ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଏହି ଭିଡ଼ିଓରେ ସ୍ପଷ୍ଟ ଦେଖିହେବ କିପରି ଏକ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧି ନଥିବାରୁ ଦୁଇ ଜଣ ପୋଲିସ କର୍ମଚାରୀ ଜଣେ ୩୫ ବର୍ଷୀୟ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବେ ପିଟି ଚାଲିଛନ୍ତି । ବ୍ୟକ୍ତି ଜଣକ ଜଣେ ଅଟୋ ରିକ୍ସା ଡ୍ରାଇଭର । ପୀଡ଼ିତ କୃଷ୍ଣ କିୟର ଅସୁସ୍ଥ ପିତାଙ୍କୁ ହସ୍ପିଟାଲ ଭେଟିବାକୁ ଯିବାବେଳେ ତାଙ୍କ ମାସ୍କ ନାକ ତଳକୁ ଖସି ଯାଇଥିଲା ।
ଦୁଇଜଣ ପୋଲିସ ଏହା ଦେଖି ତାଙ୍କୁ ଥାନା ଆସିବାକୁ କହିଲେ । ତେବେ ଯେତେବେଳେ ସେ ମନା କରିଦେଇଥିଲେ, ପୋଲିସ ତାଙ୍କୁ ଧକ୍କା ଦେବା ଆରମ୍ଭ କରିଥିଲା । ତାପରେ ସେ ତଳେ ପଡ଼ି ଯାଇଥିଲେ ଏବଂ ପୋଲିସ ନିର୍ଦ୍ଦୟ ଭାବରେ ତାଙ୍କୁ ପିଟି ଚାଲିଥିଲା । ପୀଡ଼ିତଙ୍କ ଛୋଟିଆ ପୁଅ ସେଠାରେ ତା ବାପାଙ୍କୁ ଛାଡ଼ି ଦେବାକୁ ପୋଲିସକୁ କାନ୍ଦି କାନ୍ଦି ଅନୁରୋଧ କରୁଥିବା ବି ଭିଡ଼ିଓରେ ସ୍ପଷ୍ଟ ଦିଶୁଛି ।
ଅନ୍ୟପକ୍ଷରେ ANI ରିପୋର୍ଟ ଅନୁଯାୟୀ ପୋଲିସ କହିଛି ଯେ ଉକ୍ତ ବ୍ୟକ୍ତି ଜଣକ ପ୍ରଥମେ କନଷ୍ଟେବଳଙ୍କୁ ଆକ୍ରମଣ କରିଥିଲେ । ଯେତେବେଳେ ସେହି ଦୁଇ ପୋଲିସ ମାସ୍କ ନପିନ୍ଧି ଏହି ବ୍ୟକ୍ତିଙ୍କୁ ଥାନାକୁ ନେବାକୁ ଚେଷ୍ଟା କରିଥିଲେ, ସେତେବେଳେ ସେ ସେମାନଙ୍କୁ ମଧ୍ୟ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ପୋଲିସର ଭାବମୂର୍ତ୍ତିକୁ ଖରାପ କରିବା ପାଇଁ କେବଳ ଏସବୁ ଘଟଣାକୁ କାଟି ଦିଆଯାଇଛି ଭିଡ଼ିଓରୁ । ମାତ୍ର ପୋଲିସ ଯାହା କରିଥିଲେ ତାହା ମଧ୍ୟ ଭୁଲ୍ ଥିଲା ଏବଂ ସେମାନଙ୍କୁ ନିଲମ୍ବିତ କରାଯାଇଛି ବୋଲି ଏସଆଇ ଅଶୁତୋଷ ବାଗ୍ରି କହିଛନ୍ତି । ଏହାସହିତ ତଦନ୍ତ ବି ଜାରି ରହିଛି ବୋଲି ସେ ସୂଚନା ଦେଇଛନ୍ତି ।