ଟୋକିଓ ଅଲିମ୍ପିକ୍ସରେ ଭାରତର ପଦକ ବିଜେତାଙ୍କୁ ହେଉଛି ଟଙ୍କା ବର୍ଷା ; ଜାଣନ୍ତୁ କାହାକୁ କେତେ ଦିଆଯାଉଛି ..

ସଂସ୍କାର : ସରିଛି ଜାପାନର ରାଜଧାନୀ ଟୋକିଓରେ ଅନୁଷ୍ଠିତ ହେଉଥିବା କ୍ରୀଡାର ମହାକୁମ୍ଭ ଅଲିମ୍ପିକ୍ସ। ଆଉ ଏହି ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ସମସ୍ତ ଦେଶର ପ୍ରତିଯୋଗୀମାନେ ମଧ୍ୟ ବହୁତ ଭଲ ପ୍ରଦର୍ଶନ କରିଥିଲେ। ଅନ୍ୟପଟେ ଏହି ଅଲିମ୍ପିକ୍ସରେ ଭାଗ ନେଇଥିବା ଭାରତୀୟ ପ୍ରତିଯୋଗୀମାନେ ମଧ୍ୟ ନିଜ ନିଜର ଭଲ ଖେଳ ଖେଳିଥିଲେ। ଏକପ୍ରକାର କହିବାକୁ ଗଲେ ଟୋକିଓ ଅଲିମ୍ପିକ୍ସ ଭାରତ ପାଇଁ ଐତିହାସିକ ସାବ୍ୟସ୍ତ ହୋଇଛି। ଟୋକିଓ ଅଲିମ୍ପିକ୍ସରେ ଭାରତ ମୋଟ ୭ ଟି ପଦକ ଜିତିଛି। ଯେଉଁଥିରେ ଗୋଟିଏ ସ୍ୱର୍ଣ୍ଣ ପଦକ ରହିଥିବା ବେଳେ, ୨ ଟି ରୌପ୍ୟ ଓ ୪ ଟି ବ୍ରୋଞ୍ଜ ପଦକ ରହିଛି। ତେବେ ଷ୍ଟାର୍ ଆଥଲେଟ୍ ନିରଜ୍ ଚୋପ୍ରା ଭାରତ ପାଇଁ ଅଲିମ୍ପିକ୍ସ ଶେଷ ହେବାର ଗୋଟିଏ ଦିନ ଆଗରୁ ସ୍ୱର୍ଣ୍ଣ ପଦକ ଆଣି ଭାରତୀୟଙ୍କୁ ସମସ୍ତଙ୍କ ସାମ୍ନାରେ ଗୌରବନ୍ୟୁତ କରିଥିଲେ। ଟୋକିଓ ଅଲିମ୍ପିକ୍ସରେ ମିରାବାଇ ଚାନୁଙ୍କ ଠାରୁ ଆରମ୍ଭ ହୋଇଥିବା ଭାରତର ପଦକ ଯାତ୍ରା ନିରଜଙ୍କ ସ୍ବର୍ଣ୍ଣ ପଦକରେ ଶେଷ ହୋଇଥିଲା।

ତେବେ ଭାରତ ପାଇଁ ପଦକ ଆଣିଥିବା ଖେଳାଳିଙ୍କ ଉପରେ ବର୍ତ୍ତମାନ ଶୁଭେଚ୍ଛା ସହିତ ଟଙ୍କାର ମଧ୍ୟ ବର୍ଷା ହେଉଛି। ବିଶେଷ କରି ସ୍ବର୍ଣ୍ଣ ପଦକ ବିଜେତା ନିରଜଙ୍କ ଉପରେ ବର୍ତ୍ତମାନ ଟଙ୍କାର ବର୍ଷା ହେଉଛି। ତେବେ ଆସନ୍ତୁ ନଜର ପକାଇବା ପଦକ ବିଜେତାଙ୍କୁ କିଏ କେତେ ଟଙ୍କା ଦେଉଛନ୍ତି।

ନିରଜ୍ ଚୋପ୍ରା : ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିବା ନିରଜ୍ ଚୋପ୍ରାଙ୍କୁ ବର୍ତ୍ତମାନ ଶୁଭେଚ୍ଛା ଓ ଟଙ୍କା ବର୍ଷା ହେଉଛି। ନିରଜଙ୍କୁ ହରିୟାଣା ମୁଖ୍ୟମନ୍ତ୍ରୀ ମନହୋର ଲାଲ ଖଟ୍ଟର ୬ କୋଟି ଟଙ୍କାର ପୁରସ୍କାର ରାଶି ଦେବେ ବୋଲି ଘୋଷଣା କରିଛନ୍ତି। ଏହା ସହ ଆଥଲେଟିକ୍ସର ସେଣ୍ଟର ଫର ଏକ୍ସିଲେନ୍ସିର ମୁଖ୍ୟ ଭାବେ ନିରଜଙ୍କୁ ନିଯୁକ୍ତି ଦିଆଯିବ ବୋଲି ଘୋଷଣା କରିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନହୋର ଲାଲ ଖଟ୍ଟର।

