ସଂସ୍କାର : ମଙ୍ଗଳବାର ସକାଳେ ମହାରାଷ୍ଟ୍ରରେ ଏକ ଯନ୍ତ୍ରଣାଦାୟକ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। ଗୋଟିଏ କାର ବ୍ରିଜରୁ ତଳକୁ ଖସିଯିବା ଫଳରେ ୭ ଜଣ ଡାକ୍ତରୀ ଛାତ୍ରଙ୍କର ମୃତ୍ୟୁ ଘଟିଛି।
ସୂଚନାନୁସାରେ, କାରଟି ଡାଭେଲିରୁ ମହାରାଷ୍ଟ୍ରର ୱାର୍ଡ ଜିଲ୍ଲାକୁ ଯାଉଥିଲା। ତେବେ ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ ଦୁଇ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି। ଆଉ ଏହି ଦୁର୍ଘଟଣାର ଆହତମାନଙ୍କ ପାଇଁ ୫୦ ହଜାର ଟଙ୍କା କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି।
ୱାର୍ଡ଼ ଏସପି ପ୍ରଶାନ୍ତ ହୋଲକର କହିଛନ୍ତି ଯେ ଏହି ଭୟାନକ ଦୁର୍ଘଟଣାରେ ୭ ଜଣ ଡାକ୍ତରୀ ଛାତ୍ରଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ବିଜେପି ବିଧାୟକ ଅଭିଷେକର ରାହଙ୍ଗଡେଲଙ୍କ ପୁଅ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି। ସେ କହିଛନ୍ତି ଯେ ରାତି ପ୍ରାୟ ୧୧ ଟା ୩୦ ସମୟରେ ସେଲସୁରା ନିକଟରେ କାରଟି ଅନିୟନ୍ତ୍ରିତ ହୋଇ ଦୁର୍ଘଟଣାର ଶିକାର ହୋଇଥିଲା।
ମୃତ୍ୟୁବରଣ କରିଥିବା ଛାତ୍ରମାନଙ୍କ ନାମ ହେଉଛି ନୀରଜ ଚୌହାନ, ଅଭିଷେକ ରାହଙ୍ଗଡେଲ, ନୀତେଶ ସିଂ, ବିବେକ ନନ୍ଦନ, ପ୍ରତ୍ୟୁଷ ସିଂ, ଶୁଭମ ଜୈସୱାଲ ଏବଂ ପୱନ ଶକ୍ତି। ଅଭିଷେକ ରାହଙ୍ଗଡେଲ ବିଜେପି ବିଧାୟକ ବିଜୟ ରାହଙ୍ଗଡେଲଙ୍କ ପୁଅ ଥିଲେ। ଗତକାଲି ରାତି ପ୍ରାୟ ସାଢ଼େ ୧୧ ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଆଉ ଡାକ୍ତରୀ ଛାତ୍ରଙ୍କ କାର ହଠାତ୍ ରାସ୍ତାରୁ ୪୦ ଫୁଟ ଗଭୀର ଖାତକୁ ଖସି ଯାଇଥିଲା।
କୁହାଯାଉଛି ଯେ କାର ଦ୍ରୁତ ଗତିରେ ଆସୁଥିଲା ଏବଂ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ସେଲସୁରା ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। କାରଟି ହଠାତ୍ ଗାଁ ନିକଟ ନଦୀ ବ୍ରିଜରୁ ଖସିପଡିଥିଲା। ଯେଉଁଥିପାଇଁ ଛାତ୍ରମାନଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ଘଟିଛି।