ସଂସ୍କାର: ବୁଧବାର ରାତିରେ ପୂର୍ବରୁ ଲିଭର୍ ସିରୋସିସ୍ ରୋଗରେ ପୀଡିତ ଥିବା ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ହୋଇଛି। ତେବେ ପିଣ୍ଟୁଙ୍କ ଦେହାନ୍ତ ପରେ ଲୋକଙ୍କ ମନରେ ଛନକା ପଶି ଯାଇଛି। କାରଣ କେତେ ଜଣ ଲୋକ ଏହି ଲିଭର ସିରୋସିସ୍ ରୋଗ କ’ଣ, କାହିଁକି ଏହି ରୋଗ ହୁଏ ? ତାହା ଜାଣି ନାହାନ୍ତି। ଅନେକ ଏହି ରୋଗ ହେଲେ ଏହାର ପ୍ରତିକାର କ’ଣ ତାହା ବି ଜାଣି ନାହାନ୍ତି। ତେବେ ଆଜି ଏହି ଆର୍ଟିକାଲ ମାଧ୍ୟମରେ ଆମେ ଏହି ରୋଗ ବିଷୟରେ ସବୁ ତଥ୍ୟ ଜାଣିବା….
ଲିଭର୍ ସିରୋସିସ୍ ରୋଗ କ’ଣ ?
ଲିଭର ସିରୋସିସ୍ ହେଉଛି ଯକୃତକୋଶର କ୍ଷୟ ରୋଗ। ଲିଭର ଜନିତ ରୋଗର ଏହା ହେଉଛି ଶେଷ ଷ୍ଟେଜ୍। ଏହି ରୋଗ ହେଲେ ଲିଭର ଭିତରେ କଳା ଚିହ୍ନ ଭଳି ଟିସୁ ତିଆରି ହୁଏ। ଲିଭରରେ ଥିବା ଏହି କଳା ଚିହ୍ନକୁ ଫିବ୍ରୋସିସ୍ ଟିସୁ ବୋଲି କୁହାଯାଏ। ଏହି ଟିସୁ ତିଆରି ହେଲେ ଲିଭରର ରୋଗ ପ୍ରତିିରୋଧକ ଶକ୍ତି କମିଯାଏ। ଫିବ୍ରୋସିସ୍ ଟିସୁ ଯୋଗୁ ସାଧାରଣ ଟିସୁ ପ୍ରଭାବିତ ହୋଇଥାଏ ।
ଲିଭର ସିରୋସିସ୍ ରୋଗର ଲକ୍ଷଣ କ’ଣ ?
ଲିଭର ସିରୋସିସ୍ ରୋଗ ହେଲେ ଥକାପଣ ଅନୁଭୂତ ହୁଏ। ଲିଭର ସିରୋସିସ୍ ରୋଗୀ ଦୁର୍ବଳ ଅନୁଭବ କରନ୍ତି।ରୋଗ ହେଲେ ଭୋକ କମ ଲାଗିଥାଏ। କୌଣସି କାରଣ ନଥାଇ ଶରୀରର ଓଜନ ହ୍ରାସ ପାଏ। ବାରମ୍ବାର ବାନ୍ତି ଲାଗିବା ସହ ବାନ୍ତି ମଧ୍ୟ ହୋଇଥାଏ। ପାଦ ଓ ହାତ ନାଲି ପଡିଯାଏ। ତଳି ପେଟର ଡାହାଣ ପଟରେ ଯନ୍ତ୍ରଣା ହୋଇଥାଏ।
ଖାଲି ଏତିକି ନୁହେଁ, ରୋଗ ଅଧିକ ଦିନ ରହିଲେ ଲକ୍ଷଣରେ ପରିବର୍ତନ ହୋଇଥାଏ। ଦେହ ହାତରେ କାଛୁ, କୁଣ୍ଡିଆ ହୋଇଥାଏ। ଗୋଡର ତଳ ଭାଗ ଫୁଲିବା ଆରମ୍ଭ ହୋଇଥାଏ। ଜଣ୍ଡିସ୍ ଭଳି ରୋଗ ହୋଇଥାଏ। ଶରୀରରେ କୌଣସି ସ୍ଥାନରେ କଟିଗଲେ ରକ୍ତ ବନ୍ଦ ହେବାରେ ବିଳମ୍ବ ହୁଏ। ଅଧିକ ଗୁୁରୁତର ବ୍ୟକ୍ତିଙ୍କ ଠାରେ ବ୍ୟବହାରରେ ପରିବର୍ତନ ଦେଖାଯାଏ। ପାକସ୍ତଳୀ,ଭେନ୍, ଖାଦ୍ୟନଳୀର ନିମ୍ନଭାଗରେ ରକ୍ତ ପଡେ।
କାହିଁକି ହୁଏ ଲିଭର ସିରୋସିସ୍ ରୋଗ ?
ଲିଭର ସିରୋସିସ୍ ହେବାର ମୁଖ୍ୟ କାରଣ ଅଧିକ ଦିନ ଧରି ମଦ ପିଇବା। ବର୍ଷ ବର୍ଷ ଧରି ମଦ ପିଇବା ଯୋଗୁ ଏଭଳି ରୋଗ ହୋଇଥାଏ। ହିରୋଇନ୍ ଭଳି ଡ୍ରଗ୍ସ ଖାଉଥିବା ଲୋକଙ୍କୁ ମଧ୍ୟ ଏଭଳି ରୋଗ ହୁଏ। ଲିଭରରେ ଚର୍ବି ଜମା ହେବାରୁ ରୋଗ ବଢିଥାଏ।
ଲିଭର ସିରୋସିସ୍ ରୋଗର ପ୍ରତିକାର କ’ଣ ?
ଏହି ରୋଗରେ କୌଣସି ସ୍ଥାୟୀ ପ୍ରତିକାର ନଥାଏ। ରୋଗୀଙ୍କୁ ମଦ ପିଇବାକୁ ବାରଣ କରାଯାଇଥାଏ। ସୁସ୍ଥ ଡାଏଟ୍ ପାଇଁ ପରାମର୍ଶ ଦିଆଯାଇଥାଏ। ଫଳମୂଳ ଏବଂ ପନିପରିବା ଖାଇବାକୁ କୁହାଯାଏ। ଶରୀର ଓଜନ ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥାଏ।