ଆସନ୍ତାକାଲି ଠାରୁ ସାରା ରାଜ୍ୟରେ ୧୪ ଦିନିଆ ଲକ୍‌ଡ଼ାଉନ୍ ଆରମ୍ଭ : ଏସବୁ ରହିବ ଖୋଲା ଏବଂ ବନ୍ଦ ରହିବ …

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତାକାଲି (ମଇ ୫ ତାରିଖ) ବୁଧବାର ଦିନ ସକାଳ ୫ଟାରୁ ୧୯ ତାରିଖ ସକାଳ ୫ଟା ଯାଏଁ ଲକ୍‌ଡ଼ାଉନ୍ ସାରା ରାଜ୍ୟରେ ବଳବତ୍ତର ରହିବ । ଏହି ଲକ୍‌ଡାଉନ୍‌ ସତ୍ତ୍ୱେ ସହରାଞ୍ଚଳରେ ପ୍ରତି ଶନିବାର ଏବଂ ରବିବାର ପୂର୍ବବତ୍ ସଟ୍‌ଡାଉନ୍‌ ରହିବ । ଏନେଇ ରବିବାର ଦିନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଥିଲେ । ଏହାସହିତ ୫୦୦ ମିଟର ଦୂରତା ମଧ୍ୟରେ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ପାଦରେ ଚାଲିଚାଲି ଯାଇ ଆବଶ୍ୟକୀୟ ଜିନିଷ କିଣି ପାରିବେ । ଜରୁରୀ ସେବା ସାଙ୍ଗକୁ ଅତିଆବଶ୍ୟକ କାମକୁ ବାଦ୍‌ ଦେଲେ ଗାଡ଼ି ମୋଟର ଚଳାଚଳରୁ ନେଇ ଦୋକାନ ବଜାର ଯିବା ବନ୍ଦ କରାଯାଇଛି । ଅର୍ଥାତ୍ ବସ ଗଡ଼ିବନି କି ଅଟୋ ଚାଲିବନି ।

ଏ ଲକ୍‌ଡ଼ାଉନ୍ ସମୟରେ କୌଣସି ପ୍ରକାର ସଭାସମିତି କି ସମାବେଶ ହୋଇପାରିବନି । କରୋନା ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବାକୁ ସରକାରଙ୍କର ଏ କଠୋର ନିଷ୍ପତ୍ତି ହେଲେ ଗରିବ, ଚାଷୀ ଓ ଶ୍ରମିକ ପରିବାରଙ୍କର ଏହା ମଧ୍ୟରେ କୌଣସି କ୍ଷତି ନହେଉ ତେଣୁ ଅନୁକୂଳ ପଦକ୍ଷେପ ମଧ୍ୟ ନିଆଯାଇଛି । ଫଳରେ ଲକ୍‌ଡାଉନ୍‌ବେଳେ ଯେପରି ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ଦୈନନ୍ଦିନ ସାମଗ୍ରୀ ଉପଲବ୍ଧ ରହିବ, ସେଥିପାଇଁ ବ୍ୟବସ୍ଥା କରାଯାଇଛି ।

ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ପନିପରିବା, ତେଜରାତି ଦୋକାନ, ଫଳ ଦୋକାନ, ମାଛ, ମାଂସ ଦୋକାନ ଖୋଲା ରହିବ । ଦୋକାନଗୁଡ଼ିକ ପରସ୍ପର ମଧ୍ୟରେ ୩୦ ଫୁଟ ଦୂରତା ରକ୍ଷା କରିବେ ଏବଂ ଗ୍ରାହକ-ବିକ୍ରେତା ଉଭୟ କଡ଼ାକଡ଼ି ରୂପେ କୋଭିଡ୍‌ ନିୟମ ମାନିବେ । ଏଣୁ ହାଟକୁ ନା କୁହାଯାଇଛି । କେବଳ ଜରୁରୀ ସେବାରେ ନିୟୋଜିତ ସଂସ୍ଥାର କର୍ମଚାରୀମାନେ ପରିଚୟପତ୍ର ଦେଖାଇ ଯାଇପାରିବେ । ବିମାନବନ୍ଦର ଓ ରେଳ ଷ୍ଟେସନକୁ ଯିବା ପାଇଁ ଆବଶ୍ୟକ ପ୍ରମାଣ ଦେଖାଇ ଯାଇହେବ । ହୋଟେଲ, ରେସ୍ତୋରାଁ ଏବଂ ଢାବାଗୁଡ଼ିକ କେବଳ ହୋମ୍‌ ଡେଲିଭରି ଦେଇପାରିବେ । ସମସ୍ତ ପ୍ରକାର ଅନଲାଇନ ଓ ହୋମ୍‌ ଡେଲିଭରି ସେବା ଉଭୟ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ରେ ଚାଲୁ ରହିବ ।  

