ସଂସ୍କାର : ଉତ୍ତର ଓଡିଶା ଓ ଏହାର ଆଖପାଖ ଅଂଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି । ଗତ ୨ ଦିନ ହେବ ଏହି ଲଘୁଚାପର ପ୍ରକୋପ ଦେଖିବାକୁ ମିଳିଛି। ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବର୍ଷାର ପ୍ରକୋପ ଦେଖିବାକୁ ମିଳିଛି। ସେପଟେ କନ୍ଧମାଳର ଜି.ଉଦୟଗିରିରେ ସର୍ବାଧିକ ୧୨୦ମିଲିମିଟର ବର୍ଷା ହୋଇଛି।
ସେହିପରି ବୌଦ୍ଧ, ଅନୁଗୁଳ,ବରଗଡ,କେନ୍ଦୁଝର, କନ୍ଧମାଳ, ସମ୍ବଲପୁର ଓ କୋରାପୁଟରେ ପ୍ରବଳ ବର୍ଷିଛି। ତେବେ ଆହୁରି ଆସନ୍ତା ୪ଦିନ ଯାଏ ପ୍ରବଳ ବର୍ଷା ଜାରି ରହିବ ବୋଲି ଆଂଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମଙ୍ଗଳବାର ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କଟକ, ଢେଙ୍କାନାଳ, ବଲାଙ୍ଗିର, ବରଗଡ, ନୂଆପଡା, ସମ୍ବଲପୁର ଓ ଅନୁଗୁଳ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି।
ବୁଧବାର ମାଲକାନଗିରି, ରାୟଗଡା,କନ୍ଧମାଳ, କଳାହାଣ୍ଡି, ବୌଦ୍ଧ ଓ ବଲାଙ୍ଗିରରେ ପ୍ରବଳ ବର୍ଷା ହୋଇଛି। ଆସନ୍ତା ୭ ତାରିଖରେ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି। ୮ରେ ନୂଆପଡା, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡିରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ଆଂଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।