ଅହମ୍ମଦାବାଦ : ଅହମ୍ମଦାବାଦରେ ପ୍ରଥମ କରୋନା ଆକ୍ରାନ୍ତ ରୋଗୀ ଗତ ସପ୍ତାହରେ ହସ୍ପିଟାଲ୍ରୁ ଡିସ୍ଚାର୍ଜ ହୋଇଛନ୍ତି । ମାର୍ଚ୍ଚ ୧୭ ତାରିଖରେ ସେ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ । ତାଙ୍କୁ ସେଠାରେ ୩୨ ଦିନ ରହିବାକୁ ପଡ଼ିଥିଲା । ସେଠାରୁ ସୁସ୍ଥ ହୋଇ ଘରକୁ ଫେରିଥିବାର ସୂଚନା ମିଳିଛି ।
ସୂଚନା ଅନୁଯାୟୀ ସେ ନ୍ୟୁୟର୍କରେ ଥିବାବେଳେ ଏହି ମହାମାରୀ କରୋନାଭାଇରସ ଦ୍ଵାରା ଆକ୍ରାନ୍ତ ହୋଇଥିଲେ । ମାର୍ଚ୍ଚ ୧୩ ତାରିଖରେ ସେ ଆମେରିକାରୁ ଭାରତକୁ ଫେରିଥିଲେ । ମାର୍ଚ୍ଚ ୧୪ ତାରିଖରେ ସେ ଅହମ୍ମଦାବାଦରେ ପହଞ୍ଚିବା ପରେ ମାର୍ଚ୍ଚ ୧୬ ତାରିଖରେ ତାଙ୍କଠାରେ କରୋନାର ଲକ୍ଷଣ ଦେଖିବାକୁ ମିଳିଥିଲା ।
ଅନୁମାନ କରାଯାଉଛି ଯେ ତାଙ୍କ ଭିତରେ କରୋନା ଲକ୍ଷଣ ଦେଖାଯିବାର ୭ ରୁ ୧୪ ଦିନ ପୂର୍ବରୁ ସେ ହୁଏତ କରୋନାଭାଇରସ ସଂସ୍ପର୍ଶରେ ଆସିଥିଲେ । ଏଥିରୁ ସ୍ପଷ୍ଟ ଯେ ମହାମାରୀ କରୋନାଭାଇରସକୁ ଜିତି ନିଜକୁ ପୂରାପୂରି ଭାବେ ସୁସ୍ଥ କରିବାକୁ ତାଙ୍କୁ ପ୍ରାୟ ୩୯ ଦିନ ଲାଗିଯାଇଛି ।
ଆପଣ ଜାଣିଥିବେ ଯେ ଭାରତରେ ଥିବା ପ୍ରୋଟୋକଲ୍ ଅନୁସାରେ ଜଣେ ଆକ୍ରାନ୍ତଙ୍କୁ ସୁସ୍ଥ ହେବାର ୧୪ ଦିନ ପର୍ଯ୍ୟନ୍ତ ଆଇସୋଲେସନ୍ରେ ରଖାଯାଏ ଏବଂ ତା’ପରେ ଯାଇ ହସ୍ପିଟାଲ୍ରୁ ଡିସ୍ଚାର୍ଜ କରାଯାଏ । ସୁସ୍ଥ ହେବା ପରେ ତାଙ୍କ ଭିତରେ ୩ ଦିନ ପର୍ଯ୍ୟନ୍ତ କରୋନା ନେଗେଟିଭ୍ ଆସିବା ପରେ ଯାଇ ତାଙ୍କୁ ହସ୍ପିଟାଲ୍ରୁ ଘରକୁ ଛଡ଼ାଯାଏ । ଖାଲି ସେତିକି ନୁହେଁ, ୨୪ ଘଣ୍ଟା ଭିତରେ ସେମାନଙ୍କର ୨ ଥର ନମୁନା ପରୀକ୍ଷା କରାଯାଏ ।