କଣ ଆପଣ ଜାଣନ୍ତି କି ରାସ୍ତା ପାର୍ଶ୍ୱରେ ଥିବା ଏହି ଭିନ୍ନ ଭିନ୍ନ ରଙ୍ଗୀନ ପଥର ଗୁଡିକର ଅର୍ଥ କଣ ? ତେବେ ଏବେ ହିଁ ଜାଣି ରଖନ୍ତୁ

ସଂସ୍କାର : ଦୈନନ୍ଦିନ ଜୀବନରେ, ଆମେ ଏପରି ଅନେକ ଜିନିଷ ଦେଖିବାକୁ ପାଇଥାଉ ଯାହା ବିଷୟରେ ଆମେ ସଚେତନ ଥାଉ କିନ୍ତୁ ଆମେ ସେ ବିଷୟରେ ସବୁ କିଛି ଜାଣିନାହୁଁ, ତେବେ ଏହା କାହିଁକି ଏପରି ହୁଏ ? କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି ! ଯଦି ଏକ ଉଦାହରଣକୁ ଆମେ ଦେଖିବା ତେବେ, କାର୍ କିମ୍ବା ବସ୍ ଯୋଗେ ଯାତ୍ରା କରିବା ସମୟରେ ଆପଣ ନିଶ୍ଚିତ ଭାବରେ ଜାତୀୟ ରାଜପଥ, ରାଜ୍ୟ ରାଜପଥ କିମ୍ବା କୌଣସି ରାସ୍ତାରେ ଏହି ମାଇଲଖୁଣ୍ଟ ଦେଖିଥିବେ ନିଶ୍ଚିତ।

ତେବେ ଏଗୁଡିକ କାହିଁକି ରାସ୍ତାରେ ଲଗାଯାଏ ? ଏହାର ଅର୍ଥ କଣ ? ଏଗୁଡିକ କାହିଁକି ଏପରି ରଙ୍ଗବେରଙ୍ଗର ହୋଇଥାଏ ? ଏହି ପ୍ରଶ୍ନ ଗୁଡିକର ଅର୍ଥ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି ଆପଣ। ତେବେ ଆଜି ଆମେ ଏହି ପଥର ଗୁଡିକ ବିଷୟରେ ଆଲୋଚନା କରିବା।

ରାସ୍ତାକଡରେ ଥିବା ଗୁରୁତ୍ୱପୂର୍ଣ୍ଣ ଚିହ୍ନଗୁଡ଼ିକ ବିଷୟରେ କହିବା ପୂର୍ବରୁ, ଏହା ଜାଣିବା ଜରୁରୀ ଯେ ଏହି ମାଇଲଖୁଣ୍ଟଗୁଡ଼ିକ ମଧ୍ୟରୁ କେତେକ ହଳଦିଆ ରଙ୍ଗର, କେତେକ ସବୁଜ ରଙ୍ଗର ହୋଇଥିବାବେଳେ କିଛି ମାଇଲଖୁଣ୍ଟ କଳା କିମ୍ବା କମଳା ରଙ୍ଗର ହୋଇଥାନ୍ତି। ତେବେ ମାଇଲଖୁଣ୍ଟଗୁଡ଼ିକର ଭିନ୍ନ ରଙ୍ଗ କାହିଁକି? ସର୍ବଶେଷରେ ସେମାନଙ୍କର ଅର୍ଥ କ’ଣ? ଚାଲନ୍ତୁ ଜାଣିବା।

ସୂଚନାଯୋଗ୍ୟ ଯେ ଆଗାମୀ ସହରଗୁଡିକର ଦୂରତା ଏବଂ କୌଣସି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ବିଷୟରେ ସାଧାରଣ ଲୋକଙ୍କୁ ଏବଂ ରାସ୍ତାରେ ଯାଉଥିବା ଡ୍ରାଇଭରମାନଙ୍କୁ ଅବଗତ କରାଇବା ପାଇଁ ଏହି ମାଇଲଖୁଣ୍ଟଗୁଡିକ ରଖାଯାଇଛି।

