ଭୁବନେଶ୍ୱର: ରାଜ୍ୟର ୧୯ ଟି ଜିଲ୍ଲାରେ ଆଜି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ସହିତ ଘଡ଼ଘଡ଼ି ଓ ବିଜୁଳି ଚମକ ବି ଦେଖାଦେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।
ଉକ୍ତ ୧୯ ଟି ଜିଲ୍ଲାଗୁଡ଼ିକ ଭିତରେ ଗଞ୍ଜାମ, ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, କଟକ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, କନ୍ଧମାଳ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଅନ୍ତର୍ଗତ । କିନ୍ତୁ ପ୍ରାୟ ଏକ ଘଣ୍ଟାର ବର୍ଷାରେ ରାଜଧାନୀ ରାସ୍ତାରେ ୪୧.୨ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି ।
ରାଜଧାନୀ ବର୍ଷା ଜନିତ ପାଣିରେ ଜଳବନ୍ଦୀ ହେଲେ ତୁରନ୍ତ ବର୍ଷା ପାଣି ନିଷ୍କାସନ ପାଇଁ BMC ୩୨ଟି ପମ୍ପ ରଖିଛି । ହେଲେ ଆଜିର ବର୍ଷା ସମୟରେ ଗୋଟିଏ ବି ପମ୍ପ ବ୍ୟବହାର ହୋଇପାରିଲାନି ଓ ଅଧାରୁ ଅଧିକ ଅଞ୍ଚଳରେ ବର୍ଷା ପାଣି ଘଣ୍ଟାଏ କାଳ ଯାଏଁ ଜମି ରହିଥିଲା । ରାସ୍ତାକଡ଼ରେ ଥିବା ଡ୍ରେନ୍ ବି ପୋତି ହୋଇଯାଇଥିଲା ।

ଜନପଥରେ ବର୍ଷା ହେଲେ ପାଣି ଜମିବା ଏକ ସାଧାରଣ କଥା ହୋଇଯାଇଥିଲାବେଳେ ସ୍ମାର୍ଟ ଜନପଥ ନିର୍ମାଣ ହେଲେ ବିନ୍ଦୁଏ ପାଣି ବି ରାସ୍ତାରେ ରହିବନି ବୋଲି କର୍ତ୍ତୃପକ୍ଷ କହୁଥିଲେ । କିନ୍ତୁ ପ୍ରାୟ ବର୍ଷେ ହେଲା କାମ ସରିଥିବା ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ସ୍ମାର୍ଟ ଜନପଥରେ ଆଜି ବର୍ଷା ପାଣି ଜମି ରହିଥିଲା । ତିଆରି ହୋଇଥିବା ନୂଆ ଡ୍ରେନ୍ରେ ପାଣି ଯାଇ ନଥିଲା ଯଦିଓ ଲକ୍ଡାଉନ୍ ଥିବାରୁ ରାଜଧାନୀବାସୀ କୌଣସି ଅସୁବିଧାର ସମ୍ମୁଖୀନ ହୋଇ ନଥିଲେ ।