କଲମ୍ବିଆର ସାଣ୍ଟିଆଗୋ ଡି କାଲି ସହରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ପୋଲିସ ଜଣେ ଅତି ନିଷ୍ଠୁର ମହିଳାଙ୍କୁ ଗିରଫ କରିଛି ଯିଏ ଗର୍ଭବତୀ ବାନ୍ଧବୀଙ୍କ ପେଟ କାଟି ଶିଶୁକୁ ନେଇ ଯାଇଛି । Daily Mail ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ପୋଲିସ କହିଛି ଯେ ସେମାନେ ମାରିଲୁଜ ମାସକୱେରାକୁ ଗିରଫ କରିଛି । ୮ ସେପ୍ଟେମ୍ବର, ୨୦୨୦ ରେ ଉଲିଗିସ ନାମକ ଜଣେ ମହିଳାଙ୍କୁ ସେ ହତ୍ୟା କରିଥିଲା, ଯାହା ବିରୋଧରେ ଅପହରଣ ଏବଂ ହତ୍ୟା ମାମଲା ରୁଜୁ ହୋଇଛି ।
ପୋଲିସ ଦେଇଥିବା ସୂଚନାନୁସାରେ, ମାରିଲୁଜ ଏକ ବାହାନା କରି ଉଲିଗିସଙ୍କୁ ନିଜ ଘରକୁ ଡାକିଥିଲେ । ମାରିଲୁଜ ତାଙ୍କୁ କହିଥିଲେ ଯେ ସେ ତାଙ୍କ ଭବିଷ୍ୟତ ସନ୍ତାନ ପାଇଁ ନୂତନ ପୋଷାକ ଉପହାର ଦେବାକୁ ଚାହୁଁଛନ୍ତି । କିନ୍ତୁ ଯେତେବେଳେ ଉଲିଗିସ ତାଙ୍କ ଘରକୁ ଆସିଲେ, ସେ ତାଙ୍କୁ ହତ୍ୟା କରିଥିଲେ ।

ସୂଚନାଥାଉ ଯେ ମାରିଲୁଜ ଛୁରୀରେ ଉଲିଗିସଙ୍କ ପେଟ କାଟି ତାଙ୍କ ଶିଶୁକୁ ବାହାର କରିଦେଲା । ଏହାପରେ ଉଲିଗିସଙ୍କ ମୃତଦେହକୁ ହ୍ରଦ କୂଳରେ ପକାଇ ଦେଇଥିଲା । ମୃତକ ଜଣକ ଭେନେଜୁଏଲାର ଜଣେ ପ୍ରବାସୀ ଥିଲେ । ତେବେ କଲମ୍ବିଆ ପୋଲିସ ଅଭିଯୁକ୍ତ ମାରିଲୁଜଙ୍କଠାରୁ ମୃତକଙ୍କ ଅଳଙ୍କାର ଉଦ୍ଧାର କରିଛି । ଏହା ପରେ ତାଙ୍କୁ ପଚରାଉଚରା କରାଯାଇଥିଲା । ପୋଲିସ କହିଛି ଯେ ମାରିଲୁଜ ତାଙ୍କ ଗର୍ଭଧାରଣ ବିଷୟରେ ମିଥ୍ୟା ଖବର ଦେଇ ତାଙ୍କ ଶାଶୁଙ୍କଠାରୁ ଟଙ୍କା ଲୁଟିବାକୁ ଚେଷ୍ଟା କରିଥିଲେ । ମାରିଲୁଜଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଛି । ଗର୍ଭଧାରଣକୁ ଦର୍ଶାଇ ମାରିଲୁଜ ତାଙ୍କ ସ୍ୱାମୀଙ୍କ ପରିବାରରୁ ଟଙ୍କା ମାଗିଥିଲେ ।