ସଂସ୍କାର : ସାବଧାନ ହୋଇଯାଆନ୍ତୁ ମହିଳାମାନେ। କୌଣସି ଘରୋଇ ଜିନିଷ କିଣିବା ପୂର୍ବରୁ ଥରେ ଅନ୍ତତଃ ନିଜ ସ୍ୱାମୀଙ୍କୁ ପଚାରନ୍ତୁ। ନ ହେଲେ ଆପଣଙ୍କର ସ୍ୱାମୀ ଆପଣଙ୍କୁ ହତ୍ୟା କରିବାକୁ ପଛାଇବେ ନାହିଁ। ତେବେ ଆମେ କାହିଁକି ଏଭଳି ଆପଣଙ୍କୁ ଭୟଭୀତ କରାଉଛୁ। ଏହାର ପଛର କାରଣ ଜାଣିଲେ ତାଯୁବ ହେବେ ଆପଣ।
ନିକଟରେ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରୁ ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ହତ୍ୟା କରିବା ପାଇଁ ସୁପାରି ଦେଇଥିଲେ। ଆଉ ପତ୍ନୀଙ୍କୁ ହତ୍ୟା କରିବାର କାରଣ ଥିଲା ବ୍ୟକ୍ତିଙ୍କୁ ନ ପଚାରି ଜିନିଷ କିଣିବା। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବ୍ୟକ୍ତିଙ୍କର ବିନା ଅନୁମତିରେ ତାଙ୍କ ପତ୍ନୀ ମୋବାଇଲ୍ ଫୋନ୍ କିଣିଥିବାରୁ ସେ ପତ୍ନୀଙ୍କୁ ହତ୍ୟା କରିବା ପାଇଁ ସୁପାରି ଦେଇଥିଲେ। ଏହି ବିଷୟରେ ଖୁଲାସା ହେବା ପରେ ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି।
ଏହି ଘଟଣା କୋଲକାତାର ନରେନ୍ଦ୍ରପୁର ଅଞ୍ଚଳର। ଗତ ଗୁରୁବାର ରାତିରେ ଏଠାରେ ଅଭିଯୁକ୍ତ ସ୍ୱାମୀ ଏବଂ ହତ୍ୟା ଉଦ୍ୟମ କରୁଥିବା ହତ୍ୟାକାରୀଙ୍କୁ ପୋଲିସ ଗିରଫ କରିଛି। ସୂଚନାନୁସାରେ, ମହିଳା ଜଣକ କିଛି ମାସ ପୂର୍ବରୁ ସ୍ୱାମୀଙ୍କୁ କହିଥିଲେ ଯେ ସେ ଏକ ନୂଆ ସ୍ମାର୍ଟଫୋନ କିଣିବାକୁ ଚାହାନ୍ତି। କିନ୍ତୁ ମହିଳା ମୋବାଇଲ୍ ଫୋନ୍ କିଣିବାକୁ ଇଚ୍ଛା ପ୍ରକାଶ କରିଥିଲେ ମଧ୍ୟ ତାଙ୍କ ସ୍ୱାମୀ ଫୋନ୍ ପାଇବାକୁ ମନା କରିଦେଇଥିଲେ। ଏହି ମହିଳା ପିଲାମାନଙ୍କୁ ଟ୍ୟୁସନ ଶିକ୍ଷା ଦେଇ କିଛି ଟଙ୍କା ରୋଜଗାର କରୁଥିଲେ।
ଏହି ସମୟ ମଧ୍ୟରେ ମହିଳା ଜଣକ ସ୍ୱାମୀଙ୍କ ବିନା ଅନୁମତିରେ ଏକ ମୋବାଇଲ୍ ଫୋନ୍ କିଣିଥିଲେ। ଯେତେବେଳେ ସ୍ୱାମୀ ଏ ବିଷୟରେ ଜାଣିଲେ, ସେ ବହୁତ ରାଗିଗଲେ ଏବଂ ତାଙ୍କ ପତ୍ନୀଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ। ଏହା ପରେ ସେ ନିଜ ପତ୍ନୀଙ୍କୁ ମାରିବା ପାଇଁ ଏକ ହତ୍ୟାକାରୀଙ୍କୁ ସୁପାରି ଦେଇଥିଲେ। ଏହା ପରେ ହତ୍ୟାକାରୀ ତାଙ୍କ ପତ୍ନୀଙ୍କୁ ଆକ୍ରମଣ କରିଥିଲା। ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଖବର ଅନୁଯାୟୀ ଗୁରୁବାର ରାତିରେ ମହିଳା ଜଣଙ୍କୁ ଦୁଇଜଣ ଅଜ୍ଞାତ ବ୍ୟକ୍ତି ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ମହିଳା ଜଣକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଜୀବନ ରକ୍ଷା ହୋଇଯାଇଛି। ଅନ୍ୟପଟେ ପୋଲିସ ଆକ୍ରମଣକାରୀ ଏବଂ ତାଙ୍କ ସ୍ୱାମୀଙ୍କୁ ଗିରଫ କରିବାରେ ସଫଳ ହୋଇଛି।