ଏକକାଳୀନ ୨୫ ଟା ସ୍କୁଲରେ ଶିକ୍ଷୟତ୍ରୀ : ୧୩ ମାସ ଭିତରେ ଶିକ୍ଷା ବିଭାଗରୁ ହାତେଇଲେ ପ୍ରାୟ ୧ କୋଟି ଟଙ୍କା, ପଢନ୍ତୁ ପୁରା କାହାଣୀ

ରାଜ୍ୟ ମୌଳିକ ଶିକ୍ଷା ବିଭାଗ ଅଧୀନରେ ଉତ୍ତରପ୍ରଦେଶର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ (KGBV)ରେ ନିୟୋଜିତ ଜଣେ ଶିକ୍ଷକ ୨୫ ଟି ବିଦ୍ୟାଳୟରେ ଏକକାଳୀନ କାମ କରି ଗୋଟିଏ ବର୍ଷରେ ପ୍ରାୟ ଏକ କୋଟି ଟଙ୍କା ରୋଜଗାର କରିଛନ୍ତି । ବିଭାଗ ଶିକ୍ଷକମାନଙ୍କ ଡାଟାବେସ୍ ତିଆରି ଆରମ୍ଭ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି ଓ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ବର୍ତ୍ତମାନ ଶିକ୍ଷକମାନଙ୍କର ଡିଜିଟାଲ୍ ଡାଟାବେସ୍ ସୃଷ୍ଟି କରାଯାଉଛି ଏବଂ ଏହି ପ୍ରକ୍ରିୟା ସମୟରେ ଉତ୍ତରପ୍ରଦେଶର ୨୫ ଟି ବିଭିନ୍ନ ବିଦ୍ୟାଳୟରେ ସମାନ ଜଣେ ଶିକ୍ଷକ ନିୟୋଜିତ ହୋଇଥିବା କଥା ଜଣାପଡିଛି । ସୂଚନା ଅନୁଯାୟୀ KGBV ରେ କାର୍ଯ୍ୟ କରୁଥିବା ପୂର୍ଣ୍ଣକାଳୀନ ଶିକ୍ଷୟତ୍ରୀ  ଅନାମିକା ଶୁକ୍ଲାଙ୍କୁ ଏକାସାଙ୍ଗରେ ୨୫ ଟି ବିଦ୍ୟାଳୟରେ ଚାକିରି କରୁଥିବା ଘଟଣା ସାମ୍ନାକୁ ଆସିଛି । ଆମେଥୀ, ଆମ୍ବେଦକର ନଗର, ରାବେରେଲି, ପ୍ରୟାଗରାଜ, ଆଲିଗଡ଼ ଏବଂ ଅନ୍ୟାନ୍ୟ ଜିଲ୍ଲାରେ ଶିକ୍ଷକ ଭାବରେ ତାଙ୍କ ନାମ ପଞ୍ଜୀକୃତ ହୋଇଛି ।

ଚଳିତ ବର୍ଷ ଫେବୃଆରୀ ପର୍ଯ୍ୟନ୍ତ ୧୩ ମାସରୁ ଅଧିକ ସମୟ ଧରି ଶିକ୍ଷା ବିଭାଗରୁ ପ୍ରାୟ ୧ କୋଟି ଟଙ୍କା ବେତନ ପ୍ରତ୍ୟାହାର କରିବାରେ ସେ ସଫଳ ହୋଇଥିଲେ । ବିଭାଗ ସହିତ ଉପଲବ୍ଧ ରେକର୍ଡ ଅନୁଯାୟୀ ଅନାମିକା ଶୁକ୍ଲା ମେନପୁରୀ ଜିଲ୍ଲାର ମୂଳବାସିନ୍ଦା ଏବଂ ବିଭାଗ ଦ୍ଵାରା ପଠାଯାଇଥିବା ଅଭିଯୁକ୍ତଙ୍କୁ ନୋଟିସର କୌଣସି ପ୍ରତିକ୍ରିୟା ଏଯାବତ୍ ମିଳି ପାରିନାହିଁ । ବିଭିନ୍ନ ବିଦ୍ୟାଳୟରୁ ବେତନ ସ୍ଥାନାନ୍ତର ପାଇଁ ସମାନ ବ୍ୟାଙ୍କ ଆକାଉଣ୍ଟ ବ୍ୟବହୃତ ହୋଇଛି କି ନା ଜାଣିବାକୁ ଚେଷ୍ଟା କରୁଥିବାବେଳେ ତାଙ୍କ ଦରମା ତୁରନ୍ତ ପ୍ରଭାବ ସହିତ ଅଟକାଇ ଦିଆଯାଇଛି ।

ଉତ୍ତରପ୍ରଦେଶ ମୌଳିକ ଶିକ୍ଷା ମନ୍ତ୍ରୀ ଡ. ସତୀଶ ଦ୍ୱିବେଦୀ କହିଛନ୍ତି ଯେ ବିଭାଗ ନିର୍ଦ୍ଦେଶ ଦେଇଛି ଏବଂ ଅଭିଯୋଗ ସତ ହେଲେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ସ୍ୱଚ୍ଛତା ପାଇଁ ସରକାର ଡିଜିଟାଲ ଡାଟାବେସ୍ ତିଆରି କରାଉଛି । ଏହି ମାମଲାରେ ବିଭାଗୀୟ ଅଧିକାରୀଙ୍କ କୌଣସି ସମ୍ପୃକ୍ତି ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାବ୍ୟତୀତ କମନ୍ ଅଫ୍ କଲେଜ୍‌ର ନିର୍ଦ୍ଦେଶକ ବିଜୟ କିରଣ ଆନନ୍ଦଙ୍କ କହିବାନୁଯାୟୀ ପ୍ରେରଣା ପୋର୍ଟାଲ୍‌ରେ ଅନ୍‌ଲାଇନ୍‌ ଉପସ୍ଥାନ ପକାଯାଉଥିବା ‌ବେଳେ ଜଣେ ଶିକ୍ଷକ କିଭଳି ଏକାଧିକ ସ୍ଥାନରେ ନିଜର ହାଜିରା ପକାଇ ପାରିଲେ ? ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଆବଶ୍ୟକ ଓ ତଦନ୍ତ ପାଇଁ ଆମେ ଆମ ଅଧିକାରୀମାନଙ୍କୁ କହିଛୁ । ମଇ ୨୬ ତାରିଖ ଦିନ ଏ ବାବଦରେ ରିମାଇଣ୍ଡର୍‌ ମଧ୍ୟ ପଠାଯାଇଛି ।

Leave a Reply

Your email address will not be published. Required fields are marked *