ସେହିପରି ନିରଜଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରେନ୍ଦ୍ର ସିଂ ୨ କୋଟି , ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ ୭୫ ଲକ୍ଷ ଓ ବିସିସିଆଇ ୧ କୋଟି ଟଙ୍କା ଦେବ। ଅନ୍ୟପଟେ ଆଇପିଏଲ୍ ଟିମ୍ ଚେନ୍ନାଇ ସୁପର କିଙ୍ଗସ ନିରଜଙ୍କୁ ୧ କୋଟି ଟଙ୍କା ଦେବା ସହ ୮୭୫୮ ଜର୍ସି ପ୍ରଦାନ କରିବେ। ଆହୁରି ଏୟାର ଇଣ୍ଡିଆ ନିରଜଙ୍କୁ ଏକ ବର୍ଷର ମାଗଣା ଯାତ୍ରାର ସୁବିଧା ଦେଇଛି। ଏହା ସହ ବାଇଜୁସ୍ ୨ କୋଟି ଟଙ୍କା ଦେବ ବୋଲି ଘୋଷଣା କରିଛି।

ମୀରାବାଇ ଚାନୁ : ସେହିପରି ଭାରୋତ୍ତୋଳନରେ ରୌପ୍ୟ ପଦକ ଜିତିଥିବା ମୀରାବାଇ ଚାନୁଙ୍କ ଉପରେ ମଧ୍ୟ କୁବେର ଦେବତା ପ୍ରସନ୍ନ ହୋଇଛନ୍ତି। ତାଙ୍କୁ ଭାରତର ରେଲୱେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଲୱେ ପକ୍ଷରୁ ୨ କୋଟି ଟଙ୍କା , ମଣିପୁର ମୁଖ୍ୟମନ୍ତ୍ରୀ ବିରେନ୍ ସିଂ ୧ କୋଟି ଟଙ୍କା ଓ ରାଜ୍ୟର ପୋଲିସ ବିଭାଗରେ ଏସପି ପଦରେ ନିଯୁକ୍ତି ଦେବେ ବୋଲି ଘୋଷଣା କରିଛନ୍ତି। ସେଭଳି ବିସିସିଆଇ ମଧ୍ୟ ମୀରାବାଇଙ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦେବ ବୋଲି ଘୋଷଣା କରିଛି। ଅନ୍ୟପଟେ ମୀରାବାଇଙ୍କୁ ବାଇଜୁସ୍ ୧ କୋଟି ଟଙ୍କା ପୁରସ୍କାର ଭାବେ ଦେବ ବୋଲି ଘୋଷଣା କରିଛି।

ରବିକୁମାର ଦହିୟା : ରେସଲିଂରେ ରୌପ୍ୟ ପଦକ ଜିତିଥିବା ରବିକୁମାର ଦହିୟାଙ୍କୁ ହରିୟାଣା ମୁଖ୍ୟମନ୍ତ୍ରୀ ମନହୋର ଲାଲ ଖଟ୍ଟର ୪ କୋଟି ଟଙ୍କା ପୁରସ୍କାର ଅର୍ଥ ରାଶି ଦେବେ। ଏହା ସହ ବିସିସିଆଇ ୫୦ ଲକ୍ଷ, ଆଇଓଏ ୪୦ ଲକ୍ଷ ଏବଂ ବାଇଜୁସ୍ ୧ କୋଟି ଟଙ୍କା ଦେବ।

ପିଭି ସିନ୍ଧୁ : ବ୍ୟାଡମିଣ୍ଟନ କୁଇନ ପିଭି ସିନ୍ଧୁ ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି। ଆଉ ତାଙ୍କର ଏହି ବିଜୟ ପାଇଁ ତାଙ୍କୁ ଆନ୍ଧ୍ରପ୍ରଦେଶ ସରକାର ୩୦ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ଦେବେ ବୋଲି ଘୋଷଣା କରିଛନ୍ତି। ସେହିପରି ବିସିସିଆଇ ୨୫ ଲକ୍ଷ ଟଙ୍କା ଓ ବାଇଜୁସ୍ ୧ କୋଟି ଟଙ୍କା ଦେବେ ବୋଲି ଘୋଷଣା କରିଛନ୍ତି।

