ସଂସ୍କାର : ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଜଣେ କୃଷକ, ଯାହାଙ୍କ ନାମ ମିଶ୍ରିଲାଲ୍ ରାଜପୁତ, ସେ ଏକ ବିଶେଷ ପ୍ରକାରର ଭେଣ୍ଡି (ଲେଡି ଫିଙ୍ଗର) ଚାଷ କରିବା ହେତୁ ଆଜିକାଲି ବେଶ୍ ଚର୍ଚ୍ଚାରେ ରହୁଛନ୍ତି। କାରଣ ବଜାରରେ ତାଙ୍କ ଭେଣ୍ଡିର ମୂଲ୍ୟ ସାଧାରଣ ଭେଣ୍ଡିର ଠାରୁ ଅନେକ ଗୁଣ ଅଧିକ ଏବଂ ଦେଖିବାକୁ ଏହି ଭେଣ୍ଡି ଲାଲ୍। ସ୍ଥାନୀୟ ବାସିନ୍ଦା ଏହି ଭେଣ୍ଡିକୁ ଲାଲ୍ ଭେଣ୍ଡି କୁହନ୍ତି। ଆଉ ଏହି ଲାଲ୍ ଭେଣ୍ଡି ଚାଷ ଆଜି ମିଶ୍ରିଲାଲଙ୍କୁ ଲକ୍ଷପତି କରାଇଦେଇଛି। ଆଉ ବର୍ତ୍ତମାନ ଦୂରଦୂରାନ୍ତରୁ ଅନେକ କୃଷକ ମିଶ୍ରିଲାଲ୍ ରାଜପୁତଙ୍କ ପାଖକୁ ଆସି ଏହି ଲାଲ୍ ଭେଣ୍ଡି ଚାଷ ବିଷୟରେ ସୂଚନା ନେଉଛନ୍ତି ଏବଂ ଏହାର ପଦ୍ଧତି ଜାଣିବାକୁ ଚେଷ୍ଟା କରୁଛନ୍ତି। ଯଦ୍ୱାରା ସେମାନେ ବି ମୋଟା ରକମର ଟଙ୍କା ଉପର୍ଜନା କରିପାରିବେ।
ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଯେ, ଏହି ଲାଲ ଭେଣ୍ଡିର ମୂଲ୍ୟ ବଜାରରେ ୨୫୦ ଗ୍ରାମ କୁ ୨୦୦ ଟଙ୍କାରେ ଏବଂ ୫୦୦ ଗ୍ରାମକୁ ୪୦୦ ଟଙ୍କାରେ ବିକ୍ରି ହେଉଛି। ଏଥିରୁ ସ୍ପଷ୍ଟ ହେଉଛି ଯେ ମିଶ୍ରିଲାଲ୍ ରାଜପୁତଙ୍କ ଏହି ଭେଣ୍ଡିର ଦାମ ବଜାରରେ କିଲୋଗ୍ରାମ ପ୍ରତି ୮୦୦ ଟଙ୍କା ରହିଛି।
କୃଷକ ମିଶ୍ରିଲାଲ୍ ରାଜପୁତ ଲାଲ୍ ଭେଣ୍ଡି ଚାଷର ତାଲିମ ନେବାକୁ ବନାରସ ଯାଇଥିଲେ। ସେଠାରେ ସେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭେଜିଟେବୁଲ ର ଗବେଷଣା କେନ୍ଦ୍ରରେ ଲାଲ୍ ଭେଣ୍ଡିର ଚାଷ କରିବାର ପଦ୍ଧତି ଶିଖିଥିଲେ। ସୂଚନାଯୋଗ୍ୟ ଯେ, ପୂର୍ବରୁ ଏହି ପ୍ରକାରର ଭେଣ୍ଡି ଇଉରୋପୀୟ ଦେଶମାନଙ୍କରେ ଚାଷ କରାଯାଉଥିଲା ଏବଂ ଏହା ଭାରତୀୟ ବଜାରକୁ ଆମଦାନୀ ହେଉଥିଲା।
କାହିଁକି ଏତେ ଅଧିକ ଏହି ଲାଲ୍ ଭେଣ୍ଡି ?
ଭୋପାଲ୍ ବଜାରରେ ଲାଲ୍ ଭେଣ୍ଡିର ମୂଲ୍ୟ ଅଧିକ, କାରଣ ଲୋକମାନେ ଏହାକୁ ବହୁତ ପସନ୍ଦ କରନ୍ତି। ଲୋକମାନେ କୁହନ୍ତି ଯେ ଏହା ଖାଇବା ଦ୍ୱାରା ବହୁତ ଭଲ ଲାଗେ। ଏହାର ସ୍ୱାଦ ଅତ୍ୟନ୍ତ ସ୍ଵାଦିଷ୍ଟ। ମିଶ୍ରଲାଲ ରାଜପୁତ କହିଛନ୍ତି ଯେ, ‘ଏହି ଲାଲ୍ ଭେଣ୍ଡି , ସବୁଜ ଭେଣ୍ଡି ଅପେକ୍ଷା ଅଧିକ ଲାଭଦାୟକ ଏବଂ ସ୍ୱାସ୍ଥ୍ୟ ପାଇଁ ପୁଷ୍ଟିକର ଅଟେ। ହୃଦଘାତ, ରକ୍ତଚାପ, ମଧୁମେହ, କୋଲେଷ୍ଟ୍ରଲ ପରି ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଥିବା ଲୋକଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ଅଟେ। ଆଣ୍ଟି-ଅକ୍ସିଡାଣ୍ଟ, ଆଇରନ୍ ଏବଂ କ୍ୟାଲସିୟମ୍ ସହିତ ଅନ୍ୟାନ୍ୟ ପୁଷ୍ଟିକର ଖାଦ୍ୟ ଲାଲ୍ ଭେଣ୍ଡିରେ ଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ। ଏହା ବ୍ୟତୀତ ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଉପାଦାନ ମଧ୍ୟ ଅଛି, ଯାହା ହୃତପିଣ୍ଡ ପାଇଁ ଲାଭଦାୟକ।