ଯଦି ଆପଣ ରାସ୍ତାରେ ହଳଦିଆ ରଙ୍ଗର ମାଇଲଖୁଣ୍ଟ ଦେଖନ୍ତି, ତେବେ ତୁରନ୍ତ ଆପଣ ବୁଝିଯିବେ ଯେ ଆପଣ ଯାତ୍ରା କରୁଥିବା ରାସ୍ତା ହେଉଛି ଏକ ଜାତୀୟ ରାଜପଥ। ଜାତୀୟ ରାଜପଥ ପାଇଁ ବ୍ୟବହୃତ ହେଉଥିବା ମାଇଲଷ୍ଟୋନଗୁଡିକର ରଙ୍ଗ ହଳଦିଆ ଅଟେ। ଜାତୀୟ ରାଜପଥ ହେଉଛି ସେହି ସଡକ ଯାହାର ନିର୍ମାଣ, ସୁରକ୍ଷା ଏବଂ ଉନ୍ନତି ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (NHAI) ଦ୍ୱାରା କରାଯାଇଥାଏ। ଦେଶରେ NH 24, NH 16, NH 8, NH 6 ପରି ଅନେକ ଜାତୀୟ ରାଜପଥ ଅଛି।

ଯଦି ଆପଣ ରାସ୍ତାରେ ଯାତ୍ରା କରିବା ସମୟରେ ସବୁଜ ରଙ୍ଗର ମାଇଲଖୁଣ୍ଟ ଦେଖନ୍ତି, ତେବେ ସଙ୍ଗେ ସଂଗେ ବୁଝି ଯିବେ ଯେ, ଏହି ରାସ୍ତା ହେଉଛି ଏକ ରାଜ୍ୟ ରାଜପଥ। ଆଉ ଏହା ହେଉଛି ତାର ମାଇଲଖୁଣ୍ଟ । ତେବେ ଏହି ରାସ୍ତା ନିର୍ମାଣ ଏବଂ ପରିଚାଳନା ଦାୟିତ୍ ରାଜ୍ୟ ସରକାରଙ୍କ ଉପରେ ରହିଥାଏ। ସାଧାରଣତଃ , ରାଜ୍ୟ ସୀମାରେ ପ୍ରବେଶ କରିବା ପରେ ଏହି ରାଜ୍ୟ ରାଜପଥ ଗୁଡିକ ବିଭିନ୍ନ ସହରକୁ ଯିବା ପାଇଁ ବ୍ୟବହୃତ ହୁଏ।

ଯଦି ଆପଣ ରାସ୍ତା ପାର୍ଶ୍ୱରେ କଳା, ନୀଳ ଏବଂ ଧଳା ରଙ୍ଗର ଦୂରତା ମାଇଲଖୁଣ୍ଟ ଦେଖନ୍ତି ତେବେ, ଏହାର ଅର୍ଥ ହେଉଛି ଆପଣ ଏକ ପ୍ରମୁଖ ସହର କିମ୍ବା ଜିଲ୍ଲାରେ ପ୍ରବେଶ କରିଛନ୍ତି। ଆଉ ଏହି ରାସ୍ତାର ନିର୍ମାଣ ଏବଂ ରକ୍ଷଣାବେକ୍ଷଣର ଦାୟିତ୍ୱ ସେଠାରେ ଥିବା ମ୍ୟୁନିସିପାଲିଟି କର୍ପୋରେସନ ଉପରେ ନ୍ୟସ୍ତ ଅଛି।

ସେହିପରି , ଯଦି ଆପଣ ରାସ୍ତାରେ ଯାତ୍ରା କରିବା ସମୟରେ କମଳା ରଙ୍ଗର ମାଇଲଖୁଣ୍ଟ ଦେଖନ୍ତି, ତେବେ ଏହାର ଅର୍ଥ ହେଉଛି ଯେ ଆପଣ ଏକ ଗାଁ ରାସ୍ତାରେ ପ୍ରବେଶ କରିଛନ୍ତି। ଆଉ ଏହି କମଳା ରଙ୍ଗର ମାଇଲଖୁଣ୍ଟ ଗୁଡ଼ିକ ମଧ୍ୟ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (PMGSY) ସହିତ ଜଡିତ।

Leave a Reply

Your email address will not be published. Required fields are marked *