଲେ ମଧ୍ୟ ଗୁଗୁଲ ମ୍ୟାପ୍ ସାଜିଛି ସାହାରା। କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହି ଗୁଗୁଲ ମ୍ୟାପ୍ ସାହାଯ୍ୟରେ ଆପଣ ସବୁ ସ୍ଥାନରେ ପହଞ୍ଚି ପାରିବେ ନାହିଁ ? କାରଣ ବିଶ୍ୱର ଏମିତି ଅଧିକାଂଶ ସ୍ଥାନ ରହିଛି ଯେଉଁଠି ଗୁଗୁଲ ମ୍ୟାପ୍ ବି ଆପଣଙ୍କୁ ପହଞ୍ଚାଇପାରିବ ନାହିଁ । ଆଉ ଏହି ସ୍ଥାନ ଗୁଡିକ ବେଶ ରହସ୍ୟମୟ ମଧ୍ୟ । ତେବେ ଆସନ୍ତୁ ଜାଣିବା ସେହିଭଳି କିଛି ଲୋକେସନ ବାବଦରେ ଯେଉଁଠି ଗୁଗୁଲ୍ ମ୍ୟାପ୍ ଯୋଗେ ପହଞ୍ଚିବା ବହୁତ କଷ୍ଟକର।
୧) ଦୁନିଆରେ ଏପରି ଅନେକ ଜେଲ ରହିଛି ଯାହାକୁ ଗୁଗୁଲ ମ୍ୟାପ୍ ସେନସର କରିଛି ବା ବ୍ଲର କରିଛି । କାରଣ ଏହି ଲୋକେସନ ଗୁଡିକ ବେଶ ସମ୍ବେଦନଶୀଳ ଅଞ୍ଚଳରେ ଆସୁଛି । ସେଣ୍ଟ୍ରାଲ ଫ୍ରାନ୍ସରେ ଥିବା ମୋନଟ୍ଲୁକୋନ ଜେଲକୁ ମଧ୍ୟ ଗୁଗୁଲ ମ୍ୟାପରେ ସେନସର କରାଯାଇଛି । ଏହା ପଛର ମଧ୍ୟ ଏକ କାରଣ ରହିଛି । ବିଭିନ୍ନ ରିପୋର୍ଟ ଅନୁଯାୟୀ, ଗୁଗୁଲ ମ୍ୟାପ୍ ଜରିଆରେ ଜଣେ ଅପରାଧୀ ଏହି ଜେଲରୁ ଖସିଯିବାକୁ ଗୁଗୁଲ ମ୍ୟାପର ବ୍ୟବହାର କରିଥିଲା । ଆଉ ଏହି ଘଟଣା ସାମ୍ନାକୁ ଆସିବା ପରେ ୨୦୧୮ରେ ଏହି ଜେଲର ଫଟୋକୁ ଗୁଗୁଲରୁ ହଟାଇବାକୁ କମ୍ପାନିକୁ ନିର୍ଦ୍ଦେଶ ଦେଇଥିଲେ ଫ୍ରାନ୍ସ ସରକାର ।
![](https://sanskarnetwork.in/odia/wp-content/uploads/2021/09/20210919_195403.jpg)
୨) ସେହିଭଳି ପ୍ରଶାନ୍ତ ମହାସାଗରରେ ଥିବା ମୋରୁରା ଦ୍ୱୀପର ଅଧିକାଂଶ ସ୍ଥାନ ଗୁଡିକୁ ଗୁଗୁଲ ମ୍ୟାପରେ ବ୍ଲର କରାଯାଇଛି । ପରମାଣୁ ପରୀକ୍ଷଣ ପାଇଁ ଏହି ଦ୍ୱୀପର ବ୍ୟବହାର କରାଯାଉଥିବାରୁ ଏହାକୁ ବ୍ଲର କରାଯାଇଛି । ଫ୍ରାନ୍ସ ସରକାର ୧୯୬୬ରୁ ୧୯୯୬ ମସିହା ମଧ୍ୟରେ ୧୫୦ରୁ ଅଧିକ ପରମାଣୁ ପରୀକ୍ଷଣ ଏହି ଦ୍ୱୀପରେ କରିଥିବା କୁହାଯାଉଛି।
