ସଂସ୍କାର : ଏବେ କୁକୁଡ଼ାମାଂସ ଦର ସାଧାରଣ ଲୋକଙ୍କୁ ଚିନ୍ତାରେ ପକାଇଛି। କୁକୁଡ଼ା ମାଂସ ବ୍ୟବସାୟୀମାନେ ଏବେ ବେଶ୍ ମାଲାମାଲ ହେଉଛନ୍ତି । ସେମାନେ ଜୀବନ୍ତ କୁକୁଡ଼ା କିଲୋପ୍ରତି ୬୦ରୁ ୭୦ ଟଙ୍କାରେ କିଣୁଥିବାବେଳେ ବଜାରରେ କୁକୁଡ଼ା ମାଂସ ଦର କିଲୋପ୍ରତି ୧୮୦ ରୁ ୨୦୦ ଟଙ୍କାରେ ବିକ୍ରି ହେଉଛି। ଗତ କିଛି ମାସ ତଳେ, କୁକୁଡ଼ା କିଲୋ ପିଛା ୨୪୦ ଟଙ୍କାରେ ବିକ୍ରି ହେଉଥିଲା। ସ୍ଥାନେ ସ୍ଥାନେ ତ କିଲୋ ପିଛା ୩୦୦ ଟଙ୍କା ବି ଛୁଇଁଥିଲା ଦର। କିନ୍ତୁ ପରେ ୨୨୦ଟଙ୍କାକୁ ଖସିବା ପରେ ଏବେ ଏହା ଦର ୧୮୦ ରୁ ୨୦୦ ରହିଛି ।
ଚାଷୀଙ୍କଠାରୁ କିଲୋପିଛା ୬୦ରୁ ୭୦ ଟଙ୍କାରେ କୁକୁଡ଼ା ମାଂସ ବ୍ୟବସାୟୀମାନେ କୁକୁଡ଼ା କିଣୁଛନ୍ତି । କିନ୍ତୁ ଖାଉଟି ତାହାର ଅନେକଗୁଣା ଅଧିକ ଦାମ ଦେଇ କାହିଁକି କୁକୁଡ଼ା ମାଂସ କିଣିବାକୁ ବାଧ୍ୟ ହେଉଛନ୍ତି, ତାହାର ଉତ୍ତର ଆଜି ପର୍ଯ୍ୟନ୍ତ ମିଳିପାରିନାହିଁ । ଗତବର୍ଷମାନଙ୍କରେ ଆମ ଓଡ଼ିଶା କୁକୁଡ଼ା ମାଂସ ଓ ଅଣ୍ଡା ପାଇଁ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଉପରେ ମୁଖ୍ୟତଃ ନିର୍ଭର କରୁଥିଲା । କିନ୍ତୁ ୨୦୦୦ ମସିହା ପରଠାରୁ ରାଜ୍ୟସରକାରଙ୍କ ପ୍ରୋତ୍ସାହନ ଓ ବିଭିନ୍ନ ସହାୟତା ଫଳରେ ରାଜ୍ୟର ଅନେକ ଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ ଯୁବବର୍ଗ କୁକୁଡ଼ା ପାଳନ ଓ ଅଣ୍ଡା ଉତ୍ପାଦନ ପାଇଁ ଆଗେଇ ଆସିଥିଲେ ।
ଯାହାକି ବର୍ତ୍ତମାନ ସମୟରେ ଏହା ଏକ ଲାଭଜନକ ବ୍ୟବସାୟରେ ପରିଣତ ହୋଇଛି। ତେବେ ଚାଷୀଙ୍କ ପକ୍ଷରୁ ବିକ୍ରି କରାଯାଉଥିବା ମୂଲ୍ୟ ଏବଂ ଖାଉଟି କୁକୁଡ଼ା ମାଂସ କିଣୁଥିବା ମୂଲ୍ୟରେ ଆକାଶ-ପାତାଳ ପାର୍ଥକ୍ୟ ରହୁଥିବାରୁ କୁକୁଡ଼ା ଚାଷୀ କ୍ଷତି ସହୁଛନ୍ତି । ତେଣୁ ସରକାର କୁକୁଡ଼ା ମାଂସର ସର୍ବନିମ୍ନ ମୂଲ୍ୟ ସ୍ଥିର କରିବା ସହିତ ଖାଉଟିଙ୍କୁ ସଚେତନ କରିବାକୁ କୁକୁଡ଼ା ଚାଷୀମାନେ ଅନୁରୋଧ କରିଛନ୍ତି।