ଲୋଭଲିନା ବୋର୍ଗୋହେନ୍ :- ଟୋକିଓ ଅଲିମ୍ପିକ୍ସର ବକ୍ସିଂ ଇଭେଣ୍ଟରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି ଲୋଭଲିନା ବୋର୍ଗୋହେନ୍। ଆଉ ତାଙ୍କର ଏହି ବିଜୟରେ ଖୁସିବ୍ୟକ୍ତ କରି ଆସାମ କଂଗ୍ରେସ ୩ କୋଟି ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରିଛି। ସେହିଭଳି ବିସିସିଆଇ ଓ ଆଇଓଏ ୨୫ ଲକ୍ଷ ଲେଖାଏଁ ଲୋଭଲିନାଙ୍କୁ ଦେବେ ବୋଲି ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ବାଇଜୁସ୍ ମଧ୍ୟ ଲୋଭଲିନାଙ୍କୁ ୧ କୋଟି ଟଙ୍କା ଦେବ।

ବଜରଙ୍ଗ ପୁନିଆ : ରେସଲିଂରେ ବ୍ରୋଞ୍ଜ ପଦକ ହାସଲ କରିଥିବା ବଜରଙ୍ଗ ପୁନିଆଙ୍କୁ ହରିୟାଣା ମୁଖ୍ୟମନ୍ତ୍ରୀ ମନହୋର ଲାଲ ଖଟ୍ଟର ୨.୫ କୋଟି ଟଙ୍କାର ପୁରସ୍କାର ରାଶି ଦେବେ ବୋଲି ଘୋଷଣା କରିଛନ୍ତି। ଏହା ସହ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ପୁନିଆଙ୍କୁ ସରକାରୀ ଚାକିରୀ ସହ ଏଚଏସଭିପି ପ୍ଲଟ ଦେବେ। ସେହିପରି ବିସିସିଆଇ ଓ ଆଇଓଏ ମଧ୍ୟ ୨୫ ଲକ୍ଷ ଲେଖାଏଁ ଦେବେ ବୋଲି ଘୋଷଣା କରିଛନ୍ତି। ସେହିଭଳି ବାଇଜୁସ୍ ମଧ୍ୟ ପୁନିଆଙ୍କୁ ୧ କୋଟି ଟଙ୍କା ଦେବ।

ଭାରତୀୟ ପୁରୁଷ ହକି ଦଳ : ସେହିପରି ହକିରେ ଭାରତୀୟ ପୁରୁଷ ହକି ଦଳ ପ୍ରାୟ ୪୧ ବର୍ଷ ପରେ ଏକ ରେକର୍ଡ କରିଛନ୍ତି। ୪୧ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ଭାରତୀୟ ହକି (ପୁରୁଷ) ଦଳ ଦେଶକୁ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଆଣିଛନ୍ତି। ତେବେ ପୁରୁଷ ହକି ଦଳର ସମସ୍ତ ସଦସ୍ୟଙ୍କ ଉପରେ ଟଙ୍କାର ବର୍ଷା ହୋଇଛି। ହରିୟାଣା ମୁଖ୍ୟମନ୍ତ୍ରୀ ମନହୋର ଲାଲ ଖଟ୍ଟର କହିଛନ୍ତି ଯେ, ଦଳର ସୁରେନ୍ଦ୍ର କୁମାର ଓ ସୁମିତଙ୍କୁ ୨.୫ କୋଟି ଲେଖାଏଁ ପୁରସ୍କାର ଅର୍ଥ ରାଶି ଦିଆଯିବ। ଏହା ସହ ବିସିସିଆଇ ସମ୍ପୂର୍ଣ୍ଣ ଦଳକୁ ୧.୨୫ କୋଟି ଟଙ୍କା ଦେବ। ଆଇଓଏ ମଧ୍ୟ ସମ୍ପୂର୍ଣ୍ଣ ଦଳକୁ ୨୫ ଲକ୍ଷ ଟଙ୍କା ଦେବ।
ଅନ୍ୟପକ୍ଷରେ ଓଡ଼ିଶା ସରକାର ଦୁଇ ଓଡ଼ିଆ ଖେଳାଳି ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ୨.୫ କୋଟି ଲେଖାଏଁ ଆର୍ଥିକ ପୁରସ୍କାର ପ୍ରଦାନ କରିଛନ୍ତି। ଏହା ସହ ମହିଳା ହକି ଦଳର ସ୍ଥାନ ପାଇ ଥିବା ଦୀପ ଗ୍ରେସ ଏକ୍କା ଓ ନମିତା ଟପ୍ପୋଙ୍କୁ ୫୦ ଲକ୍ଷ ଲେଖାଏଁ ଆର୍ଥିକ ପୁରସ୍କାର ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *