ତେଲ କିମ୍ବା ଘିଅ ବ୍ୟବହାର ନକରି ବି କରିହେବ ସ୍ଵାଦିଷ୍ଟ ଓ ସାତ୍ତ୍ଵିକ ଖେଚୁଡ଼ି

ଦରକାରୀ ଉପକରଣ –

•             ଉଷୁନା ଚାଉଳ ଗୋଟେ କପ

•             କଟା ଯାଇଥିବା ବିନ ଛୁଇଁ ଗୋଟେ କପ

•             କଟା ଯାଇଥିବା ଗାଜର ଗୋଟେ କପ

•             କଟା ଯାଇଥିବା ଲାଉ ଗୋଟେ କପ

•             କଟା ଯାଇଥିବା ପାଳଙ୍ଗ ଶାଗ ଅଧା କପ

•             କଟା ଯାଇଥିବା ଟମାଟର ଗୋଟେ କପ

•             କଟା ଯାଇଥିବା ଦୁଇଟି ଛୋଟ କଞ୍ଚା ଲଙ୍କା

•             ନଡ଼ିଆ କୋରା ଅଧା କପ

•             ଧନିଆ ପତ୍ର

•             ଗୋଟେ ଚାମଚ ହଳଦୀ

•             ଦୁଇ ଚାମଚ ଲୁଣ

ପ୍ରସ୍ତୁତି ପ୍ରଣାଳୀ  –

୩ ଜଣଙ୍କ ଖାଇବା ପାଇଁ ସାତ୍ତ୍ଵିକ ଖେଚୁଡି କରିବାକୁ ହେଲେ ପ୍ରଥମେ ନେଇଥିବା ଗୋଟେ କପ ଉଷୁନା ଚାଉଳକୁ ୩ ଘଣ୍ଟା ଯାଏଁ ପାଣିରେ ଭିଜେଇ ଦିଅନ୍ତୁ । ଗୋଟିଏ ହାଣ୍ଡିରେ (ମାଟି ହାଣ୍ଡି ହେଲେ ଭଲ) ସେଇ ଆଗରୁ ଭିଜେଇ ରଖିଥିବା ଚାଉଳରେ ୬ କପ ପାଣି ମିଶେଇ, ଢାଙ୍କୁଣି ଘୋଡ଼େଇ ପ୍ରାୟ ୪୫ ମିନିଟ ପର୍ଯ୍ୟନ୍ତ ସିଝିବା ପାଇଁ ଛାଡ଼ି ଦିଅନ୍ତୁ । ମଝିରେ ମଝିରେ ଟିକେ ଗୋଳେଇ ଦେଉଥିବେ । ୪୫ ମିନିଟ ପରେ ସେଥିରେ କଟା ଯାଇଥିବା ବିନ ଛୁଇଁ, ଗାଜର, ଲାଉ ଓ ଆବଶ୍ୟକ ପରିମାଣର ହଳଦୀ ପକେଇ ଆଉ ୧୫ ମିନିଟ ସିଝିବାକୁ ଛାଡ଼ି ଦିଅନ୍ତୁ । ଦରକାର ହେଲେ ଅଳ୍ପ ପାଣି ଦେଇପାରିବେ । ଅଧା କପ କଟା ଯାଇଥିବା ପାଳଙ୍ଗ ଶାଗ ଓ କଞ୍ଚା ଲଙ୍କା ପକେଇ ଗୋଳେଇ-ଗାଳେଇ ଆଉ ୫ ମିନିଟ ଯାଏଁ ଛାଡ଼ି ଦିଅନ୍ତୁ । ଶେଷରେ ଗୋଟେ କପ ଟମାଟର, ସ୍ଵାଦ ଅନୁଯାୟୀ ଲୁଣ ଓ ନଡ଼ିଆ କୋରା ଅଧ କପ ପକେଇ ସବୁକୁ ଭଲ ଭାବରେ ଘାନ୍ତି ଦିନନ୍ତୁ । ମନେ ରଖିବେ, ଟମାଟର ଓ ନଡ଼ିଆ ପଡ଼ିଲା ପରେ ଖେଚୁଡ଼ିକୁ ଆଉ ରାନ୍ଧିବେ ନାହିଁ । ଆଉ ୫ ମିନିଟ ଢାଙ୍କୁଣି ଘୋଡ଼େଇ ଆମେ ସବୁ ବାସ୍ନାକୁ ମିଶି ଯିବାକୁ ଛାଡ଼ିଦେବା । ପ୍ରସ୍ତୁତ ହେଇଗଲା ଗରମାଗରମ ଆପଣଙ୍କର ସାତ୍ତ୍ଵିକ ଖେଚୁଡ଼ି, ଯେଉଁଥିରେ ନା ତେଲ ରହିଲା ନା କୌଣସି ମସଲା । ତଥାପି ଏହା ତେଲଯୁକ୍ତ ହିଁ ଲାଗିବ ଆପଣଙ୍କୁ ଯେହେତୁ ଆମେ ଏଥିରେ ନଡ଼ିଆ ବ୍ୟବହାର କରିଛେ । ଏହା ଏକ ସଂପୂର୍ଣ୍ଣ ସାତ୍ତ୍ଵିକ ଖାଦ୍ୟ ଯାହା ଆପଣଙ୍କୁ ସ୍ୱାସ୍ଥ୍ୟ ଦେବ ।

Leave a Reply

Your email address will not be published. Required fields are marked *