ପ୍ରେମ ନାଁରେ ଚାଲିଛି ଦେହ ଭୋକ ମେଣ୍ଟେଇବାର ଷଡ଼ଯନ୍ତ୍ର । ୮ ମାସର ପ୍ରେମ ପରେ ନାବାଳିକା ଜାଣି ବି ପ୍ରେମିକ ଆଇନକୁ ନେଇ ଚାଲିଥିଲା ହାତକୁ । ନାନା ଲୋଭ ଦେଖାଇ ପ୍ରେମ ଜାଲରେ ଫସେଇ ଶାରୀରିକ ସମ୍ପର୍କ ରଖି ଆସୁଥିଲା । ମାତ୍ର ପୋଲ ତଳୁ ଅସଂଯତ ଅବସ୍ଥାରେ ଦୁହେଁ ଧରାପଡ଼ିଲା ପରେ ନାବାଳିକା ଦେଲା ଅଲଗା ବୟାନ, ଫସିଲା ପ୍ରେମିକ । ଏନେଇ ସଦର ଥାନା ପୋଲିସ ପୋସ୍କୋ ଆକ୍ଟ ଅନୁଯାୟୀ ଏକ ଦୁଷ୍କର୍ମ ମାମଲା ରୁଜୁ କରିଛି ଏବଂ ଗିରଫ କରିଛି ପ୍ରେମିକକୁ ।
ମିଳିଥିବା ସୂଚନା ଅନୁସାରେ ଘଟଣା ଘଟିଥିଲା ଫେବୃୟାରୀ ୨୭ ତାରିଖ ରାତିରେ । ନାବାଳିକାକୁ ଡାକି ନେଇଥିଲା ଅଭିଯୁକ୍ତ ସମୀର । ଗାଁ ନିକଟ ଏକ ପୋଲ ତଳେ ନାବାଳିକାଙ୍କ ଅନିଚ୍ଛା ସତ୍ତ୍ୱେ ରଖିଥିଲା ଶାରିରୀକ ସମ୍ପର୍କ । ଏହି ସମୟରେ କିଛି ଲୋକ ଗହୀରକୁ ଷଣ୍ଢ ବାଡ଼େଇବା ପାଇଁ ଯାଇଥିଲେ ଏବଂ ଫେରିବାବେଳେ ପୋଲ ତଳେ ଦୁହିଁଙ୍କୁ ଅସଂଯତ ଅବସ୍ଥାରେ ଦେଖି କାବୁ କରିଥିଲେ । ଏହାପରେ ଗାଁରେ ବୈଠକ କରି ସେହି ରାତିରେ ଅଭିଯୁକ୍ତ ସମୀର ଗାଁକୁ ଖବର ଦେଇଥିଲେ ଓ ଉଭୟଙ୍କ ପରିବାର ବୈଠକରେ ଯୋଗ ଦେଇଥିଲେ । ଦୁହିଁଙ୍କ ବିବାହ ହେବ ବୋଲି ବୈଠକ ନିଷ୍ପତ୍ତି ନେଲା । ମାତ୍ର ସକାଳକୁ ପୀଡ଼ିତା ନାବାଳିକାକୁ ବିବାହ କରିବାକୁ ଅରାଜି ହେଲା ସମୀର ।

ପୋଲିସ କହିବାନୁଯାୟୀ ବିବାହ ପ୍ରତିଶ୍ରୁତି ଦେଇ ଶେଷରେ ଧୋକା ଦେଲା ୨୧ ବର୍ଷୀୟ ଦରଝଙ୍ଗା ଗାଁର ସମୀର ପରିଡ଼ା । ତେଣୁ ଆଇନର ଆଶ୍ରୟ ନେଲେ ନାବାଳିକା । ଗତ ୬ ମାସ ଧରି ନାବାଳିକାକୁ ପ୍ରେମ ନିବେଦନ ଏବଂ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ଅନିଚ୍ଛା ସତ୍ତ୍ୱେ ତାଙ୍କ ସହିତ ରଖୁଥିଲେ ଶାରୀରିକ ସମ୍ପର୍କ । ବିବାହକୁ ନେଇ ଅରାଜି ହେବାରୁ ଫେବୃୟାରୀ ୨୮ ତାରିଖ ଦିନ ପୀଡ଼ିତା ଥାନାରେ ଏତଲା ଦେଲେ । ଅଭିଯୋଗରେ ଲେଖିଲେ ଯେ ୮ ମାସ ତଳୁ ତାଙ୍କ ସହ ଶାରୀରିକ ସମ୍ପର୍କ ରଖି କଲେଜ ଯିବା ବାଟରେ ହଇରାଣ କରୁଥିଲେ ଅଭିଯୁକ୍ତ ।
ସୂଚନାଥାଉ ଯେ ଅଭିଯୋଗ କରିବା ସହିତ ବର୍ତ୍ତମାନ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି ପୀଡ଼ିତା । ସେପଟେ ପୋଲିସ ଦୁଷ୍କର୍ମ ମାମଲା ରୁଜୁ କରି ସମୀରକୁ ଗିରଫ କରିଛି ଏବଂ ଆଜି ମଙ୍ଗଳବାର କୋର୍ଟ ଚାଲାଣ କରିବ ବୋଲି କହିଛି ।