ରାଜ୍ୟର ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ : ସେପ୍ଟେମ୍ବର ପହିଲାରୁ ପୁଣି ବର୍ଷିବ ବର୍ଷା

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ କୁହାଯାଇଛି ଯେ ସେପ୍ଟେମ୍ୱର ପହିଲାରୁ ପୁଣିଥରେ ରାଜ୍ୟରେ ବର୍ଷିବ ବର୍ଷା । ଗତ କିଛିଦିନ ହେବ ଲଘୁଚାପ ଯୋଗୁ କ୍ରମାଗତ ଲଗାଣ ବର୍ଷାରେ ରାଜ୍ୟ ସାରା ବର୍ତ୍ତମାନ ବନ୍ୟା ପରିସ୍ଥିତି । ତେବେ ସେପ୍ଟେମ୍ୱର ୧ ତାରିଖରୁ ପୁଣି ବର୍ଷା ସମ୍ଭାବନା ଅଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ସୂଚନାନୁଯାୟୀ ବର୍ତ୍ତମାନ ରାଜ୍ୟରେ ମୌସୁମୀ ଟ୍ରଫ ଲାଇନ ସକ୍ରିୟ ରହିଛି । ତେବେ ଆସନ୍ତା ୩୧ ତାରିଖ ଯାଏଁ ପ୍ରବଳ ବର୍ଷା ପାଇଁ କୌଣସି ସତର୍କ ସୂଚନା ନାହିଁ । ତଥାପି ଆଭ୍ୟନ୍ତରୀଣ ଅର୍ଥାତ୍ ଉତ୍ତର ଏବଂ ଉପକୂଳ ଓଡ଼ିଶାର କାଁଭାଁ ସ୍ଥାନରେ ଅଳ୍ପ କିମ୍ବା ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି ।

ତେବେ ସେପ୍ଟେମ୍ବର ୧ ତାରିଖ ବେଳକୁ କେଉଁଝର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଜଗତସିଂହପୁର, ସୁନ୍ଦରଗଡ଼ ଏବଂ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେଇପାରେ ବୋଲି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ପାଣିପାଗ କେନ୍ଦ୍ର ପକ୍ଷରୁ । ସେପଟେ ଲଗାଣ ବର୍ଷା କାରଣରେ ରାଜ୍ୟରେ ସ୍ୱାଭାବିକ ବର୍ଷା ଅପେକ୍ଷା ୧୦ ପ୍ରତିଶତ ଅଧିକା ବର୍ଷା ହୋଇଛି ।

ସୂଚନା ଅନୁସାରେ ୧୦ ଜିଲ୍ଲାରେ ସ୍ୱାଭାବିକ ଠାରୁ ୫୨ ପ୍ରତିଶତ ଅଧିକ ବର୍ଷା ହୋଇଥିଲାବେଳେ ୧୮ ଜିଲ୍ଲାରେ ସ୍ୱାଭାବିକ ବର୍ଷା ତଥା ୨ ଜିଲ୍ଲା ଖୋର୍ଦ୍ଧା ଓ ଗଜପତିରେ ସାମାନ୍ୟ ନିଅଣ୍ଟିଆ ବର୍ଷା ରେକର୍ଡ଼ ହୋଇଛି ।

Leave a Reply

Your email address will not be published. Required fields are marked *