ଆସୁଛି ବାତ୍ୟା “ଗତି” : ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ

ଏପଟେ ଲଘୁଚାପ ଜନିତ ବର୍ଷା ସରି ନଥିଲାବେଳେ ପୁଣିଥରେ ଦାନା ବାନ୍ଧିଲାଣି ଆଉ ଏକ ଲଘୁଚାପ । ସୂଚନା ଅନୁସାରେ ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଯଦି ଏହା ଘନୀଭୂତ ହୁଏ ତେବେ ଆଗାମୀ ସପ୍ତାହରେ ସାମୁଦ୍ରିକ ଝଡ଼ର ରୂପ ନେଇପାରେ । ସେମିତିରେ  ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ଓଡ଼ିଶାରେ ବିଭିନ୍ନ ସ୍ଥାନରେ କିଛି ଦିନ ହେବ ବର୍ଷା ଲାଗି ରହିଛି ।

ତେବେ ସୂଚନା ଥାଉ ଯେ ଦାନା ବାନ୍ଧୁଥିବା ବର୍ତ୍ତମାନର ଲଘୁଚାପ ଯଦି ସାମୁଦ୍ରିକ ଝଡ଼ର ରୂପ ନିଏ ତା’ର ନାଁ ଦିଆଯିବ “ଗତି” । ବାତ୍ୟା “ଗତି” କେତେ ଶକ୍ତିଶାଳୀ ହେବ ଅଥବା ରାଜ୍ୟ ଓଡ଼ିଶା ଉପରେ ତା’ର କି ପ୍ରଭାବ ପକାଇବ ତାହା ଏଯାବତ୍ ସ୍ପଷ୍ଟ ହୋଇନି । ପାଣିପାଗ ସୂଚନା ଅନୁଯାୟୀ ଅକ୍ଟୋବର ୯ ତାରିଖ ବେଳକୁ ବାତ୍ୟା “ଗତି”ର ଚିତ୍ର ସ୍ପଷ୍ଟ ହେବ । ହେଲେ ଲଘୁଚାପ ଜନିତ ହେଉଥିବା ବର୍ଷା ପୁଣି ୧୧ ରୁ ୧୩ ତାରିଖ ଯାଏଁ ଅବ୍ୟାହତ ରହିବ ।

ପାଣିପାଗ ବିଭାଗ ସୂଚନା ଅନୁସାରେ ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିଲାବେଳେ ବଙ୍ଗୋପସାଗର ଜନିତ ଲଘୁଚାପ ପ୍ରଭାବରେ ଆହୁରି ୨୪ ଘଣ୍ଟା ବର୍ଷିବ ବର୍ଷା । ନବରଙ୍ଗପୁର, ରାୟଗଡା, କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ, ସୋନପୁର, ନୂଆପଡା, ବଲାଙ୍ଗୀର, ଅନୁଗୋଳ, କେନ୍ଦୁଝର, ବରଗଡ, ସମ୍ବଲପୁର ଆଦି ୧୩ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବର୍ଷା ସହିତ ୪୦ରୁ ୫୦ କିଲୋମିଟର ବେଗରେ ପବନ ହୋଇପାରେ ଏବଂ ଆସନ୍ତାକାଲି ଅର୍ଥାତ ଅକ୍ଟୋବର  ୭ ତାରିଖ ପରଠୁ ଏହା କମିଯିବ ।

Leave a Reply

Your email address will not be published. Required fields are marked *