ସଂସ୍କାର : ଗତ ୧୭ ତାରିଖରୁ ପୁଣି ଶଶୁର ଘର ସାମ୍ନାରେ ଧାରଣାରେ ବସିଛନ୍ତି ତପସ୍ଵିନୀ ଦାଶ। ତେବେ ଗତ ୧୮ ତାରିଖ ଦିନ ପୋଲିସ ସୁମିତଙ୍କ ଘରେ ପହଞ୍ଚି ତାଙ୍କ ବାପା ପ୍ରମୋଦଙ୍କୁ ତାଙ୍କ ଠିକଣା ପଚାରିଥିଲା। ମାତ୍ର ପ୍ରମୋଦ ମାମଲା କୋର୍ଟରେ ପେଣ୍ଡିଂ ରହିଥିବା କହି କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିଲେ। ଏହା ପରେ ମଧ୍ୟ ପୋଲିସ୍ ସୁମିତିଙ୍କୁ ଘନଘନ କରି ଖୋଜୁଛି।
ସେପଟେ ସୁମିତ କେଉଁ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ସେ ସଂକ୍ରାନ୍ତରେ ମଧ୍ୟ କିଛି କହିନଥିଲେ ସୁମିତଙ୍କର ବାପା। ତେବେ ଗତ ୧୭ ତାରିଖ ଦିନ ଆଡିସନାଲ ଏସପିଙ୍କ ସହିତି ୩ ଜଣ ଏସଆଇ ସୁମିତଙ୍କ ଘରକୁ ଯାଇ ସୁମିତଙ୍କୁ ଖୋଜି ଆଣିବେ ବୋଲି ତପସ୍ୱିନୀଙ୍କୁ ସାନ୍ତ୍ୱନା ଦେଇ ଫେରିଯାଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ ମଧ୍ୟ ସୁମିତଙ୍କର କୌଣସି ପତ୍ତା ମିଳୁନାହିଁ। ସେ ଖାଲି ଭିଡ଼ିଓ ଓ ଅଡିଓ ମାଧ୍ୟମରେ ଗଣମାଧ୍ୟମ ସାମ୍ନାକୁ ଆସୁଛନ୍ତି।
ସେପଟେ ସୁମିତଙ୍କର ଘର ପାଖରେ ୧୪୪ ଧାରା ଅନିର୍ଦ୍ଧିଷ୍ଟ କାଳ ପାଇଁ ଲାଗିଛି ଯାହାକି ଅନ୍ୟ ଲୋକଙ୍କୁ ଚିନ୍ତାରେ ପକାଇଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି, ପୋଲିସ ଏହି ମାମଲାରେ କଣ ପଦକ୍ଷେପ ନେବ । ତପସ୍ୱିନୀ ଓ ସୁମିତଙ୍କ ମାମଲାର ସମାଧାନ ପୋଲିସ କରିବାକୁ କୋର୍ଟ କହିଥିବାରୁ ଏହାର ଗୁରୁତ୍ୱ ବଢ଼ିଯାଇଛି । ପୋଲିସ ସୁମିତଙ୍କ ଘରକୁ ଯାଇଥିଲେ ହେଁ ଖାଲି ହାତରେ ଫେରିଥିବାରୁ ଆଗକୁ ସୁମିତଙ୍କୁ ଖୋଜିବ ନା ଅନ୍ୟ କିଛି କାର୍ଯ୍ୟାନୁଷ୍ଠାନ ନେବ ତାହା ଆଗକୁ ଜଣାପଡ଼ିବ । ଅପରପକ୍ଷେ ତପସ୍ୱିନୀ ଶୀତ, କାକରରେ ନ୍ୟାୟ ପାଇବା ପାଇଁ ସୁମିତଙ୍କ ଘର ଆଗରେ ଧାରଣାରେ ବସିରହିଛନ୍ତି । ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେ ଶ୍ୱଶୁର ଘର ଆଗରେ ବସିବା ସହ ରୋଷେଇ କରି ଖାଇବେ ବୋଲି କହିଛନ୍ତି। ଧାରଣାସ୍ଥଳରେ ତପସ୍ୱିନୀଙ୍କ ସହିତ ପୂର୍ବପରି ରହିଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ ।