ରାଜ୍ୟରେ ହୋଇପାରେ ଭୟଙ୍କର କାଳବୈଶାଖୀ : ପାଣିପାଗ କେନ୍ଦ୍ର ତରଫରୁ ଏହି ଦୁଇ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭାବନେଶ୍ଵର : ଓଡ଼ିଶାରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଯୋଗୁ ବର୍ଷା ହେବା ପରେ ପରେ ତାପମାତ୍ରାରେ ପରିବର୍ତ୍ତନ ଦେଖାଦେଇଛି । ୨ଟି ଜିଲ୍ଲା ବ୍ୟତୀତ ଅନ୍ୟ ସବୁ ଜିଲ୍ଲାରେ ତାପମାତ୍ରା ପାରଦ ଖସିଛି । ଆସନ୍ତା ୨୨ ତାରିଖ ଯାଏ ଏହି ସ୍ଥିତି ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଆସନ୍ତାକାଲି ୨୧ ତାରିଖ ଦିନ ରାଜ୍ୟର ଅନେକ ଜିଲ୍ଲାରେ ଘଣ୍ଟା ପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିବା ସହିତ ବର୍ଷା ହେବାର ଆଶଙ୍କା ରହିଛି ।  

ପବନ ସାଙ୍ଗରେ କୁଆପଥର ବର୍ଷା ହେବାର ଆଶଙ୍କା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ଦିନ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାଛଡ଼ା ୨୧ ଓ ୨୨ ତାରିଖ ଦୁଇ ଦିନ ଧରି ରାଜ୍ୟରେ ଝଡ଼ତୋଫାନ ସହ କାଳବୈଶାଖୀ ବର୍ଷା ହେବ ବୋଲି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସୂଚନା ଅନୁଯାୟୀ ଆଜି ଅପ୍ରେଲ ୨୦ ତାରିଖରେ ଭଦ୍ରକ, ବାଲେଶ୍ଵର, ଯାଜପୁର, ମୟୂରଭଞ୍ଜ, ଢେଙ୍କାନାଳ, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଆଦି ଜିଲ୍ଲାର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି । ଏହି ସମୟରେ ପବନର ବେଗ ୩୦ରୁ ୪୦ କିଲୋମିଟର ରହିବ । ଏଣୁ ଏହିସବୁ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ତରଫରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିଭଳି ଆସନ୍ତାକାଲି ୨୧ ତାରିଖ ଦିନ ପବନର ବେଗ ବଢ଼ିପାରେ । ମୟୂରଭଞ୍ଜ, ଢେଙ୍କାନାଳ, ଭଦ୍ରକ, ବାଲେଶ୍ଵର, ଯାଜପୁର, କନ୍ଧମାଳ, ବଲାଙ୍ଗୀର ଓ କେନ୍ଦୁଝର ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଣ୍ଟା ପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବା ସହିତ କୁଆପଥର ବର୍ଷା ହେବାର ଆଶଙ୍କା ରହିଛି ।

Leave a Reply

Your email address will not be published. Required fields are marked *