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଏହି ଲକ୍‌ଡାଉନ୍‌ରେ କୋଭିଡ୍‌ ଟିକାକରଣ ବାଧାପ୍ରାପ୍ତ ହେବନି । ଅନୁମତିପ୍ରାପ୍ତ ଲୋକେ ଟିକା ପାଇଁ ଟିକାକରଣ କେନ୍ଦ୍ରକୁ ଯାଇପାରିବେ । ସେହିପରି କୋଭିଡ୍‌ ଟେଷ୍ଟିଂ ପାଇଁ ମଧ୍ୟ ଲୋକେ ହସ୍ପିଟାଲ ଯାଇପାରିବେ । ଏହାସହିତ ସମସ୍ତ ପ୍ରକାର ପ୍ରଦର୍ଶନୀ, ମେଳା, ସମ୍ମିଳନୀ, ସିନେମା ହଲ୍‌, ମାର୍କେଟ କମ୍ପେ୍ଲକ୍ସ, ମଲ୍‌, ଜିମ୍‌, ଥିଏଟର, ବାର୍‌, ଯାତ୍ରା, ମୁକ୍ତାକାଶ ରଂଗମଞ୍ଚ ଓ ସର୍ବସାଧାରଣ ମନୋରଞ୍ଜନ କାର୍ଯ୍ୟକ୍ରମ ବନ୍ଦ ରହିବ । ସେଲୁନ, ସ୍ପା, ବିୟୁଟି ପାର୍ଲର ଆଦି ଖୋଲିବନି ।

କାର୍ଯ୍ୟ ଚାଲୁ ରଖିବା ପାଇଁ ସରକାର ଅନୁମତି ଦେଇନଥିବା ସମସ୍ତ ଶିକ୍ଷାନୁଷ୍ଠାନ, ତାଲିମ କେନ୍ଦ୍ର, କୋଚିଂ ସେଣ୍ଟର ଆଦି ବନ୍ଦ ରହିବ । ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତିକ ସ୍ତରର ଅନୁଷ୍ଠାନମାନଙ୍କ ଦ୍ୱାରା ହେବାକୁ ଥିବା ପରୀକ୍ଷା ସଂପୃକ୍ତ ବିଭାଗର ଅନୁମତି କ୍ରମେ ହିଁ କରାଯିବ । ସେପଟେ ଧର୍ମସ୍ଥଳୀ ଓ ଧର୍ମାନୁଷ୍ଠାନରେ ଦେବନୀତି ସ୍ୱଳ୍ପ ସଂଖ୍ୟକ ପୂଜାରୀ ଓ ସେବାୟତଙ୍କୁ ନେଇ ସମ୍ପନ୍ନ କରାଯିବ । ସର୍ବସାଧାରଣଙ୍କ ଦର୍ଶନ ଉପରେ ରୋକ୍‌ । ଧାର୍ମିକ ସମାବେଶକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ପୂର୍ବ କଟକଣା ଜାରି ରହିଛି । ବିବାହ ଉତ୍ସବରେ ବର, କନ୍ୟା, ପୂଜକ ଓ ଉଭୟ ପକ୍ଷର ଲୋକଙ୍କ ସମେତ ସର୍ବାଧିକ ୫୦ ଜଣ ଉପସ୍ଥିତ ରହିପାରିବେ । ଶେଷ କୃତ୍ୟ କର୍ମରେ ସର୍ବାଧିକ ୨୦ ଜଣ ଯୋଗ ଦେଇପାରିବେ । ସମସ୍ତ ପ୍ରକାର ମାଲ୍‌ ପରିବହନ, କୃଷି ଓ ଆନୁସଙ୍ଗିକ କାର୍ଯ୍ୟ, ଶିଳ୍ପାନୁଷ୍ଠାନ ଓ ଜରୁରୀ ସେବା ପୂର୍ବଭଳି କଟକଣାମୁକ୍ତ ରହିଛି । କୃଷି, ଉଦ୍ୟାନ କୃଷି, ପଶୁପାଳନ, ମତ୍ସ୍ୟଚାଷ କାର୍ଯ୍ୟ ଜାରି ରହିବ । ବିହନ, ସାର, କୀଟନାଶକ ଦ୍ରବ୍ୟ ଦୋକାନ ଖୋଲା ରହିବ ।

