ସଂସ୍କାର : ଅଧିନାୟକ ପଦ ଛାଡିବେ କିଙ୍ଗ୍ କୋହଲି। ବିରାଟ କୋହଲି ଟି-୨୦ ଫର୍ମାଟର ଅଧିନାୟକ ପଦରୁ ଇସ୍ତଫା ଦେବାକୁ ଗୁରୁବାର ସନ୍ଧ୍ୟାରେ ଘୋଷଣା କରିଛନ୍ତି। ତେବେ ସେ ପୂର୍ବ ଭଳି ଦିନିକିଆ ଓ ଟେଷ୍ଟରେ ଅଧିନାୟକ ରହିବେ। ଇଂଲଣ୍ଡ ଗସ୍ତ ପରଠାରୁ ସେ ଅଧିନାୟକ ପଦରୁ ହଟିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ପ୍ରଥମେ ବିସିସିଆଇ ଏହାକୁ ଅସ୍ୱୀକାର କରିଆସୁଥିଲା। ମାତ୍ର ଗୁରୁବାର ଅର୍ଥାତ୍ ଆଜି କୋହଲି ନିଜେ ଟୁଇଟରେ ଏକ ଚିଠି ଲେଖି ଅଧିନାୟକ ପଦରୁ ଇସ୍ତଫା ଦେବା କଥା କହିଛନ୍ତି। ଟି – ୨୦ ବିଶ୍ୱକପ ପରେ ଟି-୨୦ ଫର୍ମାଟର ଅଧିନାୟକ ପଦରୁ ଇସ୍ତଫା ଦେବେ ବୋଲି ସେ ଘୋଷଣା କରିଛନ୍ତି। ତେବେ ବର୍ତ୍ତମାନ ରୋହିତ ଶର୍ମାଙ୍କୁ ଏହି ଫର୍ମାଟରେ ଅଧିନାୟକ କରାଯିବ।
କିଙ୍ଗ୍ କୋହଲି ଟୁଇଟ କରିଥିବା ଚିଠିରେ ଲେଖିଛନ୍ତି ଯେ, ‘ମୋର ସାମର୍ଥ୍ୟ ଅନୁଯାୟୀ ମୁଁ ଭାରତୀୟ କ୍ରିକେଟ ଦଳର ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ମୋର ସାମର୍ଥ୍ୟ ଅନୁଯାୟୀ ମୁଁ ମୋର ସବୁ ଚେଷ୍ଟା କରିଛି। ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ଭାବରେ ମୋର ଯାତ୍ରାରେ ମୋତେ ସମର୍ଥନ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ଦଳର ଯୁବ ଖେଳାଳି, ସପୋର୍ଟ ଷ୍ଟାଫ୍, ଚୟନ କମିଟି, କୋଚ୍ ଏବଂ ପ୍ରତ୍ୟେକ ଭାରତୀୟଙ୍କ ପାଖରେ ମୁଁ କୃତଜ୍ଞ। ତେବେ ମୁଁ ଅନୁରୋଧ କରୁଛି ଯେ, ଆମର ଆଗାମୀ ବିଜୟ ପାଇଁ ସମସ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତୁ।
‘ମୁଁ ବର୍ତ୍ତମାନ ବୁଝି ପାରିଲି ଯେ କାର୍ଯ୍ୟ ଭାର ନେବା ସତରେ ବହୁତ ଗୁରୁତ୍ୱପୂର୍ଣ୍ଣ | ମୁଁ ଗତ ୮ ରୁ ୯ ବର୍ଷ ଧରି ସମସ୍ତ ତିନୋଟି ଫର୍ମାଟରେ ଖେଳୁଥିଲି ଏବଂ ୫ – ୬ ବର୍ଷ ଧରି କ୍ରମାଗତ ଭାବରେ ଭାରତୀୟ କ୍ରିକେଟର ଅଧିନାୟକ ରହିଆସିଛି | ତେବେ ମୁଁ ଅନୁଭବ କରୁଛି ଯେ ଟେଷ୍ଟ ଏବଂ ଦିନିକିଆରେ ଅଧିନାୟକ ପଦ ପାଇଁ ଫିଟ ରହିଛି। ମାତ୍ର ଟିମ୍ ଇଣ୍ଡିଆକୁ ଆଗକୁ ନେବାକୁ ହେଲେ ଆମକୁ ଟି-୨୦ରେ ଭଲ ଖେଳ ଦେଖାଇବାକୁ ପଡିବ। ତେଣୁ ମୁଁ ଟି-୨୦ ଫର୍ମାଟର ଅଧିନାୟକ ପଦରୁ ଇସ୍ତଫା ଦେବି। ଏହି ଇସ୍ତଫା ମୁଁ ଆଗାମୀ ଟି-୨୦ ବିଶ୍ୱକପ ପରେ ଦେବି। ନିଜକୁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ କରିବା ପାଇଁ ମୋତେ ଟିକିଏ ସମୟ ଦରକାର। ତେବେ ଟି -୨୦ ଫର୍ମାଟରେ ଅଧିନାୟକ ଭାବରେ ମୁଁ ମୋର ସବୁକିଛି ଦଳକୁ ଦେଇଛି | ତେବେ ଜଣେ ଭଲ ବ୍ୟାଟ୍ସମ୍ୟାନ୍ ଭାବରେ ଆଗକୁ ମୁଁ ବଢିବା ସହିତ ମୁଁ ଦଳ ପାଇଁ ମଧ୍ୟ ଭଲ ଖେଳିବି।
“ନିଶ୍ଚିତ ଭାବରେ ଏଭଳି ନିଷ୍ପତ୍ତି ନେବାକୁ ସମୟ ଲାଗେ। ରବି ଭାଇ, ରୋହିତ ଏବଂ ମୋର ଘନିଷ୍ଠ ବ୍ୟକ୍ତିଙ୍କ ସହ ଦୀର୍ଘ ସମୟର ଆଲୋଚନା ପରେ, ମୁଁ ଏହି ନିଷ୍ପତ୍ତି ନେଇଛି।