ସଂସ୍କାର : ଅନୈତିକ ସମ୍ପର୍କ ରଖିବା ଯେ, କେତେ ଭୟାନକ ହୋଇପାରେ ତାହାର ଏକ ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି। ଅନୈତିକ ସମ୍ପର୍କ ରଖିବା ଅଭିଯୋଗରେ ଜଣେ ବିବାହିତା ମହିଳାଙ୍କୁ ତାଙ୍କ ପ୍ରେମିକଙ୍କ ସହ ଉଲଗ୍ନ କରି ସମଗ୍ର ଗାଁ ବୁଲାଯାଇଛି।
ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡର ଡୁମକା ଜିଲାର ବଦତାଲି ପଞ୍ଚାୟତର ଏକ ଗ୍ରାମରେ। ଏହି ଘଟଣା ବାବଦରେ ଅଭିଯୋଗ ହେବା ପରେ ଘଟଣାରେ ସମ୍ପୃକ୍ତ ୫୦ରୁ ୬୦ ଜଣଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ। ପୋଲିସର କହିବା ଅନୁଯାୟୀ, ଦୁହିଁଙ୍କୁ ଉଲଗ୍ନ କରି ଗ୍ରାମବାସୀ ପ୍ରାୟ ଏକ କିଲୋମିଟର ବୁଲାଇ ଥିଲେ। ତେବେ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ୍। ଆଉ ୫୦ ରୁ ୬୦ ଜଣଙ୍କ ନାମରେ ମାମଲା ରୁଜୁ କରି ସେମାନଙ୍କୁ ଥାନାକୁ ନେଇଥିଲା।
ସୂଚନା ଥାଉ ଯେ, ମହିଳାଙ୍କ ସ୍ବାମୀ ପ୍ରାୟ ଏକ ବର୍ଷ ହେଲା ସେଣ୍ଟ୍ରାଲ ଜେଲରେ ଅଛନ୍ତି। ଅନ୍ୟପକ୍ଷରେ ମହିଳା ଜଣକ ଘର ଚଳାଇବା ପାଇଁ ବର୍ତ୍ତମାନ ଶ୍ରମିକ ଭାବେ କାମ କରୁଛନ୍ତି। ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ତାଙ୍କ ସହ କାମ କରୁଥିବା ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ମଙ୍ଗଳବାର ମହିଳା ଜଣଙ୍କ ଘରକୁ ଫେରିବା ପରେ ତାଙ୍କ ପ୍ରେମିକଙ୍କୁ ଫୋନ କରି ଦେଖା କରିବାକୁ ଡକାଇଥିଲେ। ଯୁବକ ଜଣଙ୍କ ମହିଳାଙ୍କ ଘରେ ପହଞ୍ଚିବା ପରେ ସେମାନଙ୍କୁ କାବୁ କରି ନେଇଥିଲେ ଗାଁ ଲୋକେ। ଆଉ ଦୁହିଁଙ୍କୁ କାବୁ କରିବା ପରେ ଗାଁରେ ସେମାନଙ୍କୁ ଉଲଗ୍ନ କରି ବୁଲାଇଥିଲେ ଗ୍ରାମବାସୀ।