କଳିଯୁଗର ସାବିତ୍ରୀ ଛବିଲତା : ନିଜ ଶରୀରର ଅଧା ଅଙ୍ଗ ସ୍ୱାମୀଙ୍କୁ ଦେଇ ହେଲେ ଅର୍ଦ୍ଧାଙ୍ଗିନୀ, ଦେଖନ୍ତୁ ଭିଡ଼ିଓ

ସଂସ୍କାର : ସ୍ୱାମୀର ମଙ୍ଗଳ ମନାସି ସ୍ତ୍ରୀ ପାଳିଥାଏ ସାବିତ୍ରୀ ବ୍ରତ । କୁହାଯାଏ ସ୍ତ୍ରୀ ହେଉଛି ସ୍ୱାମୀ ପାଇଁ ଅର୍ଦ୍ଧାଙ୍ଗୀନୀ ।ଆଉ ସ୍ୱାମୀ ହେଉଛି ସ୍ତ୍ରୀ ପାଇଁ ଇହକାଳ ପରକାଳର ଦେବତା । କିନ୍ତୁ ଏମିତି ବି ସାବିତ୍ରୀ ଅଛନ୍ତି କି ସ୍ୱାମୀକୁ ଅଙ୍ଗଦାନ କରି ନିଜ ଶଙ୍ଖା ସିନ୍ଦୁରକୁ ବଂଚାଇ ରଖିଛନ୍ତି। ଯମ ମୁହଁରୁ ବଂଚାଇ ପାରିଛନ୍ତି ତାଙ୍କ ସ୍ୱାମୀଙ୍କ ଜୀବନ। ଅର୍ଦ୍ଧାଙ୍ଗୀନିର କର୍ତବ୍ୟ ପାଳନ କରିଛନ୍ତି ଅଧା ଅଙ୍ଗ ଦେଇ।ସ୍ୱାମୀଙ୍କୁ କେବେ ବି ଏକୁଟିଟା ଚାଲିଯିବାକୁ ନ ଦେଇ ନିଜ ଶରୀରର କିଡନୀକୁ ସ୍ୱାମୀକୁ ଦେଇଛନ୍ତି ସ୍ତ୍ରୀ ଛବିଲତା ।

ଛବିଲତା ଆଜି ଆମ ସମାଜ ପାଇଁ ଏକ ଉଦାହରଣ ପାଲଟିଛନ୍ତି । ସାବିତ୍ରୀ ବ୍ରତରେ ତାଙ୍କ ସ୍ୱାମୀଙ୍କୁ ସେ କିଡନୀ ଦେଇ ଯମ ପାଖରୁ ଟାଣିଆଣିଛନ୍ତି । ନିଜ କଥା ଟିକେ ବି ଚିନ୍ତା ନ କରି ସେ ସ୍ୱାମୀକୁ କିଡନୀ ଦେଇ ସମାଜ ପାଇଁ ଏକ ବିରଳ ଉଦାହରଣ ପାଲଟିଯାଇଛନ୍ତି ।

କଟକ ତେଲେଙ୍ଗା ପେଣ୍ଠ ଅଂଚଳର ରଞ୍ଜିତ ଭଟ୍ଟ ଓ ଛବିଲତା ଭଟ୍ଟ ୧୦ ବର୍ଷ ପୂର୍ବେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସୁଖେଦୁଃଖେ ତାଙ୍କ ସଂସାର ଚାଲିଥିଲା । ରଞ୍ଜିତ ମେଡିସିନ ରିପ୍ରେନଜିଟିଭରେ କାମ କରୁଥିଲେ ହଠାତ କେଉଁଠି କଳା ଅନ୍ଧାର ତାଙ୍କ ଜୀବନକୁ ଢାଙ୍କି ଦେଲା । ସୁନାର ସଂସାରରେ ସତେ ଯେମିତି କାହାର ଖରାପ ନଜର ଲାଗିଗଲା । କିଡନୀ ରୋଗରେ ଆକ୍ରାନ୍ତ ହୋଇପଡିଲେ ରଞ୍ଜିତ । ଧୀରେ ଧୀରେ ଦୁଇଟି କିଡନୀ ମଧ୍ୟ ଖରାପ ହେବାକୁ ଲାଗିଲା । ପ୍ରଚୁର ପଇସା ଖର୍ଚ୍ଚ ହେବା ସତ୍ୱେ ମଧ୍ୟ ତାଙ୍କ ରୋଗ ଭଲ ହେଲାନାହିଁ ।

କିଡନୀ ପ୍ରତିରୋପଣ ଏକମାତ୍ର ହିଁ ବିକଲ୍ପ ବୋଲି ଡାକ୍ତର କହିଲେ । ଶେଷରେ ସ୍ତ୍ରୀ ଆଉ କିଛି ଉପାୟ ନ ପାଇ ନିଜ ସ୍ୱାମୀକୁ ବଂଚାଇବାକୁ ଯାଇ ନିଜ କିଡନୀକୁ ଦେଇଥିଲେ ସ୍ୱାମୀକୁ । ଜୀବନ ପଛେ ଯାଉ ସେ ଶଙ୍ଖା ସିନ୍ଦୁରକୁ ବଜାୟ ରଖିବାକୁ ଚାହୁଁଥିଲେ ଏବଂ ତାହା ମଧ୍ୟ କଲେ।

ଗୋଟେ ବର୍ଷ ହେବ ସ୍ତ୍ରୀ କିଡନୀ ଲାଗିଛି ସ୍ୱାମୀ ଶରୀରରେ ଏବଂ ସେ ସୁସ୍ଥ ମଧ୍ୟ ଅଛନ୍ତି । ଚାକିରୀଟିଏ ନଥିବାରୁ ସେ ତେଜରାତି ଦୋକାନ କରି ନିଜର ପେଟ ପୋଷୁଛନ୍ତି । ଆଜିର ଏ ଦୁନିଆରେ ସତରେ ଏ କଥା ଶୁଣିଲେ ଆଶ୍ଚର୍ଯ୍ୟ ବୋଲି ଲାଗୁଥିବା କିନ୍ତୁ ଏହା ନିରାଟ ସତ୍ୟ। ଭଲପାଇବା, ତ୍ୟାଗ ହିଁ ପ୍ରକୃତ ସମ୍ପର୍କ ବୋଲି ବୁଝାଇଦେଇଛନ୍ତି ସମାଜକୁ ଛବିଲତା ।

Leave a Reply

Your email address will not be published. Required fields are marked *