![](https://sanskarnetwork.in/odia/wp-content/uploads/2021/09/IMG-20210919-WA0021.jpg)
୩) ସେହିଭଳି ଆଉ ଏକ ସ୍ଥାନ ହେଉଛି ପୂର୍ବ ସାଇବେରିଆର ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଜେନେଟ ଦ୍ୱୀପ। ଏହି ଦ୍ୱୀପକୁ ମଧ୍ୟ ଗୁଗୁଲ ମ୍ୟାପରେ ବ୍ଲର କରାଯାଇଛି । ଏହି ଦ୍ୱୀପଟି ଅଧିକାଂଶ ସମୟ ବରଫରେ ଆଚ୍ଛାଦିତ ହୋଇ ରହିଥାଏ । ତେବେ ଏହାକୁ କାହିଁକି ମ୍ୟାପରେ ବ୍ଲର କରି ରଖାଯାଇଛି ସେ ବାବଦରେ କୌଣସି ସ୍ପଷ୍ଟ ତଥ୍ୟ ନାହିଁ ।
![](https://sanskarnetwork.in/odia/wp-content/uploads/2021/09/IMG-20210919-WA0022.jpg)
୪) ସେହିଭଳି ଉତ୍ତର କୋରିଆ ଅନେକ ସ୍ଥାନକୁ ଗୁଗୁଲ ମ୍ୟାପରେ ସେନସର୍ଡ କରାଯାଇଛି । ଏକଛାତ୍ରବାଦ ଶାସନ ପାଇଁ ଉତ୍ତର କୋରିଆରେ ଏଭଳି ପନ୍ଥା ଆପଣାଯାଇଛି ।
![](https://sanskarnetwork.in/odia/wp-content/uploads/2021/09/IMG-20210919-WA0023.jpg)
୫) ଏହି ତାଲିକାରେ ଆମେରିକାର କିଛି ଗୁପ୍ତ ସ୍ଥାନ ମଧ୍ୟ ରହିଛି। ଆମେରିକାର ଅଲାସ୍କାରେ ଥିବା ଅମଚିତକା ଦ୍ୱୀପକୁ ଗୁଗୁଲ ମ୍ୟାପ୍ ସେନସର କରିଛି । ଏହି ସ୍ଥାନରେ ୧୯୫୦ରୁ ୭୦ ଦଶକ ମଧ୍ୟରେ ଆମେରିକା ଏଠାରେ ଅଣ୍ଡରଗ୍ରାଉଣ୍ଡ ପରମାଣୁ ପରୀକ୍ଷଣ କରିଛି । ଆଉ ପରୀକ୍ଷଣ ପରଠାରୁ ଏହି ସ୍ଥାନ ଉପରେ ସତର୍କଦୃଷ୍ଟି ରଖିଛି ଆମେରିକା । ସୁରକ୍ଷାଦୃଷ୍ଟିରୁ ଏହି ଦ୍ୱୀପକୁ ଗୁଗୁଲ ମ୍ୟାପରେ ସେନସର କରାଯାଇଛି।
![](https://sanskarnetwork.in/odia/wp-content/uploads/2021/09/IMG-20210919-WA0024.jpg)
ତେବେ ଏହି ୫ ଟି ସ୍ଥାନ ସ୍ଥାନକୁ ଛାଡି ଦେଲେ ବିଶ୍ୱର ଏହିଭଳି ଅନେକ ସ୍ଥାନ ରହିଛି ଯାହାର ଠିକଣା ବର୍ତ୍ତମାନ ମଧ୍ୟ ଗୁଗୁଲ ମ୍ୟାପରେ ନାହିଁ। ଆଉ ସେହି ସ୍ଥାନ ଗୁଡିକ ଏକ ସମ୍ବେଦନଶୀଳ ସ୍ଥାନ ଭାବରେ ବିବେଚନା କରାଯାଇଥାଏ।