ସାରା ବିଶ୍ଵରେ ମହାମାରୀ କରୋନା ସଂକ୍ରମଣ ପରେ ସ୍ୱଚ୍ଛତା ପ୍ରତି ଗୁରୁତ୍ୱ ବେଶ୍ ବଢିଯାଇଛି । ଚୀନରୁ ଆରମ୍ଭ ହେଇଥିବା କରୋନା ତାଣ୍ଡବ ପରେ ପରିଷ୍କାର ପରିଛନ୍ନତା ଉପରେ ସତର୍କ ନଜର ରଖାଯାଇଛି ପ୍ରତ୍ୟେକ ଦେଶରେ । କିନ୍ତୁ ଏ ସମୟରେ ଜଣେ ଖୁବ୍ ଜଣାଶୁଣା ନେତାଙ୍କ ବିଷୟରେ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବେ ।
ସେ ନେତା ଜଣକ ହେଲେ ଚୀନର ଶାସକ ମାଓ ଜେଡୋଙ୍ଗ । ତାଙ୍କୁ ନେଇ ଲେଖାଯାଇଥିବା ପୁସ୍ତକ ‘ଦି ପ୍ରାଇଭେଟ୍ ଲାଇଫ୍ ଅଫ୍ ଚେୟାରମ୍ୟାନ୍ ମାଓ’ରେ ଏକ ରୁଚିକର ତଥ୍ୟ ଅଛି ଯଉଟା ଜାଣିଲେ ଖାଲି ଆପଣ କାହିଁକି ଯେକେହି ବି ଆଶ୍ଚର୍ଯ୍ୟ ହେବେ । ମାଓ ସେତୁଙ୍ଗ (ମାଓ ଜେଡୋଙ୍ଗ)ଙ୍କ ଚିକିତ୍ସକ ତଥା ଜଣେ ଅତି ଘନିଷ୍ଠ ବନ୍ଧୁ ଲି ଜିସୁଇଙ୍କ ଲେଖନୀରୁ ମିଳିଛି ସେମିତି କିଛି ରୋମାଞ୍ଚକର ତଥ୍ୟ ।
ଜିସୁଇ ଲେଖିଛନ୍ତି ଯେ ଦାନ୍ତର ସ୍ୱଚ୍ଛତାକୁ ମାଓ ସେତୁଙ୍ଗ କଦାପି ଗୁରୁତ୍ତ୍ଵ ଦେଉ ନଥିଲେ । ଏକଦା ମାଓସେତୁଙ୍ଗ ତାଙ୍କ ଚିକିତ୍ସକଙ୍କୁ କହିଥିଲେ ଯେ ଗରମ ଚା’ ପିଇଦେଲେ ବି ଦାନ୍ତ ସଫା ହୋଇଯାଏ । ତେଣୁ ସେ କେବେ ବି ଦାନ୍ତ ଘଷନ୍ତି ନାହିଁ । ଫଳରେ ମାଓଙ୍କୁ ଦାନ୍ତ ରୋଗ ହେଇଯାଇଥିଲା । ତାଙ୍କ ଦାନ୍ତ ମାଢି ସବୁ କ୍ରମେ ସଢ଼ିବାକୁ ଲାଗିଥିଲା ।

ଦାନ୍ତମୂଳ ସଢିବା ଆରମ୍ଭ କଲା ପରେ ବି ମାଓ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବାକୁ ସଫା ମନା କରିଦେଇଥିଲେ ବୋଲି ଉଲ୍ଲେଖ ରହିଛି । ଏମିତିକି ମାଓଙ୍କ ଯୁକ୍ତି ଥିଲା ଯେ ସିଂହ ଦାନ୍ତ ସଫା କରୁନଥିବାରୁ ହିଁ ତା ଦାନ୍ତ ଏତେ ତୀକ୍ଷଣ । ସୂଚନାଯୋଗ୍ୟ ଯେ ମାଓ କମ୍ୟୁନିଷ୍ଟ ଦଳର ନେତା ଥିଲେ । ତାଙ୍କର ଜନ୍ମ ୨୭ ଡିସେମ୍ବର ୧୮୯୩ରେ ଚୀନରେ ହୋଇଥିଲା ଓ ସେ ହିଁ “ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନା”ର ପ୍ରତିଷ୍ଠାତା ଥିଲେ । ମାର୍କ୍ସବାଦୀ-ଲେନିନବାଦୀ ଚିନ୍ତାଧାରା ସହିତ ସାମରିକ ରଣନୀତିକୁ ମିଶେଇ ସେ ଯେଉଁ ସିଦ୍ଧାନ୍ତକୁ ଜନ୍ମ ଦେଇଥିଲେ ତାହା ମାଓବାଦ ନାମରେ ପରିଚିତ ।