ଏହି ଲକ୍‌ଡ଼ାଉନ୍ ସମୟରେ ଗଣମାଧ୍ୟମକୁ କଟକଣାମୁକ୍ତ ରଖାଯାଇଛି । ଖବରକାଗଜ ବିତରକମାନେ ସକାଳ ୫ଟାରୁ ୮ଟା ଭିତରେ ଖବରକାଗଜ ବିତରଣ କରିପାରିବେ। ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ଜାରି ରହିବ। ତେଣୁ ନିର୍ମାଣ ସାମଗ୍ରୀ ଦୋକାନ ଖୋଲା ରହିବ । ଛାତ୍ରଛାତ୍ରୀଙ୍କ ପାଠପଢ଼ା ଯେପରି ବାଧାପ୍ରାପ୍ତ ନ ହୁଏ, ସେଥିପାଇଁ ବହି ଦୋକାନକୁ କଟକଣାମୁକ୍ତ ରଖାଯାଇଛି । ଏଥିସହିତ ଇଲେକ୍ଟ୍ରିସିଆନ, ଏସି-ଫ୍ରିଜ୍‌-କୁଲର ଆଦି ମରାମତି କରୁଥିବା ମିସ୍ତ୍ରୀ, ପ୍ଲମ୍ବର, ଆଇଟି ଟେକ୍ନିସିଆନ, କାଠ କାରିଗର ନିଜ କାମ କରିପାରିବେ ଏବଂ ମରାମତି ସେବା ଚାଲୁ ରହିବ । ଏମିତିକି ମୋବାଇଲ ମରାମତି ଦୋକାନ ସହିତ ଗାଡ଼ି ମରାମତି କରୁଥିବା ଗ୍ୟାରେଜ ମଧ୍ୟ ଲକଡାଉନରେ ଖୋଲା ରହିବ । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର କାର୍ଯ୍ୟ ଜାରି ରହିପାରିବ ।

ବ୍ୟାଙ୍କ, ଏଟିଏମ, ଇନସ୍ୟୁରାନ୍ସ, ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା, ଋଣ ସମବାୟ ସମିତି କାର୍ଯ୍ୟ ଜାରି ରଖିପାରିବେ । ସ୍ୱାସ୍ଥ୍ୟ ସେବା, ଜଳଯୋଗାଣ, ବିଦ୍ୟୁତ ସରବରାହ, ପରିମଳ ସେବା, ଟେଲିଫୋନ ଓ ଇଣ୍ଟରନେଟ ଦେବା, ଡିଟିଏସ୍‌ ସେବା, ଗ୍ୟାସ ବିତରଣ ଓ ପେଟ୍ରୋଲ ପମ୍ପ ଆଦି ଖୋଲା ରହିବ । ଆଇଟି ସଂସ୍ଥାଗୁଡ଼ିକରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବେ । ଜରୁରୀ ସେବାରେ ଜଡ଼ିତ ବିଭାଗକୁ ବାଦ୍‌ ଦେଲେ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ସ୍ୱଳ୍ପ କର୍ମଚାରୀଙ୍କୁ କାମ କରିବେ । ଘରୋଇ ଏବଂ କର୍ପୋରେଟ ସଂସ୍ଥାଗୁଡ଼ିକ ୩୩ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବାକୁ ପରାମର୍ଶ ଦିଆଯାଇ ଥିବାବେଳେ ଅନ୍ୟମାନେ ୱାର୍କ ଫ୍ରମ୍‌ ହୋମ୍‌ କରିପାରିବେ ।

Leave a Reply

Your email address will not be published. Required fields are marked *